ରାଞ୍ଚି: ଲୋକଙ୍କ ସମସ୍ୟା ବୁଝିବା ଓ ଶୁଣିବା ପାଇଁ ଗଣତନ୍ତ୍ରରେ ନେତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ହେଲେ ଥରେ ଭୋଟ୍ ପାଇବା ନେତାଙ୍କ ଆଚରଣ ଓ ଉଚ୍ଚାରଣରେ କେତେ ଫରକ ଆସେ ତାହା ସମସ୍ତଙ୍କୁ ବେଶ ଜଣା। କିନ୍ତୁ ବେଳେ ବେଳେ ନିର୍ବାଚିତ ପ୍ରତିନିଧିଙ୍କ ବୟାନ ତାଙ୍କୁ ବାଛିଥିବା ଲୋକଙ୍କ ପାଇଁ ଉପହାସ ଲାଗେ। ଠିକ୍ ସେମିତି ଏକ ହାଲୁକା ଓ ଲଜ୍ଜାହୀନ ମନ୍ତବ୍ୟ ଦେଇଛନ୍ତି଼ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଇ ବସନ୍ତ ସୋରେନ୍। ନିଜ ନିର୍ବାଚନମଣ୍ଡଳୀ ଦୁମକାରେ ଦୁଇ ଦୁଇଟି ସମ୍ବେଦନଶୀଳ ଘଟଣାକୁ ନେଇ ପ୍ରତିକ୍ରିୟା ମାଗିବାରୁ ସେ ଅତି ହାଲୁକା ଭାବେ ଉତ୍ତର ଦେଇଥିଲେ। ଦିଲ୍ଲୀ କଣ ପାଇଁ ଯାଇଥିଲେ ବୋଲି ପ୍ରଶ୍ନ ହେବାରୁ କିଛି ଅନ୍ତଃବସ୍ତ୍ର କିଣିବାକୁ ଯାଇଥିବା କହିଥିଲେ। ତାଙ୍କର ଏହି ନିମ୍ନସ୍ତରର ମନ୍ତବ୍ୟକୁ ନେଇ ରାଜନୀତିକ ଝଡ଼ ସୃଷ୍ଟି ହୋଇଛି । ବିରୋଧୀ ତାଙ୍କ ବୟାନ ଉପରେ ଜୋରଦାର ନିଶାନା କରିଛନ୍ତି।
ସୂଚନା ଅନୁଯାୟୀ ଝାଡ଼ଖଣ୍ଡରେ ଏବେ ରାଜନୈତିକ ଅସ୍ଥିର ଲାଗି ରହିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମଏମ ମିଳିତ ସରକାର ପ୍ରତି ସଙ୍କଟ ସୃଷ୍ଟି ହୋଇଛି। ଅଫିସ୍ ଅଫ୍ ପ୍ରଫିଟ୍ରେ ଫସିଥିବା ହେମନ୍ତ ସୋରେନଙ୍କ ଆସନ ଉପରୁ ସମ୍ପୂର୍ଣ୍ଣ ବିପଦ ଟଳି ନାହିଁ। ତାଙ୍କ ବିରୋଧରେ ବିଧାୟକ ସଦସ୍ୟତା ପଦ ରଦ୍ଦ ପାଇଁ ସୁପାରିଶ ହୋଇଛି। ହେଲେ ଏଯାଏଁ ରାଜ୍ୟପାଳ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇ ନାହାନ୍ତି। ଏହି ରାଜନୈତିକ ଡ୍ରାମାବାଜି ମଧ୍ୟରେ ଝାଡ଼ଖଣ୍ଡରେ ହୋଇଥିବା ଆସ୍ଥା ଭୋଟରେ ଜିତିଛନ୍ତି ହେମନ୍ତ ସୋରେନ୍। ତେବେ ନିକଟରେ ଝାଡ଼ଖଣ୍ଡର ଦୁମକାରେ ଘଟିଥିବା ଦୁଇଟି ସମ୍ବେଦନଶୀ ଘଟଣା ସାରା ଦେଶରେ ଆଲୋଡ଼ନ ସଷ୍ଟି କରିଛି ।
ଗୋଟିଏ ହେଉଛି ଏକତରଫା ପ୍ରେମକୁ ନେଇ ପେଟ୍ରୋଲ ଢାଳି ହତ୍ୟା ଏବଂ ଅନ୍ୟଟି ଜଣେ ମୁସଲିମ ଝିଅକୁ ଦୁଷ୍କର୍ମ କରି ହତ୍ୟା। ଦୁମକା ହେଉଛି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଇ ବସନ୍ତ ସୋରେନଙ୍କ ନିର୍ବାଚନମଣ୍ଡଳୀ। କିନ୍ତୁ ନିଜ ଅଞ୍ଜଳର ଦୁଇ ଦୁଇଟି ପ୍ରମୁଖ ଘଟଣା ଘଟିଥିବା ବେଳେ ବସନ୍ତଙ୍କ ଦେଖା ମିଳି ନଥିଲା। ଏବେ ସେ ଦିଲ୍ଲୀ ଫେରିବାରୁ ଗଣମାଧ୍ୟମ ପ୍ରତିନିଧି ତାଙ୍କ ପ୍ରତିକ୍ରିୟା ନେଇଥିଲେ। ଉତ୍ତରରେ ବସନ୍ତ କହିଥିଲେ ଯେ, ମୁଁ କିଛି ଅନ୍ତଃବସ୍ତ୍ର କିଣିବା ପାଇଁ ଦିଲ୍ଲୀ ଯାଇଥିଲା। ସେଠରେ ସପିଂ କଲି ମଧ୍ୟ। ତେଣୁ ମୁଁ ପୀଡ଼ିତାଙ୍କ ଘରକୁ ଭେଟିବାକୁ ଯାଇ ପାରି ନଥିଲି। ଅତ୍ୟନ୍ତ ହସ ହସ ମୁହଁରେ ଖାମଆଲି ଭାବେ ମନ୍ତବ୍ୟ ଦେଇଥିଲେ ବସନ୍ତ। ଯାହା ପୀଡ଼ିତାଙ୍କ ପରିବାର ପ୍ରତି ଉପହାସ ବୋଲି କୁହାଯାଉଛି।