ଜ୍ଞାନବାପୀ ମସଜିଦ ବିବାଦ: କୋର୍ଟରେ ଦାଖଲ ରିପୋର୍ଟ ସାର୍ବଜନୀନ ହେଲା କେମିତି

ନୂଆଦିଲ୍ଲୀ: ବାରାଣସୀରେ ଥିବା ଜ୍ଞାନବାପୀ ମସଜିଦରେ ହୋଇଥିବା ଭିଡିଓଗ୍ରାଫି ସର୍ଭେ ରିପୋର୍ଟ ଆଜି ସ୍ଥାନୀୟ କୋର୍ଟରେ ଦାଖଲ କରାଯାଇଛି। କୋର୍ଟ ତରଫରୁ ନିଯୁକ୍ତ ଆଡଭୋକେଟ କମିଶନର ତାଙ୍କ ରିପୋର୍ଟକୁ ବନ୍ଦ ଲଫାପାରେ ଉପସ୍ଥାପନ କରିଛନ୍ତି। ତେବେ କୋର୍ଟରେ ରିପୋର୍ଟ ଦାଖଲ ହେବା ପରେ ଏହା ସାର୍ବଜନୀନ ହୋଇ ଯାଇଛି। ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ରିପୋର୍ଟରେ ସର୍ଭେ ଟିମ୍‌ ଉଲ୍ଲେଖ କରିଥିବା ବିଷୟବସ୍ତୁଗୁଡ଼ିକୁ ପ୍ରକାଶ କରିବା ପରେ ବିବାଦ ଦେଖାଯାଇଛି। କୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ କେମିତି ଗଣମାଧ୍ୟମରେ […]

masjid

Hemant Lenka
  • Published: Thursday, 19 May 2022
  • , Updated: 19 May 2022, 09:45 PM IST

ନୂଆଦିଲ୍ଲୀ: ବାରାଣସୀରେ ଥିବା ଜ୍ଞାନବାପୀ ମସଜିଦରେ ହୋଇଥିବା ଭିଡିଓଗ୍ରାଫି ସର୍ଭେ ରିପୋର୍ଟ ଆଜି ସ୍ଥାନୀୟ କୋର୍ଟରେ ଦାଖଲ କରାଯାଇଛି। କୋର୍ଟ ତରଫରୁ ନିଯୁକ୍ତ ଆଡଭୋକେଟ କମିଶନର ତାଙ୍କ ରିପୋର୍ଟକୁ ବନ୍ଦ ଲଫାପାରେ ଉପସ୍ଥାପନ କରିଛନ୍ତି। ତେବେ କୋର୍ଟରେ ରିପୋର୍ଟ ଦାଖଲ ହେବା ପରେ ଏହା ସାର୍ବଜନୀନ ହୋଇ ଯାଇଛି।

ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ରିପୋର୍ଟରେ ସର୍ଭେ ଟିମ୍‌ ଉଲ୍ଲେଖ କରିଥିବା ବିଷୟବସ୍ତୁଗୁଡ଼ିକୁ ପ୍ରକାଶ କରିବା ପରେ ବିବାଦ ଦେଖାଯାଇଛି। କୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ କେମିତି ଗଣମାଧ୍ୟମରେ ସାର୍ବଜନୀନ ହେଲା ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି। ସେହିପରି ପ୍ରକୃତରେ ରିପୋର୍ଟରେ ଏ ସବୁ ତଥ୍ୟ ରହିଛି କି ନାହିଁ, ତା’କୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଦେଖାଯାଇଛି।

