ସାମ୍ବାଦିକ ପ୍ରିୟା ଦୋଷମୁକ୍ତ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦାଖଲ କରିଥିଲେ ମାନହାନୀ କେସ୍

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଜେ ଆକବର ସାମ୍ବାଦିକ ପ୍ରିୟା ରମାନିଙ୍କ ବିରୋଧରେ ରୁଜୁ କରିଥିବା ଅପରାଧିକ ମାନହାନୀ ମାମଲାକୁ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ଖାରଜ କରି ଦେଇଛନ୍ତି। ଏମଜେ ଆକବର ଆଣିଥିବା ଅଭିଯୋଗର କୌଣସି ପ୍ରମାଣ ନଥିବାରୁ ପ୍ରିୟାଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ୨୦୧୮ରେ ମିଠୁ ଅଭିଯାନ ଚାଲିଥିବା ବେଳେ ପ୍ରିୟା ସୋଶାଲ ମିଡିଆରେ ଆକବରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ। ସେତେବେଳେ ଏମଜେ ଆକବର କେନ୍ଦ୍ର ସରକାରରେ ମନ୍ତ୍ରୀ ଥିଲେ। ବିବାଦ ଯୋଗୁ […]

Priya

Hemant Lenka
  • Published: Wednesday, 17 February 2021
  • , Updated: 17 February 2021, 04:02 PM IST

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଜେ ଆକବର ସାମ୍ବାଦିକ ପ୍ରିୟା ରମାନିଙ୍କ ବିରୋଧରେ ରୁଜୁ କରିଥିବା ଅପରାଧିକ ମାନହାନୀ ମାମଲାକୁ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ଖାରଜ କରି ଦେଇଛନ୍ତି। ଏମଜେ ଆକବର ଆଣିଥିବା ଅଭିଯୋଗର କୌଣସି ପ୍ରମାଣ ନଥିବାରୁ ପ୍ରିୟାଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି।

୨୦୧୮ରେ ମିଠୁ ଅଭିଯାନ ଚାଲିଥିବା ବେଳେ ପ୍ରିୟା ସୋଶାଲ ମିଡିଆରେ ଆକବରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ। ସେତେବେଳେ ଏମଜେ ଆକବର କେନ୍ଦ୍ର ସରକାରରେ ମନ୍ତ୍ରୀ ଥିଲେ। ବିବାଦ ଯୋଗୁ ତାଙ୍କ ମନ୍ତ୍ରୀ ପଦ ମଧ୍ୟ ଯାଇଥିଲା। ତେବେ ପ୍ରିୟା ଆଣିଥିବା ଅଭିଯୋଗକୁ ବିରୋଧ କରି ଆକବର ତାଙ୍କ ନାଁରେ ଅପରାଧିକ ମାନହାନୀ ମାମଲା କରିଥିଲେ।

ଆକବର ଆବେଦନରେ କହିଥିଲେ ଯେ ପ୍ରିୟା ରମାନି ମିଥ୍ୟା ଅଭିଯୋଗ ଆଣି ତାଙ୍କ ସାମାଜିକ ଛବିକୁ ଖରାପ କରିଛନ୍ତି। ତେବେ ପ୍ରିୟା ୨୦୧୭ରେ ଗୋଟିଏ ସ୍ତମ୍ଭ ଓ ୨୦୧୮ରେ ଗୋଟିଏ ଟ୍ୱିଟ କରି ଆକବର ତାଙ୍କ ସହ କ’ଣ କରିଥିଲେ, ସେ କଥା କହିଥିଲେ।

ଆଜି କୋର୍ଟ କହିଛନ୍ତି, ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ମହିଳା ସ୍ୱର ଉଠାଇଲେ, ତାଙ୍କୁ ଦଣ୍ଡ ଦିଆଯାଇ ପାରିବ ନାହିଁ। ଭାରତୀୟ ସମ୍ବିଧାନ ମହିଳାମାନଙ୍କୁ ସେମାନଙ୍କ ସହ ଘଟିଥିବା ଘଟଣାକୁ ଯେକୌଣସି ସ୍ଥାନରେ ଓ ଯେ କୌଣସି ସମୟରେ ଉଠାଇ ପାରିବାର ଅଧିକାର ଦେଇଛି।

