ସୃଷ୍ଟି ହେଲା ଲଘୁଚାପ, ୧୬ ସୁଦ୍ଧା ନେବ ବାତ୍ୟାର ରୂପ

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ଦେଶବାସୀ। ବାତ୍ୟା ପୂର୍ବରୁ ଆଜି ଆରବ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ଅଧିକ ଘନୀଭୂତ ହୋଇ ୧୬ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଥିବା ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ କେରଳ, ଲାକ୍ଷାଦ୍ୱୀପ, ତାମିଲନାଡ଼ୁ ସମେତ ଗୋଆ ଓ ଦକ୍ଷିଣ କୋଙ୍କଣରେ ମଧ୍ୟ ପ୍ରବଳ ବର୍ଷାର ଆଶଙ୍କା ରହିଛି। ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଓ ରତ୍ନଗିରି […]

Cyclone

Hemant Lenka
  • Published: Thursday, 13 May 2021
  • , Updated: 13 May 2021, 09:28 PM IST

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ଦେଶବାସୀ। ବାତ୍ୟା ପୂର୍ବରୁ ଆଜି ଆରବ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ଅଧିକ ଘନୀଭୂତ ହୋଇ ୧୬ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଥିବା ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହାର ପ୍ରଭାବରେ କେରଳ, ଲାକ୍ଷାଦ୍ୱୀପ, ତାମିଲନାଡ଼ୁ ସମେତ ଗୋଆ ଓ ଦକ୍ଷିଣ କୋଙ୍କଣରେ ମଧ୍ୟ ପ୍ରବଳ ବର୍ଷାର ଆଶଙ୍କା ରହିଛି। ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଓ ରତ୍ନଗିରି ଜିଲ୍ଲାରେ ମଧ୍ୟ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ। ଯଦି ଏହି ଲଘୁଚାପ ବାତ୍ୟାରେ ପରିଣତ ହୁଏ, ତା’ହେଲେ ଏହାର ନାଁ ତଉକତେ ରଖାଯିବ। ଏହାର ନାଁ ମିଆଁମାର ଦେଇଛି।

ଆଇଏମଡି ସତର୍କ ସୂଚନା ଜାରି କରି କହିଛି, ଆଜି ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଶୁକ୍ରବାର ସକାଳ ସୁଦ୍ଧା ଏହା ଲାକ୍ଷାଦ୍ୱୀପ ଉପରେ ୱେଲମାକର୍ଡ ଲଘୁଚାପରେ ପରିଣତ ହେବ। ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବା ପୂର୍ବରୁ ଶନିବାର ଗଭୀର ଅବପାତରେ ପରିଣତ ହେବ।

ଏହାର ୨୪ ଘଣ୍ଟା ପରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ଏହି ବାତ୍ୟା ଭୀଷଣ ରୂପ ଧାରଣ କରି ଉତ୍ତର-ଉତ୍ତରପଶ୍ଚିମ ଗୁଜରାଟ ଆଡ଼େ ଗତି କରିବ। ପାକିସ୍ତାନ ଉପକୂଳରେ ଏହା ସମାନ୍ତରଳ ଭାବେ ଆଗକୁ ବଢ଼ିବ। ଆକଳ ଅନୁଯାୟୀ, ଏହା ମେ’ ୧୮ ତାରିଖ ସକାଳ ସୁଦ୍ଧା ଗୁଜରାଟ ଉପକୂଳ ଛୁଇଁବ।


ଏହାର ପ୍ରଭାବରେ ଶନିବାର ଗୋଆ ଓ ଦକ୍ଷିଣ କୋଙ୍କଣରେ ଶନିବାର ସ୍ୱଳ୍ପରୁ ମଧ୍ୟମଧରଣ ବର୍ଷା ହେବ। ରବିବାର ଓ ସୋମବାର ବାତ୍ୟା ଘନୀଭୂତ ହେବାକୁ ଥିବାରୁ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଗୁଜରାଟରେ ମଧ୍ୟ ମେ’ ୧୭ଠାରୁ ବର୍ଷା ହେବ। ସୌରାଷ୍ଟ୍ର ଓ କଚ୍ଚର କିଛି ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ମେ’ ୧୯ରେ ରାଜସ୍ଥାନର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମଡି ଆକଳନ କରିଛି।

ଅନ୍ୟପକ୍ଷରେ ଆଇଏମଡିର ସତର୍କ ସୂଚନା ପରେ ଗୁଜରାଟର ତଟରକ୍ଷୀ ବାହିନୀକୁ ଆଲର୍ଟରେ ରଖାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସାମ୍ଭାବ୍ୟ ବାତ୍ୟାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି।

Related story