ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରରେ ଟ୍ରାଫିକ ଚାଲାଣ କାଟିବାକୁ କହିବାରୁ ଟ୍ରାଫିକ କର୍ମଚାରୀଙ୍କୁ ୧କିଲୋମିଟରରୁ ଅଧିକ ବନେଟରେ ବସାଇ ଟାଣିନେଲେ କାର ଡ୍ରାଇଭର । ଇନ୍ଦେର ସହରର ସତ୍ୟସାହି ଛକରେ ଟ୍ରାଫିକ ଚେକିଂ ଚାଲିଥିଲା। ଏହି ସମୟରେ କେଶବ ଉପାଧ୍ୟାୟ ନାମକ ଯୁବକ ସେଫ୍ଟି ବେଲ୍ଟ ନଲଗାଇବା ସହ ଫୋନରେ କଥା ହୋଇ କାରରେ ଆସୁଥିଲେ। ଟ୍ରାଫିକ କର୍ମଚାରୀ ଶିବ ସିଂ ଚୌହା ତାଙ୍କୁ ଅଟକାଇବାରୁ, ସେ ଗାଡିରୁ ଓହ୍ଲିଥିଲେ । ପରେ ଚାଲାଣ କାଟିବାଲାଗି କହିବାରୁ ସେ ଚାଲାଣ କାଟିବେନି କହି ଗାଡିରେ ବସି ଗାଡ଼ି ଷ୍ଟାର୍ଟ କରିଥିଲେ । କର୍ମଚାରୀ ଜଣକ ତାଙ୍କ ଆଗକୁ ଆସି ଅଟକାଇବାରୁ ସେ ଗାଡି ଟାଣିନେଇଥିଲେ। ପ୍ରାୟ ୧ କିଲୋମିଟର ଟାଣି ନେବା ପରେ ଏକ ଥାନା ଅଞ୍ଚଳରେ ପୁଲିସ ଅଟକାଇ ତାଙ୍କୁ ଗିରଫ କରିଛି। କେଶବ ନିକଟରୁ ପୁଲିସ ଗୋଟିଏ ପିସ୍ତଲ ଜବତ କରିଥିବା କହିଛି ।
ଅଭିଯୁକ୍ତ ଡ୍ରାଇଭରଙ୍କୁ ଧାରା ୨୭୯, ୩୩୨ ଏବଂ ଅନ୍ୟାନ୍ୟ ଦଣ୍ଡବିଧାନ ଅନୁଯାୟୀ ଗିରଫ କରାଯାଇଛି। ଗୁୱାଲିଅର ବାସିନ୍ଦା ଅଭିଯୁକ୍ତଙ୍କ ନିକଟରୁ ଏକ ପିସ୍ତଲ ଏବଂ ରିଭଲଭର ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତ ଜଣକ ଏହି ଅସ୍ତ୍ରଶସ୍ତ୍ର ଲାଇସେନ୍ସପ୍ରାପ୍ତ ବୋଲି ଦାବି କରିଛନ୍ତି। କିନ୍ତୁ ଆମେ ଏହାର ଅନୁସନ୍ଧାନ କରୁଛୁ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ହେଡ କନଷ୍ଟେବଳ ଶ୍ରୀ ଚୌ ହାନ କହିଛନ୍ତି ଯେ, ସତ୍ୟ ସାଇ ସ୍କୋୟାରରେ ଡ୍ୟୁଟିରେ ଥିଲେ। ଏହି ସମୟରେ ସମ୍ପୃକ୍ତ ଅଭିଯୁକ୍ତ ଗାଡି ଚଳାଇବା ସମୟରେ ମୋବାଇଲରେ କଥା ହେଉଥିବାରୁ ମୁଁ ଅଟକାଇଥିଲି। ମୁଁ ତାଙ୍କୁ ନିୟମ ଭଙ୍ଗ ପାଇଁ ଜୋରିମାନା ଦେବାକୁ କହିବାରୁ ସେ ମନା କରିଦେଇଥିଲେ। ମୋତେ ଧମକ ଦେଇଥିଲେ। ଅଭିଯୁକ୍ତ ଯେତେ ବେଳେ ଜୋରଜବରଦସ୍ତ କାର ଚଳାଇବା ଆରମ୍ଭ କରିଥିଲେ ସେତେବେଳେ ଚକାତଳେ ଚାପିଯିବା ଭୟରେ ବନେଟ ଉପରେ ଓହଳି ପଡ଼ିଥିଲି। ଅଭିଯୁକ୍ତ ଡ୍ରାଇଭର ତାଙ୍କୁ ଏପରି ଅବସ୍ଥାରେ ୪କିଲୋମିଟର ଘୋଷାଡ଼ି ନେଇଥିଲେ।