ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ତଳମୁହାଁ ହେଉଛି ମହାମାରୀ। ଧୀରେ ଧୀରେ କମିବାରେ ଲାଗିଲାଣି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଏବେ ଦିଲ୍ଲୀରୁ ୱିକେଣ୍ଡ କର୍ଫ୍ୟୁ ତଥା ସପ୍ତାହନ୍ତ କର୍ଫ୍ୟୁ ହଟିବ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପରାଜ୍ୟପାଳଙ୍କ ପାଖକୁ ଏକ ପ୍ରସ୍ତାବ ପଠାଇଛନ୍ତି।
ଦିଲ୍ଲୀରେ ବଢ଼ୁଥିବା କରୋନା ମାମଲାକୁ ଦେଖି ଗତ କିଛି ଦିନ ପୂର୍ବେ ୱକେଣ୍ଡ କର୍ଫ୍ୟୁ ଲାଗୁ ହୋଇଥିଲା। ଏବେ କିନ୍ତୁ ଏହାକୁ ହଟାଇବା ପାଇଁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ବଜାରରେ ଦୋକାନ ଖୋଲିବା ପାଇଁ ଲାଗୁ ହୋଇଥିବା ଅଡ ଇଭେନ୍ କଟକଣାକୁ ମଧ୍ୟ ହଟାଯିବ। ଘରୋଇ ଅଫିସ ଗୁଡିକ ୫୦% କ୍ଷମତାରେ ଚାଲିପାରିବ।
ସୂଚନା ମୁତାବକ, ଦେଶରେ ଗୋଟିଏ ପଟେ କରୋନା ମାମଲା ବଢ଼ି ଚାଲିଥିବା ବେଳେ ଦିଲ୍ଲୀରେ କମିବାରେ ଲାଗିଛି। ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨,୩୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ପଜିଟିଭିଟି ରେଟ୍ ୨୧.୪୮% ରହିଛି। ସେହିପରି ଦିନକରେ ଏଠାରେ କରୋନାରେ ଆକ୍ରାନ୍ତ ହୋଇ ୪୩ ଜଣ ଆଖି ବୁଜିଛନ୍ତି, ଯାହା ୧୦ ଜୁନ୍ ପରଠାରୁ ସର୍ବାଧିକ ମୃତ୍ୟୁ ବୋଲି କୁହାଯାଉଛି। ସେହିପରି କରୋନା ସକ୍ରିୟ ମାମଲା ୬୮୭୩୦ ରହିଛି।
ଦିଲ୍ଲୀ ସରକାର କରୋନା ଟେଷ୍ଟ ଦାମ ମଧ୍ୟ କମ୍ କରିଛନ୍ତି। ପୂର୍ବରୁ ଲୋକଙ୍କୁ କରୋନା ପରୀକ୍ଷା ପାଇଁ ୫୦୦ ଟଙ୍କା ଦେବାକୁ ପଡୁଥିବା। ଏବେ କିନ୍ତୁ ଏଥିପାଇଁ ୩୦୦ ଟଙ୍କା ଦେବାକୁ ପଡିବ। ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ଲୋକେ ପ୍ରଶଂସା କରିଛନ୍ତି।