ଛୁଆ ଜନ୍ମ କରିବାକୁ ପୁଅ-ବୋହୂଙ୍କୁ କୋର୍ଟ ଟାଣିଲେ ବାପା ମା’, ୫ କୋଟିର ଧମକ ବି ଦେଲେ

ଡେରାଡୁନ: ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। କ’ଣ ପ୍ରକୃତିରେ ଏମିତି ହୋଇପାରେ? ହଁ, ଏମିତି ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଉତ୍ତରାଖଣ୍ଡର ହରିଦ୍ୱାରରୁ ଆସିଛି। ବାହାଘରର ୬ ବର୍ଷ ପରେ ମଧ୍ୟ ପୁଅ ବୋହୂ ଛୁଆ ଜନ୍ମ କରୁ ନଥିବାରୁ ବାଧ୍ୟହୋଇ ବୃଦ୍ଧ ଦମ୍ପତି କୋର୍ଟଙ୍କ ଆଶ୍ରୟ ନେଇଛନ୍ତି। ଯଦି ବର୍ଷକ ମଧ୍ୟରେ ସେମାନେ ଛୁଆ ନ କରିବେ, ତା’ହେଲେ ସେମାନଙ୍କୁ ୫ କୋଟି ଟଙ୍କାର କ୍ଷତିପୂରଣ ଧମକ ମଧ୍ୟ ବୃଦ୍ଧ ଦମ୍ପତି […]

couple

Hemant Lenka
  • Published: Thursday, 12 May 2022
  • , Updated: 12 May 2022, 02:29 PM IST

ଡେରାଡୁନ: ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। କ’ଣ ପ୍ରକୃତିରେ ଏମିତି ହୋଇପାରେ? ହଁ, ଏମିତି ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଉତ୍ତରାଖଣ୍ଡର ହରିଦ୍ୱାରରୁ ଆସିଛି। ବାହାଘରର ୬ ବର୍ଷ ପରେ ମଧ୍ୟ ପୁଅ ବୋହୂ ଛୁଆ ଜନ୍ମ କରୁ ନଥିବାରୁ ବାଧ୍ୟହୋଇ ବୃଦ୍ଧ ଦମ୍ପତି କୋର୍ଟଙ୍କ ଆଶ୍ରୟ ନେଇଛନ୍ତି।

ଯଦି ବର୍ଷକ ମଧ୍ୟରେ ସେମାନେ ଛୁଆ ନ କରିବେ, ତା’ହେଲେ ସେମାନଙ୍କୁ ୫ କୋଟି ଟଙ୍କାର କ୍ଷତିପୂରଣ ଧମକ ମଧ୍ୟ ବୃଦ୍ଧ ଦମ୍ପତି ଦେଇଛନ୍ତି। ଏନେଇ ସେମାନଙ୍କୁ କୋର୍ଟ ନୋଟିସ ପଠାଯିବ। ସ୍ଥାନୀୟ କୋର୍ଟ ବୃଦ୍ଧ ଦମ୍ପତିଙ୍କ ଆବେଦନକୁ ଗ୍ରହଣ କରିବା ସହ ଆସନ୍ତା ୧୫ ତାରିଖରେ ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।

ହରିଦ୍ୱାରରେ ରହୁଥିବା ଜଣେ ଅବସରପ୍ରାପ୍ତ ଭେଲ କର୍ମଚାରୀ ଓ ତାଙ୍କ ପତ୍ନୀ ଏପରି ଆବେଦନ କରିଛନ୍ତି। ସେମାନଙ୍କ ପୁଅ ଗୌହାଟୀରେ ପାଇଲଟ ଭାବେ କାମ କରୁଥିବା ବେଳେ ବୋହୂ ନୋଏଡାର ଗୋଟିଏ ଅଫିସରେ କାର୍ଯ୍ୟ କରନ୍ତି। ଉଭୟ ୬ ବର୍ଷ ତଳେ ବିବାହ କରିଥିଲେ ମଧ୍ୟ ଏଯାଏ ବୃଦ୍ଧ ଦମ୍ପତିଙ୍କୁ ନାତି କିମ୍ବା ନାତୁଣୀ ଦେଇ ପାରୁ ନାହାନ୍ତି। ଏଥିଯୋଗୁ ଉଭୟ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି।

ସେମାନେ ପୁଅ-ବୋହୂଙ୍କୁ ୫ କୋଟିର କ୍ଷତିପୂରଣର ଧମକ ଦେଇଛନ୍ତି। ପୁଅ ପାଠପଢ଼ା ଓ ବାହାଘର ପାଇଁ ଦମ୍ପତି ଟଙ୍କା ଖର୍ଚ୍ଚ କରିଥିବାରୁ ଏବେ ଏହାକୁ ସେମାନେ ଅସୁଲ କରିବାକୁ ଚାହୁଁଛନ୍ତି। ଦମ୍ପତିଙ୍କ ଓକିଲ ଅରବିନ୍ଦ ଶ୍ରୀ ବାସ୍ତବ କହିଛନ୍ତି, ଯଦି ବର୍ଷକ ମଧ୍ୟରେ ବୃଦ୍ଧ ଦମ୍ପତିଙ୍କ ପୁଅ ବୋହୂ ପିଲାଟିଏ ଦେଇ ନ ପାରିବେ, ତା’ହେଲେ ସେମାନଙ୍କୁ ୫ କୋଟି ଟଙ୍କାର ଫାଇନ ଦେବାକୁ ପଡ଼ିବ।

