ଡ୍ୟାଶବୋର୍ଡ ତିଆରି କରିବାକୁ କେନ୍ଦ୍ରର ନିର୍ଦ୍ଦେଶ, ୮ ରାଜ୍ୟର ସ୍ଥିତି ସାଂଘାତିକ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ବଢ଼ୁଥିବାରୁ ଆକ୍ରାନ୍ତଙ୍କୁ ନେଇ ଲୋକମାନେ ହସ୍ପିଟାଲ ଯାଉଛନ୍ତି। ଅନେକ ସମୟରେ ହସ୍ପିଟାଲରେ ବେଡ୍‌ର ଅଭାବ ମଧ୍ୟ ଦେଖିବାକୁ ମିଳୁଛି। ସେହିପରି ଆମ୍ବୁଲାନ୍ସ ଆରେଞ୍ଜ କରିବାକୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ କରିବା ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟମାନଙ୍କୁ ଡ୍ୟାଶବୋର୍ଡ ତିଆରି କରିବାକୁ କହିଛନ୍ତି। ଏହି ଡ୍ୟାଶବୋର୍ଡରେ କେଉଁ ହସ୍ପିଟାଲରେ କେତେ ବେଡ୍‌ ବଳକା ରହିଛି ଓ କେତେ ଆମ୍ବୁଲାନ୍ସ ଉପଲବ୍ଧ ହେଉଛି, ତା’ର ରିୟଲ ଟାଇମ […]

Oxygen

Hemant Lenka
  • Published: Monday, 26 April 2021
  • , Updated: 26 April 2021, 05:40 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ବଢ଼ୁଥିବାରୁ ଆକ୍ରାନ୍ତଙ୍କୁ ନେଇ ଲୋକମାନେ ହସ୍ପିଟାଲ ଯାଉଛନ୍ତି। ଅନେକ ସମୟରେ ହସ୍ପିଟାଲରେ ବେଡ୍‌ର ଅଭାବ ମଧ୍ୟ ଦେଖିବାକୁ ମିଳୁଛି। ସେହିପରି ଆମ୍ବୁଲାନ୍ସ ଆରେଞ୍ଜ କରିବାକୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ସମସ୍ୟାର ସମାଧାନ କରିବା ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟମାନଙ୍କୁ ଡ୍ୟାଶବୋର୍ଡ ତିଆରି କରିବାକୁ କହିଛନ୍ତି। ଏହି ଡ୍ୟାଶବୋର୍ଡରେ କେଉଁ ହସ୍ପିଟାଲରେ କେତେ ବେଡ୍‌ ବଳକା ରହିଛି ଓ କେତେ ଆମ୍ବୁଲାନ୍ସ ଉପଲବ୍ଧ ହେଉଛି, ତା’ର ରିୟଲ ଟାଇମ ତଥ୍ୟ ରହିବ। ଏହି ଡ୍ୟାଶବୋର୍ଡରୁ ରାଜ୍ୟ ମୁଖ୍ୟାଳୟ ସହ ଜିଲ୍ଲା ସ୍ତରରେ ମଧ୍ୟ କାର୍ଯ୍ୟକ୍ଷମ କରାଯିବ। ଲୋକମାନେ ଡ୍ୟାଶବୋର୍ଡରେ ଥିବା ରିୟଲ ଟାଇମ ତଥ୍ୟ ଆଧାରେ ବେଡ୍‌ ଓ ଆମ୍ବୁଲାନ୍ସ ସମ୍ପର୍କରେ ତଥ୍ୟ ହାସଲ କରିପାରିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି, କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାରମାନଙ୍କୁ ଜିଲ୍ଲାସ୍ତରରେ ଅଧିକରୁ ଅଧିକ ସଂଖ୍ୟାରେ ଅସ୍ଥାୟୀ ହସ୍ପିଟାଲ ତିଆରି କରିବାକୁ କୁହାଯାଇଛି। ଦେଶର ୮ ରାଜ୍ୟର ସ୍ଥିତି ସାଂଘାତିକ ରହିଛି। ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, କର୍ଣ୍ଣାଟକା, କେରଳ, ରାଜସ୍ଥାନ, ଛତିଶଗଡ଼, ଗୁଜରାଟ ଓ ତାମିଲନାଡୁରେ ଆକ୍ଟିଭ କେସ୍‌ ସଂଖ୍ୟା ୧ ଲକ୍ଷ ଉପରେ ରହିବା ଚିନ୍ତାର ବିଷୟ।

ମନ୍ତ୍ରଣାଳୟ ପକ୍ଷରୁ ହୋମ ଆଇସୋଲେସନରେ ଥିବା ଲୋକଙ୍କ ଉପରେ ନଜର ରଖିବାକୁ କୁହାଯାଇଛି। ସେହିପରି ଜରୁରୀ ଥିବା ଲୋକଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମଧ୍ୟ କହିଛି। ସ୍ୱଳ୍ପରୁ ମଧ୍ୟମ ଧରଣର ଲକ୍ଷଣ ଥିବା ଲୋକେ ଯଥା ସମ୍ଭବ ଘରେ ରହି ଚିକିତ୍ସିତ ହୁଅନ୍ତୁ। ଅଧିକ ଲକ୍ଷଣ ଥିଲେ ଆକ୍ରାନ୍ତମାନେ ଡାକ୍ତରଙ୍କ ପରାମର୍ଶକ୍ରମେ ହସ୍ପିଟାଲ ଆସିପାରିବେ।

ସାମ୍ବାଦିକ ସମ୍ମିଳନୀରେ ଥିବା ଏମ୍ସ ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିଆ କହିଛନ୍ତି, ରାଜ୍ୟଗୁଡ଼ିକ ଅକ୍ସିଜେନକୁ ଠିକ୍‌ ଭାବେ ବ୍ୟବହାର କରନ୍ତୁ। ଜରୁରୀ ଥିବା ଲୋକଙ୍କୁ ଏହା ଦିଆଯାଉ। ସେହିପରି କରୋନା ଔଷଧ ରେମଡେସିଭିରକୁ ମଧ୍ୟ ଜରୁରୀ ସ୍ଥିତିରେ ବ୍ୟବହାର କରାଯାଉ।

ଆମେ ସଂକ୍ରମଣ ସଂଖ୍ୟା ହ୍ରାସ କରିବା ସହ ମେଡିକାଲ ଭିତ୍ତିଭୂମିକୁ ବୁଦ୍ଧିମତାର ସହ ବ୍ୟବହାର କରିବାକୁ ହେବ। ଅକ୍ସିଜେନର ସଠିକ ବ୍ୟବହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଅଯଥା ଆତଙ୍କ ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି।

ରାଜସ୍ଥାନ, ଛତିଶଗଡ଼ ଓ ଲଦାଖରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରାଦାର କରାଯାଉଥିବାରୁ ସେଠାକାର ସରକାରମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଶଂସା କରିଛି।

Related story