ନିର୍ବାଚନ ତାରିଖ ଘୋଷଣା ପରେ ବି ତୁଟୁନି କଂଗ୍ରେସ କଳି, ଅସନ୍ତୋଷ ଝାଡ଼ିଲେ ଜି-୨୩ ନେତା

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ତା’ର ପରବର୍ତ୍ତୀ ଅଧ୍ୟକ୍ଷ ବାଛିବା ପାଇଁ ନିର୍ବାଚନ କରିବ। ଏଥିପାଇଁ ତାରିଖ ମଧ୍ୟ ଘୋଷଣା ହୋଇଛି। ହେଲେ ନିରପେକ୍ଷ ଭାବେ ଦଳ ଭିତରେ ନିର୍ବାଚନ ହେବ ନା କେବଳ ଏହା ଗୋଟିଏ ଲୋକଦେଖାଣିଆ ପ୍ରକ୍ରିୟା, ତା’କୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି। ଅଧ୍ୟକ୍ଷ ନିର୍ବାଚନ ପାଇଁ ସେପ୍ଟେମ୍ବର ୨୪ରୁ ସେପ୍ଟେମ୍ବର ୩୦ ମଧ୍ୟରେ ନାମାଙ୍କନ ଦାଖଲ କରାଯିବ। ସେହିପରି ଅକ୍ଟୋବର ୧ରେ ଯାଞ୍ଚ ଓ ଅକ୍ଟୋବର ୮ ସୁଦ୍ଧା ପ୍ରାର୍ଥିପତ୍ର […]

congress

  • Published: Monday, 29 August 2022
  • , Updated: 29 August 2022, 04:17 PM IST

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ତା’ର ପରବର୍ତ୍ତୀ ଅଧ୍ୟକ୍ଷ ବାଛିବା ପାଇଁ ନିର୍ବାଚନ କରିବ। ଏଥିପାଇଁ ତାରିଖ ମଧ୍ୟ ଘୋଷଣା ହୋଇଛି। ହେଲେ ନିରପେକ୍ଷ ଭାବେ ଦଳ ଭିତରେ ନିର୍ବାଚନ ହେବ ନା କେବଳ ଏହା ଗୋଟିଏ ଲୋକଦେଖାଣିଆ ପ୍ରକ୍ରିୟା, ତା’କୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି।

ଅଧ୍ୟକ୍ଷ ନିର୍ବାଚନ ପାଇଁ ସେପ୍ଟେମ୍ବର ୨୪ରୁ ସେପ୍ଟେମ୍ବର ୩୦ ମଧ୍ୟରେ ନାମାଙ୍କନ ଦାଖଲ କରାଯିବ। ସେହିପରି ଅକ୍ଟୋବର ୧ରେ ଯାଞ୍ଚ ଓ ଅକ୍ଟୋବର ୮ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ବ୍ୟବସ୍ଥା କରାଯାଇଛି। ଅକ୍ଟୋବର ୧୭ରେ ନିର୍ବାଚନ ହେବ ଓ ଅକ୍ଟୋବର ୧୯ରେ ଗଣନା କରାଯାଇ ରେଜଲ୍ଟ ପ୍ରକାଶ କରାଯିବ।

ନିର୍ବାଚନ ତାରିଖ ଘୋଷଣା ହେଲା ପରେ ମଧ୍ୟ ଅନେକ ବରିଷ୍ଠ ନେତା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦାୟିତ୍ୱ ନିଅନ୍ତୁ ବୋଲି ଲବି କରି ଚାଲିଛନ୍ତି। ସେହିପରି ରାହୁଲ ଯଦି ରାଜି ନ ହେଲେ ତା’ହେଲେ ଅଶୋକ ଗେହଲଟ ଅଧ୍ୟକ୍ଷ ହୁଅନ୍ତୁ ବୋଲି କିଛି ନେତା ମତ ରଖିଛନ୍ତି। ଯଦି ନିର୍ବାଚନ ହେବ, ତା’ହେଲେ ଏତେ ଲବି କାହିଁକି କରାଯାଉଛି ବୋଲି ପ୍ରଶ୍ନ ଉଠିଛି। ନିର୍ବାଚନରେ ଯିଏ ଜିତିବେ, ସେ ଅଧ୍ୟକ୍ଷ ହେବେ ଓ ଏଥିପାଇଁ କାହା ଉପରେ କେହି ଚାପ ପକାଇବା କଥା ନୁହେଁ ବୋଲି କଂଗ୍ରେସର ବିଦ୍ରୋହୀ ଜି-୨୩ ନେତା ମତ ରଖିଛନ୍ତି।

