ଜଗଦୀପ ଧନଖଡ଼ ଉପ-ରାଷ୍ଟ୍ରପତି ନିର୍ବାଚିତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଦେଶର ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଛନ୍ତି। ଏନ୍‌ଡିଏରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଧନଖଡ଼ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରିଛନ୍ତି। ସେ ମାର୍ଗାରେଟ ଆଲଭାଙ୍କୁ ୩୪୬ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସଂସଦ ଭବନରେ ଭୋଟ୍ ଗ୍ରହଣ ହୋଇଥିଲା। ମୋଟ ୭୮୦ ଜଣ ସାଂସଦଙ୍କ ମଧ୍ୟରୁ ୭୨୫ ଜଣ ଭୋଟ୍ ଦେଇଥିଲେ। ଅର୍ଥାତ୍ ପ୍ରାୟ ୯୩% ସାଂସଦ ସେମାନଙ୍କ ମତ […]

Jagdeep Dhankar

  • Published: Saturday, 06 August 2022
  • , Updated: 06 August 2022, 08:47 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଦେଶର ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଛନ୍ତି। ଏନ୍‌ଡିଏରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଧନଖଡ଼ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରିଛନ୍ତି। ସେ ମାର୍ଗାରେଟ ଆଲଭାଙ୍କୁ ୩୪୬ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି।

ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସଂସଦ ଭବନରେ ଭୋଟ୍ ଗ୍ରହଣ ହୋଇଥିଲା। ମୋଟ ୭୮୦ ଜଣ ସାଂସଦଙ୍କ ମଧ୍ୟରୁ ୭୨୫ ଜଣ ଭୋଟ୍ ଦେଇଥିଲେ। ଅର୍ଥାତ୍ ପ୍ରାୟ ୯୩% ସାଂସଦ ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ସନ୍ଧ୍ୟା ୬ଟା ବେଳେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ଜଗଦୀପ ଧନଖଡ଼ଙ୍କୁ ୫୨୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଆଲଭାଙ୍କୁ ମାତ୍ର ୧୮୨ ଖଣ୍ଡ ଭୋଟ୍ ମିଳିଥିଲା। ୧୫ଟି ଭୋଟ୍‌ ନାକଚ ହୋଇଯାଇଥିବା ସୂଚନା ମିଳିଛି।

ତୃଣମୂଳ କଂଗ୍ରେସର ୩୪ ଜଣ ସାଂସଦ ଏହି ନିର୍ବାଚନରେ ସେମାନଙ୍କ ମତ ସାବ୍ୟସ୍ତ କରି ନାହାନ୍ତି। ଏ ନେଇ ପୂର୍ବରୁ ଦଳର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଥିଲେ। ଆଲଭାଙ୍କ ନାମ ମିଳିତ ବିରୋଧୀଙ୍କ ପ୍ରାର୍ଥୀ ଭାବେ ଘୋଷଣା କରିବା ପୂର୍ବରୁ ତାଙ୍କ ଦଳର ମତାମତ ନିଆଯାଇ ନଥିଲା ବୋଲି କହିଥିଲେ ମମତା। ତେବେ ଦଳର ଦୁଇ ସାଂସଦ ଶିଶିର ଅଧିକାରୀ ଓ ଦିବ୍ୟେନ୍ଦୁ ଅଧିକାରୀ ଭୋଟ୍‌ ଦେଇଥିଲେ। ସ୍ୱାସ୍ଥ୍ୟଗତ କାରଣରୁ ବିଜେପି ସାଂସଦ ସନ୍ନି ଦେଓଲ ଓ ସଞ୍ଜୟ ଧୋତ୍ରେ ଭୋଟ୍ ଦେବାକୁ ଆସି ନଥିଲେ।

ଫଳାଫଳ ଆସିବା ପରେ ଦିଲ୍ଲୀର ୧୧ ଆକବର ରୋଡ୍‌ରେ ବିଜେପି ନେତା ଓ କର୍ମୀ ଏକତ୍ର ହୋଇ ବିଜୟୋତ୍ସବ ପାଳନ କରୁଛନ୍ତି। ବାଣ ଫୁଟାଇବା ସହ ପରସ୍ପରକୁ ଲଡୁ ବାଣ୍ଟୁଛନ୍ତି। ଅନ୍ୟପକ୍ଷରେ ସୋସାଲ ମିଡିଆରେ ଧନଖଡ଼ଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପରାଜିତ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲ୍‌ଭା, ସାଂସଦ ରାହୁଲ ଗାନ୍ଧି, କଂଗ୍ରେସ ନେତା ଆନନ୍ଦ ଶର୍ମା ଓ ଏନ୍‌ସିପି ମୁଖ୍ୟ ଶରଦ ପାୱାର ପ୍ରମୁଖ ଟ୍ୱିଟ୍ କରି ଶ୍ରୀ ଧନଖଡ଼ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟ ଶ୍ରୀ ଧନଖଡ଼ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସାଂସଦ, ବିଧାୟକ ଓ ରାଜ୍ୟପାଳ ପରେ ଉପ-ରାଷ୍ଟ୍ରପତି 

୭୧ ବର୍ଷୀୟ ଜଗଦୀପ ଧନଖଡ଼ଙ୍କ ଘର ରାଜସ୍ଥାନରେ। ସେ ସୈନିକ ସ୍କୁଲରେ ପାଠପଢ଼ିଥିଲେ। ସେ ରାଜସ୍ଥାନ ବିଶ୍ୱବିଦ୍ୟାଳରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଏଲ୍‌ଏଲ୍‌ବି କରିଥିଲେ। ସେ ଜଣେ ଆଡ୍‌ଭୋକେଟ୍ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ରାଜସ୍ଥାନ ହାଇକୋର୍ଟ ସହିତ ସୁପ୍ରିମକୋର୍ଟରେ ଆଡ୍‌ଭୋକେଟ୍ ଭାବେ ଅନେକ ମାମଲା ଲଢ଼ିଛନ୍ତି।

୧୯୮୯ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଜନତା ଦଳ ଟିକେଟ୍‌ରେ ସେ ରାଜସ୍ଥାନର ଝୁନ୍‌ଝୁନୁ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ତାଙ୍କର ଏହି କାର୍ଯ୍ୟକାଳ ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ରହିଥିଲା। ଏହା ମଧ୍ୟରେ ୧୯୯୦ରୁ ୧୯୯୧ ପର୍ଯ୍ୟନ୍ତ ସେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ମନ୍ତ୍ରିମଣ୍ଡଳରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପରେ ୧୯୯୩ରେ ସେ କିଶନଗଡ଼ରୁ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସେ ବିଧାୟକ ରହିଥିଲେ। ଜନତାଦଳ ଓ କଂଗ୍ରେସ ସହିତ ସଂଶ୍ଲୀଷ୍ଟ ଥିବା ଶ୍ରୀ ଧନଖଡ଼ ୨୦୦୮ରେ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ରେ ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। 

 

 

Related story