ଗାରିଆବାନ୍ଦ(ଛତିଶଗଡ଼): ମଙ୍ଗଳବାର ଛିତିଶଗଡ଼ର ଗାରିଆବାନ୍ଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ସହ ଟ୍ରକ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୭ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପ୍ରରିବାରକୁ ପ୍ରତ୍ୟେକ ୨ ଲକ୍ଷ ଟଙ୍କା ଲେଖାଁଏ ସହାୟତା ଘୋଷଣା କରିଛନ୍ତି। ସେହିପରି ଆହତଙ୍କ ପରିବାର ପ୍ରତି ପ୍ରତ୍ୟେକ ୫୦,୦୦୦ ଲେଖାଏଁ ଟଙ୍କା ଘୋଷଣା କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ ଗାରିଆବାନ୍ଦଠାରୁ ୮ କିମି ଦୂର ଜୋପା ନିକଟରେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ଶିକାର ହୋଇଥିବା ଲୋକମାନେ ମାଜାରକାଟ୍ଟା ଗାଁର। ଏମାନେ ପଡ଼ୋଶୀ ଗାଁ ମୋହଲା ମେଳା ଦେଖି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗାରିବଆବାନ୍ଦର ଉପଜିଲ୍ଲାପାଳ କହିଛନ୍ତି ଯେ, ଟ୍ରାକ୍ଟରଟି ଟର୍ଣ୍ଣ କରୁଥିବା ବେଳେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଟ୍ରାକ୍ଟରଟି ଭାଙ୍ଗି ଦୁଇ ଭାଗ ହୋଇଯାଇଛି। ଜେସିବି ମେଶିନ୍ ସହାୟତାରେ ଡ୍ରାଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଥିବା ସେ କହିଛନ୍ତି।
ସେମାନଙ୍କ ମଧ୍ୟରୁ ସଙ୍କଟାପନ୍ନ ଅବସ୍ଥାରେ ୧୪ ଜଣଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଏସପି ଜେଆର ଠାକୁର, ଅତିରିକ୍ତ ଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ତେବେ ଆହତଙ୍କ ପରିବାରକୁ ତୁରନ୍ତ ୨୦୦୦ ଟଙ୍କା ଲେଖାଁଏ ଦିଆଯାଇଥିବା ଉପଜିଲ୍ଲାପାଳ କହିଛନ୍ତି।