ଅଧିକାଂଶ ଯୌନ ନିର୍ଯାତନା ସମସ୍ତଙ୍କ ନଜର ଆଢ଼ୁଆଳରେ ହେଉଛି ବୋଲି ଆମକୁ ମନେ ରଖିବାକୁ ପଡ଼ିବ। ମର୍ଯ୍ୟାଦା ଓ ଚରିତ୍ର ସଂହାର କରାଯାଉଥିବାରୁ ଅଧିକାଂଶ ମହିଳା ସେମାନଙ୍କ ସହ ଘଟିଥିବା ଘଟଣା ବିରୋଧରେ ସ୍ୱର ଉଠାଇ ପାରୁନାହାନ୍ତି।

କୋର୍ଟ ଏଥିସହ ୫ଟି ବଡ଼ କଥା ମଧ୍ୟ କହିଛନ୍ତି।

୧-ଯୌନ ନିର୍ଯାତନା ସମ୍ମାନ ଓ ଆତ୍ମ ବିଶ୍ୱାସ ସବୁଦିନ ପାଇଁ ଜଣଙ୍କ ଠାରୁ ଛଡ଼ାଇ ନେଇଥାଏ।

୨-ଯୌନ ନିର୍ଯାତନା ପୀଡ଼ିତାଙ୍କ ଉପରେ କି ପ୍ରକାରର ପ୍ରଭାବ ଦେଖାଉଛି, ସମଗ୍ର ସମାଜ ଏହାକୁ ବୁଝିବା ଦରକାର।

୩-ଉଚ୍ଚ ପଦବୀରେ ବସିଥିବା ବ୍ୟକ୍ତି କିମ୍ବା ସମାଜର ଜଣେ ବିଶିଷ୍ଟ ବ୍ୟକ୍ତି ବି ଯୌନ ନିର୍ଯାତନା ଦେଇପାରନ୍ତି।

୪-ଜଣେ ମହିଳା ଦୀର୍ଘ ଦଶନ୍ଧି ପରେ ମଧ୍ୟ ନିଜ ଅଭିଯୋଗ ଉପସ୍ଥାପନ କରିପାରିବେ।

୫-ମର୍ଯ୍ୟାଦାର ଅଧିକାରୀକୁ ଉଲ୍ଲଙ୍ଘନ କରି ଖ୍ୟାତି ବା ସମ୍ମାନର ଅଧିକାରୀକୁ କେବେ ହେଲେ ସୁରକ୍ଷା ଦିଆଯାଇ ପାରିବ ନାହିଁ।

୨୦୧୮ରେ ପ୍ରିୟା ଗୋଟିଏ ନ୍ୟୁଜ ପେପରରେ ସ୍ତମ୍ଭ ଲେଖି ଏମଜେ ଆକବର ତାଙ୍କ ସହ ୨୦ ବର୍ଷ ତଳେ କ’ଣ କରିଥିଲେ ଓ କେମିତି ଯୌନ ନିର୍ଯାତନା ଦେଇଥିଲେ, ସେକଥା ସମସ୍ତଙ୍କୁ ଜଣାଇଥିଲେ। ଆକବର ଏସିଆନ ଏଜର ମୁଖ୍ୟ ଥିବା ବେଳେ ପ୍ରିୟାଙ୍କୁ ଇଣ୍ଟରଭ୍ୟୁ ପାଇଁ ହୋଟେଲ ବେଡ୍‌ରୁମକୁ ଡାକିଥିଲେ ଓ ଅଭଦ୍ର ବ୍ୟବହାର କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ। କେବଳ ପ୍ରିୟା ନୁହେଁ, ଏକାଧିକ ମହିଳା ମଧ୍ୟ ଆକବରଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ।

ମୋଦି ସରକାରରେ ମନ୍ତ୍ରୀ ଥିବା ଆକବର ୨୦୧୮ ଅକ୍ଟୋବର ମାସରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଦୁଇ ଦିନ ପରେ ଅର୍ଥାତ ଅକ୍ଟୋବର ୧୭ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Related story