ଅହମ୍ମଦାବାଦ: ନିଜ ମାଙ୍କ ଅନ୍ତିମ ସଂସ୍କାର ପରେ କର୍ମକ୍ଷେତ୍ରରୁ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମୋଦିଙ୍କ ମା’ ହୀରାବେନ ମୋଦିଙ୍କ ପରଲୋକ ପରେ ପ୍ରଧାନମନ୍ତ୍ରୀ ତାଙ୍କୁ କାନ୍ଧ ଦେଇ ଅନ୍ତିମ ସଂସ୍କାର କରିଥିଲେ। ଆଜି ଗାନ୍ଧିନଗରରେ ସମସ୍ତ ବିଧିବିଧାନ ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ ପରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଆଜି ତାଙ୍କ କାର୍ଯ୍ୟକ୍ଷେତ୍ରକୁ ତୁରନ୍ତ ଫେରିଆସିଛନ୍ତି। ଗାନ୍ଧୀନଗରରେ ମା ହୀରାବେନ୍ଙ୍କ ଶେଷକୃତ୍ୟ ସମ୍ପନ୍ନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବ-ନର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଭର୍ଚ୍ୟୁଆଲ୍ ଜରିଆରେ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳର ଶୁଭାରମ୍ଭ କରିବା ସହିତ କେତେକ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି।
୭,୮୦୦ କୋଟି ଟଙ୍କାର ପ୍ରକଳ୍ପକୁ ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ହାୱଡାରୁ ନୂଆ ଜଳପାଇଗୁଡ଼ିକୁ ସଂଯୋଗ କରୁଥିବା ପଥରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ଶୁଭାରମ୍ଭ କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ହାୱଡ଼ାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ଏହିପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମୋଦିଙ୍କ ମାଙ୍କ ପରଲୋକରେ ଶୋକବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ବିଶ୍ରାମ ନେବାକୁ ଉପଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ପତାକା ହଲାଇ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଶୁଭାରମ୍ଭ କରିବା ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ସମବେଦନା ଜଣାଇ କହିଥିଲେ, ଆମକୁ ଏହି ସୁଯୋଗ ଦେଇଥିବାରୁ ପଶ୍ଚିମବଙ୍ଗବାସୀଙ୍କ ପକ୍ଷରୁ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି। ମୋଦି କାର୍ଯ୍ୟକ୍ଷେତ୍ରକୁ ଫେରିବା ପରେ ବିଜେପି ନେତାମାନେ ତାରଙ୍କୁ ଜଣେ କର୍ମଯୋଗୀ ବୋଲି କହିଛନ୍ତି।
ମାତା ହୀରାବେନ୍ଙ୍କ ଶେଷକୃତ୍ୟ ସାରିବା କ୍ଷଣି ପ୍ରଧାନମନ୍ତ୍ରୀ ମୋଦି ଅହମଦାବାଦସ୍ଥିତ ରାଜଭବନରେ ପହଞ୍ଚିଥିଲେ। ସେଠାରେ ସେ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ କୋଲ୍କାତାର ହାୱଡ଼ାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳର ଶୁଭାରମ୍ଭ କରିଥିଲେ। ସୂଚନା ଅନୁଯାୟୀ, ବୁଧବାର ସକାଳେ ୧୦୦ ବର୍ଷୀୟ ହୀରା ବେନଙ୍କୁ ଅସୁସ୍ଥତା କାରଣରୁ ଅହମଦାବାଦରେ ଥିବା ସୁପର ସ୍ପେଶାଲିଟି ୟୁଏନ ମେହେତା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଓ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଡାକ୍ତରମାନେ କହିଥିଲେ। ଗୁଜରାଟ ସରକାର ମଧ୍ୟ ଗୋଟିଏ ବିବୃତିରେ ହୀରା ବେନ୍ ଖୁବଶୀଘ୍ର ଡିସଚାର୍ଜ ହେବେ ବୋଲି ସୂଚନା ଦେଇଥିଲେ। କିନ୍ତୁ ଆଜି ଭୋର ୩.୩୦ରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଥିଲେ। ମା’ ହୀରାବେନଙ୍କ ଦେହାନ୍ତ ଖବର ପାଇ ତୁରନ୍ତ ଦିଲ୍ଲୀରୁ ଅହମଦାବାଦରେ ପହଞ୍ଚିଥିଲେ। ମା’ଙ୍କୁ ଅନ୍ତିମ ଦର୍ଶନ କରିବା ପରେ ତାଙ୍କ ମରଶରୀରକୁ ନିଜ କାନ୍ଧରେ ବୋହିଥିଲେ। ୧୦୦ ବର୍ଷ ବୟସରେ ଆଖି ବୁଜିଥିବା ହୀରାବେନଙ୍କ ଅନ୍ତିମ ସଂସ୍କାର ଗାନ୍ଧି ନଗରରେ ସମ୍ପନ୍ନ ହୋଇଥିଲା।