ରାଜ୍ୟସଭାରେ ଗୁଲାମ ନବୀ ଆଜାଦଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନାଁରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲା ଆଜି ରାଜ୍ୟସଭାରେ ଉଠିଛି। ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ଏହି ପ୍ରସଙ୍ଗ ଉଠାଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଶଶି ଥରୁର ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଛନ୍ତି। ସେ ଭାରତକୁ ବିଦେଶରେ ପ୍ରତିନିଧିତ୍ୱ କରୁଛନ୍ତି। ଏପରି ସ୍ଥିତିରେ ସେ କେମିତି […]

fd

Hemant Lenka
  • Published: Wednesday, 03 February 2021
  • , Updated: 03 February 2021, 04:52 PM IST

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନାଁରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲା ଆଜି ରାଜ୍ୟସଭାରେ ଉଠିଛି। ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ଏହି ପ୍ରସଙ୍ଗ ଉଠାଇ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, ଶଶି ଥରୁର ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଛନ୍ତି। ସେ ଭାରତକୁ ବିଦେଶରେ ପ୍ରତିନିଧିତ୍ୱ କରୁଛନ୍ତି। ଏପରି ସ୍ଥିତିରେ ସେ କେମିତି ଭାରତ ବିରୋଧୀ ହୋଇଗଲେ? ଯଦି ସେ ଭାରତ ବିରୋଧୀ, ତା’ହେଲେ ଆମେ ସମସ୍ତେ ଦେଶଦ୍ରୋହୀ ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି।

ଏଥିସହ ସେ କେନ୍ଦ୍ର ସରକାର ତୁରନ୍ତ କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି। ସେ କହିଛନ୍ତି, “ମୁଁ ସରକାରଙ୍କ ନିକଟରେ ଦାବି କରୁଛି ଯେ ସେ ତୁରନ୍ତ ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରି ନିଅନ୍ତୁ। ଦିଲ୍ଲୀ ହିଂସାକାଣ୍ଡ ପରେ ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ସରକାର କମିଟି ଗଠନ କରନ୍ତୁ।

ଗଣତନ୍ତ୍ର ଦିବରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଯେଉଁ ଘଟଣା ଘଟିଥିଲା, ତା’କୁ ସମସ୍ତ ବିରୋଧୀ ଦଳର ନେତା ନିନ୍ଦା କରିଛନ୍ତି। ଏହା ଗଣତନ୍ତ୍ର ବିରୋଧୀ କାର୍ଯ୍ୟ। ଜାତୀୟ ପତାକାକୁ ଅସମ୍ମାନ କେବେ ଗ୍ରହଣୀୟ ନୁହେଁ। ତେଣୁ ଭୁଲ କରିଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

ନୂଆ କୃଷି ଆଇନ ଦ୍ୱାରା ଚାଷୀଙ୍କ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆଜାଦ କହିବା ସହ ସରକାର ଏହାକୁ ଏକ ସମ୍ମାନର ଲଢ଼େଇ ନ ଭାବି ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି କହିଛନ୍ତି। ଚାଷୀଙ୍କୁ ଅନ୍ନଦାତା ଭାବେ ଅବିହିତ କରି ସେ କହିଛନ୍ତି, ଚାଷୀଙ୍କ ସହ ମୁହାଁମୁହିଁ ହେବାର କୌଣସି ପ୍ରଶ୍ନ ଉଠୁନାହିଁ। ସରକାର ଚାଷୀଙ୍କ ସହ ବିବାଦ ସୃଷ୍ଟି କରିବା ପରିବର୍ତ୍ତେ ଦେଶର ଅର୍ଥନୀତି କେମିତି ଆଗକୁ ଯିବ, ସେବିଷୟରେ ଧ୍ୟାନ ଦିଅନ୍ତୁ ବୋଲି ଆଜାଦ ପରାମର୍ଶ ଦେଇଛନ୍ତି।

ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରାଯିବା ଓ ଧାରା ୩୭୦ ପ୍ରତ୍ୟାହାର ପ୍ରସଙ୍ଗରେ ମଧ୍ୟ ସେ ମତ ରଖିଛନ୍ତି। ସେ କହିଛନ୍ତି, ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ସହ ସେଠାରେ ତୁରନ୍ତ ବିଧାନସଭା ନିର୍ବାଚନ କରାଯାଉ। ସରକାର ଜମ୍ମୁ-କଶ୍ମୀରରେ ନେଇଥିବା ନିଷ୍ପତ୍ତିରେ ଲୋକମାନେ ଆଦୌ ଖୁସି ନାହାନ୍ତି। ଏହି କାରଣରୁ ବିକାଶମୂଳକ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଛି। ତେଣୁ ସରକାର ଜମ୍ମୁ-କଶ୍ମୀର ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।

Related story