ମୁମ୍ବାଇର ପୂର୍ବତନ ପୁଲିସ୍‌ ମୁଖିଆଙ୍କୁ ବାନ୍ଧିଲା ଇଡି

ମୁମ୍ବାଇ: ଶେଷରେ ବନ୍ଧା ହେଲେ ମୁମ୍ବାଇ ପୁଲିସ୍‌ର ପୂର୍ବତନ ମୁଖିଆ ସଞ୍ଜୟ ପାଣ୍ଡେ। ଆଜି ଦିନ ତମାମର ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଛି। ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସ୍‌ଇ)ର କର୍ମଚାରୀଙ୍କ ଫୋନ ଟ୍ୟାପିଂ କରି ଆଇପିଏସ୍‌ ପାଣ୍ଡେ ବେଆଇନ ଭାବେ ଗୁଇନ୍ଦାଗିରି କରୁଥିଲେ। ଏଥିସହ ବେଆଇନ ଭାବେ ଅର୍ଥ ମଧ୍ୟ ହାସଲ କରିଥିଲେ। ଏଥିପାଇଁ ତାଙ୍କ ନାଁରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ମାମଲା ରୁଜୁ କରିବା ପରେ ଇଡି ତାଙ୍କୁ […]

sanjay-pandey

Hemant Lenka
  • Published: Tuesday, 19 July 2022
  • , Updated: 19 July 2022, 09:20 PM IST

ମୁମ୍ବାଇ: ଶେଷରେ ବନ୍ଧା ହେଲେ ମୁମ୍ବାଇ ପୁଲିସ୍‌ର ପୂର୍ବତନ ମୁଖିଆ ସଞ୍ଜୟ ପାଣ୍ଡେ। ଆଜି ଦିନ ତମାମର ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଛି। ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସ୍‌ଇ)ର କର୍ମଚାରୀଙ୍କ ଫୋନ ଟ୍ୟାପିଂ କରି ଆଇପିଏସ୍‌ ପାଣ୍ଡେ ବେଆଇନ ଭାବେ ଗୁଇନ୍ଦାଗିରି କରୁଥିଲେ। ଏଥିସହ ବେଆଇନ ଭାବେ ଅର୍ଥ ମଧ୍ୟ ହାସଲ କରିଥିଲେ। ଏଥିପାଇଁ ତାଙ୍କ ନାଁରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।

ମାମଲା ରୁଜୁ କରିବା ପରେ ଇଡି ତାଙ୍କୁ ଦିଲ୍ଲୀରେ ହାଜର ହୋଇ ପକ୍ଷ ରଖିବାକୁ କହିଥିଲା। ସୋମବାର ଓ ମଙ୍ଗଳବାର ଦୁଇ ଦିନ ଇଡିର ଅଧିକାରୀମାନେ ତାଙ୍କୁ ଜେରା କରିଥିଲେ। ଏହାପରେ ଆଜି ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି।

ଏନଏସ୍‌ଇର ସିକ୍ୟୁରିଟି ଅଡିଟ ପାଇଁ ଆଇପିଏସ୍‌ ପାଣ୍ତେ ଗୋଟିଏ କମ୍ପାନୀ ଖୋଲିଥିଲେ। ଏହି କମ୍ପାନୀ ଏନଏସ୍‌ଇର ସୁରକ୍ଷା ଅଡିଟ ମଧ୍ୟ କରିଥିଲା। କମ୍ପାନୀର ବ୍ୟବସାୟ ଓ ଅପରେସନ ସମ୍ପର୍କରେ ଇଡିର ଅଧିକାରୀମାନେ ପାଣ୍ତେଙ୍କ ଠାରୁ ଜାଣିବାକୁ ଚାହିଁଥିଲେ। ତାଙ୍କ ବୟାନକୁ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ) ଅନୁସାରେ ରେକର୍ଡ ମଧ୍ୟ କରାଯାଇଛି। ତେବେ ସେ ଜେରା ବେଳେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜେରା ବେଳେ ପାଣ୍ଡେ ଆଦୌ ଇଡି ଅଧିକାରୀଙ୍କୁ ସହଯୋଗ କରି ନଥିଲେ। ତାଙ୍କୁ ବିଭିନ୍ନ ପ୍ରକାରର ପ୍ରମାଣ ଦେଖାଇ ଅଧିକାରୀମାନେ ପ୍ରଶ୍ନ କରିଥିଲେ। ହେଲେ ସେ ଏଥିରେ ଏକମତ ନ ହୋଇ ଏଡ଼ାଇ ଯିବାକୁ ଚେଷ୍ଟା କରିଥିଲେ। ଫଳରେ ଇଡି ପକ୍ଷରୁ ତାଙ୍କୁ ବାଧ୍ୟ ହୋଇ ଗିରଫ କରାଯାଇଛି। ପାଣ୍ଡେ ଏନଏସ୍‌ଇର ପୂର୍ବତନ ମୁଖ୍ୟ ରବି ନାରାଇନ ଓ ଚିତ୍ରା ରାମକୃଷ୍ଣଙ୍କ ସହ ମିଶି ଏନଏସ୍‌ଇରେ କାମ କରୁଥିବା କିଛି କର୍ମଚାରୀଙ୍କ ଉପରେ ଗୁଇନ୍ଦାଗିରି କରୁଥିଲେ।