ରବିବାର ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ “କଂଗ୍ରେସ ଏକମାତ୍ର ଦଳ ଯିଏ ଅଧ୍ୟକ୍ଷ ଚୟନ ପାଇଁ ଏପରି ନିର୍ବାଚନ କରିଥାଏ।” ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଲ କହିଥିଲେ, “ନିର୍ବାଚନ ସୂଚୀ ପ୍ରକାଶ ପାଇସାରିଛି। ଏହି ନିର୍ବାଚନରେ ଯିଏ ଚାହିଁବେ, ସେ ଭାଗ ନେଇପାରିବେ।”

ନିର୍ବାଚନ ପାଇଁ ଦାବି କରି ଆସୁଥିବା କଂଗ୍ରେସର ଜି-୨୩ ମଧ୍ୟରେ ଥିବା ଗୁଲାମ ନବୀ ଆଜାଦ ଦଳ ଛାଡ଼ି ସାରିଛନ୍ତି। ତେଣୁ ମନୀଷ ତିୱାରୀ, ଶଶି ଥରୁର ଓ ପୃଥ୍ୱୀରାଜ ଚୌହାନଙ୍କ ମଧ୍ୟରୁ କେହି କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ି ପାରନ୍ତି ବୋଲି କୁହାଯାଉଛି। ତେବେ ରାହୁଲ ଗାନ୍ଧି ନାମାଙ୍କନ ଦାଖଲ ଓ ଅଧ୍ୟକ୍ଷ ନିର୍ବାଚନରେ ହସ୍ତକ୍ଷେପ ନ କଲେ ଏହା ସମ୍ଭବ ହୋଇପାରିବ।

ସେହିପରି ଗେହଲଟଙ୍କ ନାଁକୁ ନେଇ ଚାଲିଥିବା ଚର୍ଚ୍ଚାକୁ ନିନ୍ଦା କରି ଜି-୨୩ ନେତା ପୃଥ୍ୱୀରାଜ ଚୌହାନ ନିରପେକ୍ଷ ନିର୍ବାଚନ ସପକ୍ଷରେ ମତ ରଖିଛନ୍ତି। ସେ କହିଛନ୍ତି, “କାହିଁକି ଆପଣମାନେ ଓଲଟା କଥା କହୁଛନ୍ତି? ଆପଣ ପୂର୍ବରୁ ନାଁ ସ୍ଥିର କରିନେବେ ଓ ଏହାପରେ ନିର୍ବାଚନ କରିବେ? ଏହା କେଉଁଠି କେବେ ସମ୍ଭବ? ନିର୍ବାଚନ କରାଯାଉ। ଯାହାର ଇଚ୍ଛା ସିଏ ନିର୍ବାଚନ ଲଢ଼ିବ। ଯଦି ପଛ ପଟ ଦ୍ୱାରରେ ରିମୋଟ କଣ୍ଟ୍ରୋଲ ସଭାପତି ନିଯୁକ୍ତ କରିବାକୁ ଚେଷ୍ଟା କରାଯିବ, ତା’ହେଲେ ଦଳ କେବେ ହେଲେ ଅଣ୍ଟା ସଳଖି ଛିଡ଼ା ହୋଇ ପାରିବ ନାହିଁ।”

Related story