୧୧ ଦୁଷ୍କର୍ମକାରୀଙ୍କୁ ଜେଲରୁ ଛାଡ଼ିଥିବା ପ୍ୟାନେଲରେ ବିଜେପିର ୫ ଜଣ!

ଗୋଧ୍ରା: ଗୁଜରାଟ ଦଙ୍ଗା ବେଳେ ବିଲକିସ ବାନୋଙ୍କୁ ଦୁଷ୍କର୍ମ ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ଏବେ ଜେଲରୁ ବାହାରି ମୁକ୍ତ ଜୀବନ ବିତାଉଛନ୍ତି। ସେମାନଙ୍କୁ ଏହି ବର୍ବରକାଣ୍ଡ ପାଇଁ ୧୫ ବର୍ଷ ତଳେ ଆଜୀବନ ଜେଲଦଣ୍ଡ ମିଳିଥିଲା। ହେଲେ ସ୍ୱାଧୀନତା ଦିବସରେ ଗୁଜରାଟ ସରକାରଙ୍କ ସ୍ୱତନ୍ତ୍ର ପ୍ୟାନେଲର ପରାମର୍ଶକ୍ରମେ ସେମାନଙ୍କୁ କ୍ଷମା ନୀତି ଅନୁସାରେ ଜେଲରୁ ଖଲାସ କରି ଦିଆଯାଇଛି। ଏହାକୁ ନେଇ ବିବାଦ ଚାଲିଥିବା […]

Jail

  • Published: Friday, 19 August 2022
  • , Updated: 19 August 2022, 06:42 PM IST

ଗୋଧ୍ରା: ଗୁଜରାଟ ଦଙ୍ଗା ବେଳେ ବିଲକିସ ବାନୋଙ୍କୁ ଦୁଷ୍କର୍ମ ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ଏବେ ଜେଲରୁ ବାହାରି ମୁକ୍ତ ଜୀବନ ବିତାଉଛନ୍ତି। ସେମାନଙ୍କୁ ଏହି ବର୍ବରକାଣ୍ଡ ପାଇଁ ୧୫ ବର୍ଷ ତଳେ ଆଜୀବନ ଜେଲଦଣ୍ଡ ମିଳିଥିଲା। ହେଲେ ସ୍ୱାଧୀନତା ଦିବସରେ ଗୁଜରାଟ ସରକାରଙ୍କ ସ୍ୱତନ୍ତ୍ର ପ୍ୟାନେଲର ପରାମର୍ଶକ୍ରମେ ସେମାନଙ୍କୁ କ୍ଷମା ନୀତି ଅନୁସାରେ ଜେଲରୁ ଖଲାସ କରି ଦିଆଯାଇଛି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି।

ଗୁଜରାଟ ସରକାର ଗଠନ କରିଥିବା ୧୦ ଜଣିଆ ପ୍ୟାନେଲ ହିଁ ୧୧ ଦୁଷ୍କର୍ମକାରୀଙ୍କୁ କ୍ଷମା ନୀତିରେ ଖଲାସ କରିବାକୁ ପ୍ରସ୍ତାବ ଦେଇଥିଲା। ଏହି ୧୦ ଜଣିଆ ପ୍ୟାନେଲରେ ଥିବା ୫ ଜଣ ସଦସ୍ୟଙ୍କ ଲିଙ୍କ ରାଜ୍ୟରେ କ୍ଷମତାସୀନ ବିଜେପି ସହ ରହିଛି। ପ୍ୟାନେଲରେ ଥିବା ସଦସ୍ୟଙ୍କ ସମ୍ପର୍କରେ ଏକ ସରକାରୀ ଦସ୍ତାବିଜ୍‌ ଏବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଏହି ଦସ୍ତାବିଜ ଅନୁସାରେ, ସରକାର ଗଠନ କରିଥିବା ୧୦ ଜଣିଆ ପ୍ୟାନେଲରେ ୨ ଜଣ ହେଉଛନ୍ତି ବିଜେପି ବିଧାୟକ। ସେହିପରି ଜଣେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଓ ବାକି ୨ ଜଣଙ୍କ ସମ୍ପର୍କ ବିଜେପି ସହ ରହିଛି।

