ମୁର୍ମୁଙ୍କୁ ବାଣ ମାରିଲେ ତେଜସ୍ୱୀ, କହିଲେ- ଆମେ ରାଷ୍ଟପ୍ରତି ଭବନରେ ମୂର୍ତ୍ତି ଚାହୁଁନୁ

ପାଟନା: ଆସନ୍ତାକାଲି ପଡିବ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍। ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ମାହୋଲ ସରଗରମ ରହିଛି। ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏକ ପ୍ରକାର ଜିତିବା ସୁନିଶ୍ଚିତ ହୋଇଯାଇଛି। କାରଣ ଏନଡିଏ ମେଣ୍ଟ ବାହାରେ ବି ଅନ୍ୟ କିଛି ରାଜନୈତିକ ଦଳମାନେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ନେଇ ଘୋଷଣା କରିଛନ୍ତି। ଏହାରି ଭିତରେ ଆର୍ଜେଡି ନେତା ତେଜସ୍ୱୀ ଯାଦବ ଦ୍ରୌପଦୀ ମୁର୍ମୁଙ୍କୁ ଟାର୍ଗେଟ୍ କରିଛନ୍ତି।
ମୁର୍ମୁଙ୍କୁ କଟାକ୍ଷ କରି ତେଜସ୍ୱୀ କହିଛନ୍ତି, ‘ଦେଶକୁ ଜଣେ ବିଜ୍ଞ ରାଷ୍ଟ୍ରପତିଙ୍କର ଆବଶ୍ୟକତା ରହିଛି। ହେଲେ ରାଷ୍ଟ୍ରପତି ଭବନରେ ମୂର୍ତ୍ତିର ଆବଶ୍ୟକତା ଥିବା ଭଳି ଏନଡିଏ ଜଣଙ୍କୁ ପ୍ରାର୍ଥୀ କରିଛି। ରାଷ୍ଟ୍ରପତି ଭବନ ପାଇଁ ଆମେ ମୂର୍ତ୍ତି ସ୍ଥାପନା କରିବାକୁ ଚାହୁଁନୁ, ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବାକୁ ଚାହୁଁ।’
ଏହାସହ ସେ ଦ୍ରୌପଦୀଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି, ‘ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ ହେବା ପରେ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ ନକରିବା ଦ୍ରୌପଦୀଙ୍କ କାର୍ଯ୍ୟଦକ୍ଷତାର ପ୍ରମାଣ ଦେଉଛି। ଏହାସହ ଦ୍ରୌପଦୀ ମୁର୍ମୁ ଦେଶର ସ୍ୱାର୍ଥ ପାଇଁ ହେଉ କି ଆଦିବାସୀଙ୍କ ସ୍ୱାର୍ଥ ପାଇଁ ହେଉ କେବେ କିଛି କହିଥିବାର ମୁଁ କେବେ ଶୁଣିନାହିଁ।’
#WATCH | You don't need a 'Murti' (statue) in Rashtrapati Bhawan…You must have heard Yashwant Sinha Ji speaking, but not Centre's Presidential candidate… not a single presser by her since her candidature was announced: Tejashwi Yadav, RJD (16.07) pic.twitter.com/VKn38nNi9r
— ANI (@ANI) July 17, 2022
ମୁର୍ମୁଙ୍କୁ ସମାଲୋଚନା କରିବାରେ ତେଜସ୍ୱୀ ଯାଦବ ପ୍ରଥମ ରାଜନେତା ନୁହନ୍ତି। ନିକଟ ଅତୀତରେ କଂଗ୍ରେସ ନେତା ଅଜୟ କୁମାର ମଧ୍ୟ ମୁର୍ମୁଙ୍କୁ ସମାଲୋଚନା କରି ବିବାଦୀୟ ହୋଇଥିଲେ। ସେ କହିଥିଲେ, ‘ଭାରତର ଦୁର୍ଦ୍ଦଶାକୁ ପ୍ରତିନିଧିତ୍ୱ କରୁଥିବାରୁ ମୁର୍ମୁଙ୍କୁ ଆଦିବାସୀମାନଙ୍କର ସଙ୍କେତ କରା ନ ଯିବା ଉଚିତ।’
ତାଙ୍କର ଏହି ବୟାନକୁ ନେଇ ରାଜନୈତୀକ ବିବାଦ ଉଗ୍ର ହେବାରୁ ସ୍ପଷ୍ଟିକରଣ ଦେଇ କଂଗ୍ରେସ କହିଥିଲା, ‘ମୁର୍ମୁ ଜଣେ ଭଦ୍ର ମହିଳା ବୋଲି କୁମାର ସବୁବେଳେ କହି ଆସିଛନ୍ତି। ତାଙ୍କର ସମାଲୋଚନା ମୁର୍ମୁଙ୍କ ପ୍ରତି ନୁହେଁ, ‘ବିଜେପି-ଆର୍ଏସ୍ଏସ୍’ର ଆଦର୍ଶବାଦ ବିପକ୍ଷରେ।’ ଏହାପୂର୍ବରୁ କଂଗ୍ରେସର ପୁଡ୍ଡୁଚେରୀ ୟୁନିଟ୍ ମଧ୍ୟ ମୁର୍ମୁଙ୍କୁ ଜଣେ ‘ଡମି ରାଷ୍ଟ୍ରପତି’ ବୋଲି କହିଥିଲା।
ରାଷ୍ଟ୍ରୀୟ ଜନତା ଦଳ ପକ୍ଷରୁ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି। ଏହାସହ ବିହାର ବାମଦଳ ଓ କଂଗ୍ରେସ ପକ୍ଷରୁ ବି ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ହେବ ଓ ଜୁଲାଇ ୨୧ରେ ଭୋଟ ଗଣତି ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।