କେନ୍ଦ୍ର ସରକାରଙ୍କ ପରାମର୍ଶ: ଏଣିକି ଘରେ ରହିଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ଦ୍ୱିତୀୟ ଲହର ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଜି କେନ୍ଦ୍ର ସରକାର ମାସ୍କ ପିନ୍ଧିବା ଉପରେ ପୁଣି ଗୁରୁତ୍ୱ ଦେଇଛନ୍ତି। ପୂର୍ବରୁ ବାହାରକୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିବା କେନ୍ଦ୍ର ସରକାର ଏବେ ଘରେ ରହିଲେ ବି ମାସ୍କ ପିନ୍ଧିବାକୁ କହିଛନ୍ତି। ଏହି ଅଭ୍ୟାସ ଏବେ ଠାରୁ ଆରମ୍ଭ କଲେ ଭଲ। କରୋନାର ଦ୍ୱିତୀୟ ଲହରରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା […]

Mask

Hemant Lenka
  • Published: Monday, 26 April 2021
  • , Updated: 26 April 2021, 06:10 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ଦ୍ୱିତୀୟ ଲହର ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଜି କେନ୍ଦ୍ର ସରକାର ମାସ୍କ ପିନ୍ଧିବା ଉପରେ ପୁଣି ଗୁରୁତ୍ୱ ଦେଇଛନ୍ତି। ପୂର୍ବରୁ ବାହାରକୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିବା କେନ୍ଦ୍ର ସରକାର ଏବେ ଘରେ ରହିଲେ ବି ମାସ୍କ ପିନ୍ଧିବାକୁ କହିଛନ୍ତି। ଏହି ଅଭ୍ୟାସ ଏବେ ଠାରୁ ଆରମ୍ଭ କଲେ ଭଲ। କରୋନାର ଦ୍ୱିତୀୟ ଲହରରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ନିହାତି ଜରୁରୀ ବୋଲି କେନ୍ଦ୍ର ସରକାର ଆଜି କହିଛନ୍ତି।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗ ସଦସ୍ୟ ଭିକେ ପଲ୍‌ କହିଛନ୍ତି, ବର୍ତ୍ତମାନ ସମୟରେ ଲୋକମାନେ ନିଜ ନିଜର ଘରେ ରହିବା ବେଳେ ମଧ୍ୟ ମାସ୍କ ପରିଧାନ କରନ୍ତୁ। ଲୋକମାନେ କରୋନାର ଦ୍ୱିତୀୟ ଲହରକୁ ନେଇ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ଅଯଥା ଆତଙ୍କିତ ହେବା ଭଲ ବଦଳରେ ଖରାପ ସ୍ଥିତି ସୃଷ୍ଟି କରିବ।

ଏବେ କରୋନାର ଯେଉଁ ସ୍ଥିତି ରହିଛି, ଦୟାକରି ଅଯଥାରେ ଘରୁ ପାଦ କାଢ଼ନ୍ତୁ ନାହିଁ। ଏପରି କି ଘରେ ପରିବାର ଲୋକଙ୍କ ସହ ରହିବା ବେଳେ ମାସ୍କ ପିନ୍ଧନ୍ତୁ। ମାସ୍କ ପିନ୍ଧିବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବାହାର ଲୋକଙ୍କୁ ନିଜ ଘରକୁ ଡାକନ୍ତୁ ନାହିଁ। ଯଦି ପରିବାରରେ କେହି କୋଭିଡ ପଜିଟିଭ ରୋଗୀ ଅଛନ୍ତି, ତା’ହେଲେ ସଂପୃକ୍ତ ବ୍ୟକ୍ତି ଘରେ ରହିଲେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ।

କାରଣ ଘର ମଧ୍ୟରେ ଥିବା ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କ ଦ୍ୱାରା ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ମୁଁ ସମସ୍ତଙ୍କୁ କହିବେ ଯେ ଘର ମଧ୍ୟରେ ରହୁଥିବା ଲୋକମାନେ ଏବେଠାରୁ ମାସ୍କ ପିନ୍ଧିବା ଆରମ୍ଭ କରନ୍ତୁ। ଏହା ବର୍ତ୍ତମାନ ସମୟର ଆବଶ୍ୟକତା। ଆମେ ପୂର୍ବରୁ ଘର ବାହାରେ ମାସ୍କ ପିନ୍ଧିବା କଥା କହୁଥିଲୁ। କିନ୍ତୁ ଏବେ ସଂକ୍ରମଣ ବ୍ୟାପିଚାଲିଛି। ତେଣୁ ଲୋକମାନେ ଘର ରହିଲେ ବି ମାସ୍କ ପିନ୍ଧନ୍ତୁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଆମେ ଟିକାକରଣର କାର୍ଯ୍ୟକ୍ରମକୁ କେବେ ହେଲେ ଧିମା କରିବା ନାହିଁ। ବରଂ ଏହାକୁ ଅଧିକ ତ୍ୱାରାନ୍ୱିତ କରିବା। ଏବେ ପ୍ରଶ୍ନ କରାଯାଉଛି ଯେ ମହିଳାଙ୍କ ଋତୁଶ୍ରାବ ବେଳେ ସେମାନେ ଟିକା ନେଇପାରିବେ କି ନାହିଁ? ଏହାର ଉତ୍ତର ହେଉଛି ହଁ। ଋତୁଶ୍ରାବ ବେଳେ ମଧ୍ୟ ମହିଳାମାନେ ଟିକା ନେଇପାରିବେ। ଏହି କାରଣ ପାଇଁ ଟିକାକରଣ ବନ୍ଦ ହେବନାହିଁ। ଆମକୁ ଯେକୌଣସି ପରିସ୍ଥିତିରେ ବି ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରି କରୋନାକୁ ହରାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ କହିଛନ୍ତି, “ଅକ୍ସିଜେନ ପାଇଁ ଆଦୌ କେହି ବି ଆତଙ୍କିତ ହୁଅନ୍ତୁ ନାହିଁ। ଏହାର ପରିବହନ ପାଇଁ ହେଉଥିବା ସମସ୍ୟାର ସମାଧାନ ଆମେ କରୁଛୁ। ଭାରତ ସରକାର ବିଦେଶରୁ ଅକ୍ସିଜେନ ଟ୍ୟାଙ୍କର କିଣିବା ପାଇଁ ଅର୍ଡର ଦେଇଛନ୍ତି।

ଅକ୍ସିଜେନ ଟ୍ୟାଙ୍କର ପରିବହନ ହିଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ସରକାର ଜିପିଏସ୍ ଜରିଆରେ ଟ୍ୟାଙ୍କର ଗୁଡ଼ିକର ଗତିବିଧି ଉପରେ ନଜର ରଖିଛନ୍ତି। ଅକ୍ସିଜେନ ଗାଡ଼ିଗୁଡ଼ିକୁ ଆମ୍ବୁଲାନ୍ସ ଭଳି ସେବା ମିଳିବା ଉଚିତ। ଅକ୍ସିଜେନ ପରିବହନ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଓ ଗ୍ରୀନ କରିଡର କରାଯାଉ।”

Related story