ପ୍ୟାନେଲରେ ଥିବା ବିନୀତା ଲେଲେଙ୍କୁ ସରକାର ସମାଜିକ କର୍ମୀ ଭାବେ ଦର୍ଶାଇଛନ୍ତି। ହେଲେ ତାଙ୍କର ସୋଶାଲ ମିଡିଆ ଆକାଉଣ୍ଟରେ ସେ ଜଣେ ବିଜେପି ସଦସ୍ୟ ବୋଲି ଉଲ୍ଲେଖ ରହିଛି। ସେହିପରି ଆଉ ଜଣେ ତଥା କଥିତ ସାମାଜିକ କର୍ମୀ ହେଲେ ପବନଭାଇ ସୋନି। ରାଜ୍ୟ ବିଜେପିର ୱେବ ପୃଷ୍ଠାରେ ସୋନି ହେଉଛନ୍ତି ଦଳର କାର୍ଯ୍ୟକାରିଣୀ କମିଟିର ସଦସ୍ୟ ବୋଲି ଲେଖା ଯାଇଛି। ତାଙ୍କ ଠିକଣା ଓ ଫୋନ ନମ୍ବର ଗୁଜରାଟ ବିଜେପିର ୱେବସାଇଟରେ ରହିଛି। ସେ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ହେଲେ ବିଜେପି ସହ ତାଙ୍କର ଲିଙ୍କକୁ ସେ ସିଧାସଳଖ ମନା କରି ନାହାନ୍ତି।

ପ୍ୟାନେଲରେ ରହିଥିବା ଆଉ ଜଣେ ସାମାଜିକ କର୍ମୀ ହେଲେ ସର୍ଦ୍ଦାର ସିଂହ ପଟେଲ। ସେ ମଧ୍ୟ ବିଜେପିର ଜଣେ ସଦସ୍ୟ। ତାଙ୍କ ନମ୍ବର ଗୋଧ୍ରାରେ ଥିବା ବିଜେପି ଅଫିସରୁ ମିଳିଛି। ପ୍ୟାନେଲରେ ଥିବା ଦୁଇ ବିଜେପି ବିଧାୟକ ହେଲେ ସିକେ ରାଉଲଜୀ ଓ ସୁମାବେନ ଚୌହାନ।

ରାଜନୀତିକ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ପ୍ୟାନେଲରେ ଜେଲ ସୁପରିନଟେଣ୍ଡେଣ୍ଟ, ଜିଲ୍ଲା ପୁଲିସ୍‌ ସୁପରିନଟେଣ୍ଡେଣ୍ଟ, ଜିଲ୍ଲା ଜଜ, ଜିଲ୍ଲା ସାମାଜିକ କଲ୍ୟାଣ ବୋର୍ଡର ଜଣେ ଅଫିସର ଓ ପଞ୍ଚମହଲ ଜିଲ୍ଲା ମାଜିଷ୍ଟ୍ରେଟ ରହିଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ ପ୍ୟାନେଲ ଗଠନ ହୋଇଥିଲା।

ଜିଲ୍ଲା ମାଜିଷ୍ଟ୍ରେଟ ସୁଜଲ ମାୟାତ୍ର କହିଛନ୍ତି, ଏହି କମିଟି ଉକ୍ତ କେସ୍‌(ବିଲକିସ ବାନୋ)ଙ୍କ ମାମଲାର ବିଚାର କରିବା ପାଇଁ ନିର୍ଦ୍ଦିଷ୍ଟ ଭାବେ ଗଠନ କରାଯାଇ ନଥିଲା। କାର୍ଯ୍ୟରତ ଜେଲ ପରାମର୍ଶଦାତା କମିଟି ହିଁ ଏପରି କ୍ଷମା ନୀତି ବା କ୍ଷମା ଆବେଦନ ଉପରେ ଚୂଡ଼ାନ୍ତ ବିଚାର କରିଥିଲା ବୋଲି ସେ କହିଛନ୍ତି।

କ’ଣ ସର୍ବସମ୍ମତିକ୍ରମେ ୧୧ ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରିବାକୁ ମତ ଦିଆଯାଇଥିଲା ବୋଲି ପ୍ରଶ୍ନର ଉତ୍ତର ଜିଲ୍ଲା ମାଜିଷ୍ଟ୍ରେଟ ଦେଇ ନାହାନ୍ତି। କିନ୍ତୁ ଦୁଷ୍କର୍ମକାରୀ କେତେ ଦିନ ଜେଲରେ ରହିଛନ୍ତି, ଜେଲ ଭିତରେ ଓ ବାହାରେ ସେମାନଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି କ୍ଷମା ଆବେଦନକୁ ଅନୁମତି ଦିଆଯାଇଥିବା ସେ କହିଛନ୍ତି।

ଜିଲ୍ଲା ମାଜିଷ୍ଟ୍ରେଟ ସରକାରଙ୍କ ଭଳି ୧୯୯୨ କ୍ଷମା ନୀତି ଅନୁସାରେ ୧୧ ଦୁଷ୍କର୍ମକାରୀଙ୍କୁ ଖଲାସ କରିବାକୁ କୁହାଯାଇଥିଲା ବୋଲି କହିଛନ୍ତି।

Related story