ଏହି ମାମଲାରେ ହିନ୍ଦୁ ଆବେଦନକାରୀ ମସଜିଦ ଭିତରେ ମୂର୍ତ୍ତି ଥିବା ଦାବି କରି ପୂଜାଚର୍ଚ୍ଚନା କରିବାକୁ ଅନୁମତି ମାଗିଛନ୍ତି। ସେମାନେ ଯେଉଁ ସବୁ ଦାବି କରୁଥିଲେ ଆଜି ଦାଖଲ ହୋଇଥିବା ରିପୋର୍ଟରେ ଅନୁରୂପ ତଥ୍ୟ ରହିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଜାତୀୟ ଗଣମାଧ୍ୟମର ଦାବି ଅନୁଯାୟୀ, ସର୍ଭେ ରିପୋର୍ଟରେ କୁହାଯାଇଛି ଯେ

୧-ମସଜିଦର ବେସ୍‌ ମେଣ୍ଟରେ ଥିବା ପିଲାର୍‌ରେ ବିଭିନ୍ନ ପ୍ରକାରର ଫୁଲ ଖୋଦେଇ ହୋଇଥିବା ବେଳେ ଗୋଟିଏ କଳସ ରହିଛି।

୨-ସନାତନ ଧର୍ମ ସହ ଜଡ଼ିତ ବିଭିନ୍ନ ପ୍ରକାରର ଖୋଦେଇ ମଧ୍ୟ ମସଜିଦ କାନ୍ଥରେ ରହିଛି।

୩-ମସଜିଦ ବେସ୍‌ମେଣ୍ଟର ଗୋଟିଏ ଖୁଣ୍ଟିରେ ପ୍ରାଚୀନ ହିନ୍ଦୀ ଭାଷାରେ ଖୋଦିତ ଚିତ୍ର ଦେଖିବାକୁ ମିଳିଛି।

୪-ବେସମେଣ୍ଟର କାନ୍ଥରୁ 'ତ୍ରିଶୂଳ' ଚିହ୍ନ ଠାବ ହୋଇଛି। ଏହାବାଦ ଡମ୍ଭୁର ଚିହ୍ନ ମଧ୍ୟ ଦେଖାଯାଇଛି।

୫-ମସଜିଦର ପଶ୍ଚିମ କାନ୍ଥ ନିକଟରୁ ସର୍ଭେ ଟିମ୍‌ ୨ଟି ବିଶାଳ ସ୍ତମ୍ଭ ଓ ଗୋଟିଏ ଗମ୍ବୁଜ ଠାବ କରିଛି। ଏହାକୁ ମନ୍ଦିରର ଅଂଶ ବୋଲି ଦାବି କରିଛନ୍ତି ହିନ୍ଦୁ ପକ୍ଷ। ତେବେ ମସଜିଦ ପକ୍ଷ ଏହାକୁ ବିରୋଧ କରିଛନ୍ତି।

୬-ମସଜିଦର ତୃତୀୟ ଡୋମ ତଳେ ଥିବା ପଥରରେ ପଦ୍ମ ଫୁଲ ଖୋଦେଇ ହୋଇଛି।

୭- ମସଜିଦରେ ନମାଜ ପୂର୍ବରୁ ୱଜୁ ପାଇଁ ବ୍ୟବହାର ହେଉଥିବା ପୋଖରୀରୁ ୨.୫ ଫୁଟ ଉଚ୍ଚତାର ଗୋଟିଏ ଗୋଲାକାର ବସ୍ତୁ ଠାବ ହୋଇଛି। ଏହାକୁ ଆବେଦନକାରୀ ଶିବଲିଙ୍ଗ କହୁଥିବା ବେଳେ ଏହାର ସତ୍ୟତା ଜଣାପଡ଼ିନି।

ଏହି ରିପୋର୍ଟକୁ ନେଇ ମସଜିଦ କମିଟି କୌଣସି ବିଧିବଦ୍ଧ ପ୍ରତିକ୍ରିୟା ଦେଇନାହିଁ। କିନ୍ତୁ ସର୍ଭେ ରିପୋର୍ଟ କୋର୍ଟରେ ଦାଖଲ ହୋଇଇଥିବା ବେଳେ ଏହା କେମିତି ଗଣମାଧ୍ୟମରେ ପ୍ରକାଶ ପାଇଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Related story