ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ଯୁବତୀଙ୍କୁ ହିଟ୍ ଆଣ୍ଡ ରନ୍ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି। ଏହି ଗମ୍ଭୀର ମାମଲା ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ଦିଲ୍ଲୀ ମହିଳା କମିସନ ମୁଖ୍ୟ (ଡିସିଡବ୍ଲ୍ୟୁ) ମୁଖ୍ୟ ସ୍ୱାତୀ ମାଲିୱାଲ। ସ୍ୱାତୀ କହିଛନ୍ତି ଯେ ଦିଲ୍ଲୀ ପୁଲିସର ତଦନ୍ତରେ ସେ ସନ୍ତୁଷ୍ଟ ନୁହନ୍ତି। ପୁଲିସ ବର୍ତ୍ତମାନ ସୁଦ୍ଧା ପୀଡିତା ଅଞ୍ଜଳିଙ୍କ ବନ୍ଧୁ ନିଧିଙ୍କ ମୋବାଇଲ ଫୋନକୁ ଜବତ କରିପାରି ନାହିଁ। ଅଞ୍ଜଳିଙ୍କ ମୃତ୍ୟୁ ପଛରେ ନିଧିଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି। ଅଞ୍ଜଳିଙ୍କ ସ୍କୁଟି ଦୁର୍ଘଟଣା ସମୟରେ ନିଧି ପଛରେ ବସିଥିଲେ। ମାତ୍ର ଏଥିରେ ତାଙ୍କର କୌଣସି କ୍ଷତି ହୋଇ ନାହିଁ। ଦୁର୍ଘଟଣା ସମୟରେ ନିଧି ନିଶାସକ୍ତ ଥିଲେ। ପୁଲିସ ନିଧିଙ୍କ ବୟାନ ରେକର୍ଡ କରିଛି।
ନିଧିଙ୍କ ବୟାନ ଅନୁଯାୟୀ ଶନିବାର ରାତିରେ ସେମାନେ ଅଞ୍ଜଳିଙ୍କର ଜଣେ ବନ୍ଧୁକୁ ସାକ୍ଷାତ କରିବାକୁ ଏକ ହୋଟେଲକୁ ଯାଇଥିଲେ। ଫେରିବା ସମୟରେ ତାଙ୍କ ସ୍କୁଟିକୁ ଏକ କାର୍ ଧକ୍କା ଦେଇଥିଲା। ଧକ୍କା ପରେ ଅଞ୍ଜଳିଙ୍କ ଶରୀର କାର୍ ଚକାରେ ଲାଗି ଯାଇଥିଲା। ଫଳରେ ସେ କାର୍ ସହିତ ପ୍ରାୟ ୧୨ କିମି ଘୋଷାରି ହୋଇଯାଇଥିଲେ ଓ ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ନିଧି ପୁଲିସକୁ ଜଣାଇବା ପରିବର୍ତ୍ତେ ଘରକୁ ପଳାଇ ଆସିଥିଲେ।
ଅନ୍ୟପଟେ ଦିଲ୍ଲୀ ପୁଲିସ କହିଛି ଯେ ଏହି ଘଟଣାରେ ଆଉ ଦୁଇଜଣ ସମ୍ପୃକ୍ତ ଅଛନ୍ତି। ସେମାନେ ହେଲେ ଆଶୁତୋଷ ଓ ଅଙ୍କୁଶ।
ଏହି ଦୁଇଜଣ ଏବେ ଫେରାର ଅଛନ୍ତି। ଏହି ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ୫ଜଣଙ୍କୁ ଅଦାଲତ ଆଉ ୪ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦେଇଛନ୍ତି। ଘଟଣାର ସମସ୍ତ ଦିଗ ଉପରେ ତଦନ୍ତ ନିମନ୍ତେ ଦିଲ୍ଲୀ ପୁଲିସର ୮ଟି ଟିମ୍ ଗଠନ କରାଯାଇଛି ବୋଲି ସ୍ୱତନ୍ତ୍ର କମିସନର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।