ପ୍ରଥମେ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ସଞ୍ଜୟ ପାଣ୍ତେଙ୍କ ଅଧୀନରେ ଥିବା ଗୋଟିଏ କମ୍ପାନୀକୁ ବିପୁଳ ପରିମାଣର ଟଙ୍କା ମିଳିଥିବା ଜାଣିବାକୁ ପାଇଥିଲା। ଏଥିସହ ଉକ୍ତ କମ୍ପାନୀରୁ ଭଏସ ରେକର୍ଡିଂ, ଅର୍ଜିନାଲ ରେକର୍ଡିଂ ଟ୍ରାନ୍ସସ୍କ୍ରିପ୍ଟ, ସରଭର ଓ ୨ଟି ଲ୍ୟାପଟପ ମିଳିଥିଲା। ଚିତ୍ରା ଓ ରବି ଗୋଟିଏ ପ୍ରାଇଭେଟ କମ୍ପାନୀ ଜରିଆରେ ଏନଏସଇ କର୍ମଚାରୀଙ୍କ ଉପରେ ଗୁଇନ୍ଦାଗିରି କରିଥିଲେ।

କର୍ମଚାରୀମାନେ ଏକ୍ସଚେଞ୍ଜ ସହ ଜିଡ଼ିତ ତଥ୍ୟ ଲିକ୍‌ କରୁଛନ୍ତି କି ନାହିଁ, ସେକଥା ଜାଣିବା ପାଇଁ ଉଭୟ ଚାହୁଁଥିଲେ। ଏଥିପାଇଁ ସେମାନେ ସଞ୍ଜୟ ପାଣ୍ଡେ ଖୋଲିଥିବା iSec Services ସହ ହାତ ମିଳାଇଥିଲେ। ଏଥିପାଇଁ ପାଣ୍ଡେଙ୍କ କମ୍ପାନୀ ୪.୪୫ କୋଟି ଟଙ୍କା ମଧ୍ୟ ନେଇଥିଲା। ୨୦୦୯ରୁ ୨୦୧୭ ଯାଏ ଏପରି ବେଆଇନ ଗୁଇନ୍ଦାଗିରି ଚାଲିଥିଲା। ଏହି ସମୟରେ ହିଁ ଏନଏସ୍‌ଇରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାପରେ ଗୁଇନ୍ଦାଗିରି ମିସିନକୁ ଏନଏସଇ ପକ୍ଷରୁ ଇ-ୱେଷ୍ଟ ଭାବେ ନଷ୍ଟ କରି ଦିଆଯାଇଥିଲା।

ଇଡି ବ୍ୟତୀତ ଘଟଣାର ତଦନ୍ତ ସିବିଆଇ ମଧ୍ୟ କରୁଛି। ସିବିଆଇ ଏହି ଘଟଣାରେ ଏନଏସ୍‌ଇର ପୂର୍ବତନ ଏମଡି ଚିତ୍ରା ରାମକୃଷ୍ଣ ଓ ସଂସ୍ଥାର ପୂର୍ବତନ ଅପରେଟିଂ ଅଫିସର ଆନନ୍ଦ ସୁବ୍ରମନିଅନଙ୍କ ନାଁରେ ଚାର୍ଜଶିଟ ଦାଖଲ କରିଛି। ହିମାଳୟର ଜଣେ ତଥା କଥିତ ଯୋଗୀଙ୍କୁ ଚିତ୍ରା ୨୦୧୩ରୁ ୨୦୧୬ ଯାଏ ସମସ୍ତ ପ୍ରକାରର ଗୁପ୍ତ ତଥ୍ୟ ଦେଉଥିଲେ। ଏଥିସହ ଯୋଗୀଙ୍କ କଥାରେ ଏନଏସ୍‌ଇରେ କର୍ମଚାରୀଙ୍କୁ ପଦନ୍ନୋତି ଓ ନିଯୁକ୍ତି ମଧ୍ୟ ଦେଉଥିଲେ।

ଏକଥା ସିବିଆଇ ଜାଣିବା ପରେ ଚଳିତ ବର୍ଷ ଫେବୃଆରୀରେ ମାମଲା ରୁଜୁ କରିଥିଲା। ଏହାପୂର୍ବରୁ ସେବି ଚିତ୍ରାଙ୍କ କାରସାଦି ବାବଦରେ ଜାଣି ତାଙ୍କୁ ଓ ଏନଏସ୍‌ଇର କିଛି ପୂର୍ବତନ ବରିଷ୍ଠ କର୍ମଚାରୀଙ୍କୁ ମୋଟା ଅଙ୍କର ଜୋରିମାନା ଲାଗୁ କରିଥିଲା।

ଚିତ୍ରା ୨୦୧୩ରୁ ୨୦୧୬ ଯାଏ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ସିଇଓ ଓ ଏମଡି ଭାବେ କାର୍ଯ୍ୟ କରିଥିଲେ। ଏହାପରେ ବ୍ୟକ୍ତିଗତ କାରଣରୁ ସେ ଏହି ପଦ ଛାଡ଼ି ଦେଇଥିଲେ। ନିଜ ପଦରେ ଥିବା ବେଳେ ସେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ଗୁପ୍ତ ତଥ୍ୟ ହିମାଳୟରେ ଅବସ୍ଥାପିତ ଜଣେ ଯୋଗୀଙ୍କୁ ଦେଉଥିଲେ। ତାଙ୍କ କଥାରେ ହିଁ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଚାଲୁଥିଲା। ଏଥିରେ ପାଣ୍ତେଙ୍କ ଭୂମିକା ଥିବା ମଧ୍ୟ କୁହାଯାଉଛି।

Related story