ପାଣାଜୀ: ପାଖେଇ ଆସୁଛି ୫ ରାଜ୍ୟର ବିଧାନସଭା ନିର୍ବାଚନ। ଏଥିପାଇଁ ବାଜି ସାରିଛି ବିଗୁଲ। ପ୍ରାର୍ଥୀମାନେ ମଇଦାନକୁ ଓହ୍ଲାଇ ସାରିଲେଣି। ସବୁ ଦଳର ନେତାମାନେ ସିଟ୍ ହାତେଇବା ପାଇଁ ଅଙ୍କକଷା ଚଳାଇଛନ୍ତି। ଏହାରି ଭିତରେ ଗୋଆକୁ ହାତେଇବା ପାଇଁ ଅଣ୍ଟା ଭିଡିଛି କଂଗ୍ରେସ।
ଆସନ୍ତା ୧୪ ଫେବ୍ରୁଆରୀରେ ଗୋଆ ବିଧାନସଭା ନିର୍ବାଚନ ଭୋଟ ପଡିବ। ଏଥିପାଇଁ କଂଗ୍ରେସ, ବିଜେପି ସମେତ ଆମ ଆଦମୀ ପାର୍ଟି ଜୋର ସୋର୍ରେ ପ୍ରଚାର ଆରମ୍ଭ କରିସାରିଲେଣି। ଏହାରି ଭିତରେ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଘାରିଛି ବାଡ ଡିଆଁ ଚିନ୍ତା। ଏହାକୁ ଅଟକାଇବା ପାଇଁ କଂଗ୍ରେସ ନିଜ ପ୍ରାର୍ଥୀମାନଙ୍କୁ କରାଇଛି ଶପଥ।
୨୦୧୯ ନିର୍ବାଚନ ବେଳେ ଯାହା ହୋଇଥିବା ତା'ର ପୁନରାବୃତ୍ତି ଯେପରି ନଘଟେ ସେଥିପାଇଁ ଶନିବାର କଂଗ୍ରେସ ନିଜ ନେତାମାନଙ୍କ ସହ ମିଶି ଭଗବାନଙ୍କୁ ସାକ୍ଷୀ ରଖି ସଙ୍କଳ୍ପ ନେଇଛି। ସମସ୍ତ ୩୬ ପ୍ରାର୍ଥୀଙ୍କୁ କରାଇଛି ଶପଥ। ୫ ବର୍ଷ ଯାଏଁ କଂଗ୍ରେସ ହାତ ନଛାଡିବା ପାଇଁ ପ୍ରାର୍ଥୀମାନେ ଭଗବନାଙ୍କ ନିକଟରେ ଶପଥ ନେଇଛନ୍ତି। କେବଳ ମନ୍ଦିର ନୁହେଁ ଚର୍ଚ୍ଚ ଓ ଗୀର୍ଜା ଘରକୁ ଯାଇ ମଧ୍ୟ ପ୍ରାର୍ଥୀମାନେ ଶପଥ ନେଇଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବିଧାନସଭା ଦଳର ନେତା ଦିଗାମ୍ବର କାମତ ଶନିବାର କହିଛନ୍ତି, 'ଗୋଆର ଲୋକମାନେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ପାଇଁ ଜଣାଶୁଣା। ଆମେ ମହାଲକ୍ଷ୍ମୀ ମନ୍ଦିର ସାମ୍ନାରେ ସ୍ଥିର କରିଛୁ ଯେ ଆମେ ପାଞ୍ଚ ବର୍ଷ ଏକାଠି ରହିବୁ। ଆମେ ଏହାକୁ ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରିଛୁ ଏବଂ କୌଣସି ଦଳକୁ ଆମ ବିଧାୟକମାନଙ୍କୁ କିଣିବାକୁ ଦେବୁ ନାହିଁ।'
ସୂଚନା ମୁତାବକ, ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସର ପ୍ରାୟ୧୦ ବିଧାୟକ ଦଳ ଛାଡି ବିଜେପିକୁ ଡିଆଁ ମାରିଥିଲେ। ଏହାପର ଠାରୁ କଂଗ୍ରେସକୁ ବିରୋଧର ସାମ୍ନା କରିବାକୁ ପଡିଥିଲା।
ଏଡିଆର୍ର ଏକ ରିପୋର୍ଟ ଅନୁସରେ ଗୋଆରେ ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୨୪ଜଣ ବିଧାୟକ ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଇଛନ୍ତି। ଯାହା ୪୦ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ମୋଟ ବିଧାୟକଙ୍କ ସଂଖ୍ୟାର ୬୦%। ADR ତା' ରିପୋର୍ଟରେ କହିଛି ଯେ, ଗୋଆ ଏହି ପ୍ରସଙ୍ଗରେ ଏକ ଅଦ୍ଭୁତ ରେକର୍ଡ ସୃଷ୍ଟି କରିଛି, ଯାହାର ଭାରତୀୟ ଗଣତନ୍ତ୍ର ଇତିହାସରେ ଅନ୍ୟତମ।