କୋଲକାତା: ସର୍ବଦା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ସରକାରଙ୍କ ନିନ୍ଦା କରୁଥିବା ବିଜେପି ମୁହଁରେ ଭିନ୍ନ ଭାଷା ଦେଖିବାକୁ ମିଳିଛି। ମମତା ଦିଦିଙ୍କ ପ୍ରଶାସନ ବାତ୍ୟା ୟାସର ମୁକାବିଲା ଠିକ୍ ଭାବେ କରିଥିବାରୁ ବିଜେପିର ବେଙ୍ଗଲ ମୁଖ୍ୟ ଦିଲୀପ ଘୋଷ ଏହାକୁ ପ୍ରଶଂସା କରିଥିଲେ। ତେବେ କିଛି ସମୟରେ ପରେ ସେ ନିଜ ବୟାନରେ ୟୁ-ଟର୍ଣ୍ଣ ନେଇଛନ୍ତି। ଏଥିସହ ମମତାଙ୍କ ସରକାରଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି।
ଓଡ଼ିଶାରେ ବାତ୍ୟା ୟାସ ଲ୍ୟାଣ୍ଡଫଲ କରିଥିଲା। ହେଲେ ଏହାର ପ୍ରଭାବ ପଶ୍ଚିମବଙ୍ଗରେ ମଧ୍ୟ ଦେଖିବାକୁ ମିଳିଛି। ପୂର୍ବ ମେଦିନପୁର, ହାୱାଡା ଓ ଉତ୍ତର ୨୪ ପ୍ରଗଣାରେ ବର୍ଷା ଏବଂ ସମୁଦ୍ର ପାଣି ପଶିଯିବାରୁ ବ୍ୟାପକ ବନ୍ୟା ସୃଷ୍ଟି ହୋଇଛି। ଗୁରୁବାର ସୁଦ୍ଧା ବାତ୍ୟା ଜନିତ ଅଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ସେହିପରି ବାତ୍ୟା ପୂର୍ବରୁ ବେଙ୍ଗଲ ସରକାର ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ।
ଏହାକୁ ନେଇ ଦିଲୀପ ଘୋଷ କହିଥିଲେ ଯେ ବାତ୍ୟା ଅମ୍ପାନରୁ ଶିକ୍ଷା ଲାଭ କରିଥିବା ରାଜ୍ୟ ସରକାର ଏଥର ଭଲ କାମ କରିଛନ୍ତି। ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଲୋକମାନେ ଆଗୁଆ ବାତ୍ୟା ସମ୍ପର୍କରେ ଖବର ପାଇ ସଚେତନ ହୋଇଥିଲେ। ତଥାପି ବାତ୍ୟା ଯୋଗୁ କ’ଣ କ୍ଷୟକ୍ଷତି ହୋଇଛି, ତାହା ସ୍ଥିତି ସ୍ୱାଭାବିକ ହେବା ପରେ ଜଣାପଡ଼ିବ। ବର୍ତ୍ତମାନ ସୁଦ୍ଧା ସରକାର ଭଲ କାମ କରିଥିବାରୁ ସବୁ କିଛି ଠିକ୍ ଠାକ ରହିଥିବା ଭଳି ମନେ ହେଉଛି ବୋଲି ଶ୍ରୀ ଘୋଷ କହିଥିଲେ।
ସବୁବେଳେ ମମତା ଓ ତାଙ୍କ ସରକାରଙ୍କୁ ସମାଲୋଚନା କରୁଥିବା ଶ୍ରୀ ଘୋଷଙ୍କ ଏଭଳି ଆଭିମୁଖ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। କିନ୍ତୁ ସେ ଏହି ପ୍ରଶଂସାର କିଛି ସମୟ ପରେ ପୁଣି ନିଜର ପୁରୁଣା ଆଭିମୁଖ୍ୟ ପୋଷଣ କରି ମମତା ସରକାରଙ୍କୁ ଟାର୍ଗେଟ କରିଥିଲେ।
ବାତ୍ୟା ୟାସ ଯିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ୩ ଲକ୍ଷ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୩୪ ନଦୀ ବନ୍ଧ ଭାଙ୍ଗି ଯାଇ ଅନେକ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି।
ତେବେ ମମତାଙ୍କ ଏହି ଦାବିରେ ସତ୍ୟତା ନଥିବା ମେଦିନିପୁରରୁ ଲୋକସଭାକୁ ଯାଇଥିବା ଦିଲୀପ ଘୋଷ କହିଛନ୍ତି।
ସେ କହିଛନ୍ତି, ରାଜ୍ୟ ସରକାର କ୍ଷୟକ୍ଷତି ସମ୍ପର୍କରେ ଠିକ୍ ତଥ୍ୟ ଦେବା ଉଚିତ। ମୁଁ ଭାବୁଛି ବାତ୍ୟା ଆସିବା ପୂର୍ବରୁ ହିଁ ସେମାନେ ଏଭଳି ସଂଖ୍ୟା ଉପସ୍ଥାପନ କରିବେ ବୋଲି ନିଷ୍ପତ୍ତି ନେଇ ସାରିଥିଲେ। ସରକାର ଦାବି କରୁଛନ୍ତି ୧୩୪ଟି ନଦୀ ବନ୍ଧ କ୍ଷତିଗ୍ରସ୍ତ ହୋଇଛି। ହେଲେ ମୁଁ ଜାଣିନି ସେମାନେ ଏହି ସଂଖ୍ୟା କେଉଁଠୁ ଆଣିଲେ? ୨୦୦୯ ମସିହା ବାତ୍ୟା ଏଇଲା ପରେ ସେମାନେ କ’ଣ କରୁଥିଲେ?
ଯଦି ସେତେବେଳେ କାମ ହୋଇଥିଲା, ତା’ହେଲେ ଏତେ ସଂଖ୍ୟକ ନଦୀ ବନ୍ଧ କେମିତି କ୍ଷତିଗ୍ରସ୍ତ ହେଲା? ବିଜେପି ତା’ର ନିଜ ଟିମ୍ ଦ୍ୱାରା କ୍ଷୟକ୍ଷତିର ଆକଳନ କରି ସ୍ୱତନ୍ତ୍ର ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବ ବୋଲି ସେ କହିଛନ୍ତି।