କାରଣ ପୁଅର ବାହାଘର ଦମ୍ପତି ପଞ୍ଚ ତାରକା ହୋଟେଲରେ କରିଥିଲେ। ଏଥିସହ ପୁଅକୁ ୬୦ ଲକ୍ଷ ଟଙ୍କାର ଗୋଟିଏ କାର ଉପହାର ଆକାରରେ ଦେଇଥିଲେ। ଏହାବାଦ ହନିମୁନ ପାଇଁ ସେମାନେ ଥାଇଲ୍ୟାଣ୍ଡ ଯାଇଥିଲେ। ଏଥିପାଇଁ ମଧ୍ୟ ଦମ୍ପତି ଟଙ୍କା ଟଙ୍କା ଖର୍ଚ୍ଚ କରିଥିଲେ। ଏହାକୁ ମିଶାଇ ମୋଟ ୫ କୋଟି ଟଙ୍କାର ମୋକଦ୍ଦମା କରାଯାଇଛି। ସ୍ଥାନୀୟ କୋର୍ଟ ଏହାକୁ ଗ୍ରହଣ କରିବା ସହ ମେ’ ୧୫ରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ବୋଲି ଓକିଲ ଜଣଙ୍କ ସୂଚନା ଦେଇଛନ୍ତି।

କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ୬୧ ବର୍ଷୀୟ ଅବସରପ୍ରାପ୍ତ କର୍ମଚାରୀ ଜଣଙ୍କ କହିଛନ୍ତି, “ମୋର ଗୋଟିଏ ମାତ୍ର ପୁଅ। ମୁଁ ମୋର ସବୁ ଟଙ୍କା ତା’ ପଛରେ ଖର୍ଚ୍ଚ କରିଛି। ୨୦୦୬ରେ ପାଇଲଟ ଟ୍ରେନିଂ କୋର୍ସ ପାଇଁ ମୁଁ ତା’କୁ ଆମେରିକା ପଠାଇଥିଲି। ଏଥିପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି।

ବିଦେଶରେ ଆର୍ଥିକ ସଙ୍କଟ ଯୋଗୁ ସେ ୨୦୦୭ରେ ଭାରତ ଆସିଥିଲା। ସେ ଚାକିରି ହରାଇବା ସହ ପ୍ରାୟ ୨ ବର୍ଷ ବେକାର ହୋଇ ବସିଥିଲା। ଏହି ସମୟରେ ମୁଁ ତା’କୁ ଆର୍ଥିକ ସ୍ତରରେ ସବୁ ପ୍ରକାରର ସହାୟତା କରିଥିଲି। ପରବର୍ତ୍ତୀ ଅବସ୍ଥାରେ ସେ ଗୋଟିଏ ଘରୋଇ ବିମାନ ସେବା ସଂସ୍ଥାରେ ପାଇଲଟ ଚାକିରି ପାଇବାରୁ ଆମେ ତା’କୁ ବାହାଘର କରାଇବାକୁ ନିଷ୍ପତ୍ତି ନେଇଥିଲୁ।

୨୦୧୬ରେ ତା’ର ବାହାଘର ହୋଇଥିଲା। ଆମର ଆଶା ଥିଲା ଅବସର ପରେ ଆମେ ନାତି/ନାତୁଣୀଙ୍କ ସହ ଖେଳିବାର ସୁଯୋଗ ପାଇବୁ। ହେଲେ ବାହାଘରକୁ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନେ ଛୁଆ କରୁ ନାହାନ୍ତି। ଆମେ ଅତ୍ୟନ୍ତ ମାନସିକ ନିର୍ଯାତନା ମଧ୍ୟରେ ରହିଛୁ।”

ସେ ଆହୁରି କହିଛନ୍ତି, “ଚାକିରି କରିବା ପାଇଁ ମୋ ପୁଅବୋହୂ ଅଲଗା ହୋଇ ରହୁଥିବାରୁ ଆମେ ଅତ୍ୟନ୍ତ କଷ୍ଟ ପାଉଛୁ। ଆମେ ଆମ ବୋହୂକୁ ନିଜ ଝିଅ ଭଳି ବ୍ୟବହାର କରିଛୁ। ସେ ଚାକିରି ପାଇଁ ଯଦି ଛୁଆର ଯନ୍ତ୍ର ନେଇ ପାରିବ ନାହିଁ, ତା’ହେଲେ ଆମେ ତା’କୁ ପାଳିବାକୁ ରାଜି ଅଛୁ। ତଥାପି ଆମ କଥା କେହି ବି ଶୁଣୁ ନାହାନ୍ତି। ଆମ ପାଖରେ ଥିବା ଟଙ୍କା ଏବେ ସରିବାକୁ ବସିଲାଣି। କାରଣ ପୁଅର ଭବିଷ୍ୟତ ପାଇଁ ଆମେ ସବୁ ଟଙ୍କା ଖର୍ଚ୍ଚ କରି ସାରିଛୁ।”

ଆଇନଜୀବୀଙ୍କ ମତରେ ସମ୍ଭବତଃ ଭାରତ ତଥା ଉତ୍ତରାଖଣ୍ଡରେ ଏପରି କେସ ପ୍ରଥମ। ବାପାମା’ଙ୍କ ଦୃଷ୍ଟିକୋଣରୁ ସେମାନଙ୍କ ଦାବି ଯର୍ଥାଥ। ସେମାନଙ୍କୁ ଆଶା ଭୁଲ ନୁହେଁ। କୋର୍ଟ ୧୫ ତାରିଖରେ ମାମଲାର ଶୁଣାଣି କରି ଅଭିଯୁକ୍ତ ଦମ୍ପତିଙ୍କୁ ନୋଟିସ କରିପାରନ୍ତି। ସେମାନଙ୍କ ଜବାବ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ କୋର୍ଟ ନେବେ ବୋଲି ଜଣାପଡ଼ିଛି।

Related story