କଂଗ୍ରେସରେ କିଏ ନିଷ୍ପତ୍ତି ନେଉଛି ବୋଲି ପ୍ରଶ୍ନ କଲେ ବରିଷ୍ଠ ନେତା ସିବଲ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦଳୀୟ କନ୍ଦଳ ବିସ୍ଫୋରକ ରୂପ ନେଇଥିବା ବେଳେ ଏବେ ବରିଷ୍ଠ ନେତା କପିଲ ସିବଲ ନେତୃତ୍ୱ ସଙ୍କଟ କଥା ଉଠାଇଛନ୍ତି। ସେ କଂଗ୍ରେସ ନେତୃତ୍ୱକୁ ତୀବ୍ର ସମାଲୋଚନା କରିଛନ୍ତି। ଦଳୀୟ ନିର୍ବାଚନରେ ବିଳମ୍ବ ହେଉଥିବାରୁ ସେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। କଂଗ୍ରେସ ଏବେ ମୁରବୀଶୂନ୍ୟ ହୋଇ ଯାଇଛି ବୋଲି ସେ ପରୋକ୍ଷରେ କହିବା ସହ ଏବେ ଦଳରେ କିଏ ନିଷ୍ପତ୍ତି ନେଉଛନ୍ତି, ସେକଥା ଜଣାପଡ଼ୁନି ବୋଲି କହିଛନ୍ତି। ପଞ୍ଜାବ କଂଗ୍ରେସରେ ହଟଚମଟ ଚାଲିଥିବା […]

Kapil-sibal

Hemant Lenka
  • Published: Wednesday, 29 September 2021
  • , Updated: 29 September 2021, 05:14 PM IST

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦଳୀୟ କନ୍ଦଳ ବିସ୍ଫୋରକ ରୂପ ନେଇଥିବା ବେଳେ ଏବେ ବରିଷ୍ଠ ନେତା କପିଲ ସିବଲ ନେତୃତ୍ୱ ସଙ୍କଟ କଥା ଉଠାଇଛନ୍ତି। ସେ କଂଗ୍ରେସ ନେତୃତ୍ୱକୁ ତୀବ୍ର ସମାଲୋଚନା କରିଛନ୍ତି। ଦଳୀୟ ନିର୍ବାଚନରେ ବିଳମ୍ବ ହେଉଥିବାରୁ ସେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। କଂଗ୍ରେସ ଏବେ ମୁରବୀଶୂନ୍ୟ ହୋଇ ଯାଇଛି ବୋଲି ସେ ପରୋକ୍ଷରେ କହିବା ସହ ଏବେ ଦଳରେ କିଏ ନିଷ୍ପତ୍ତି ନେଉଛନ୍ତି, ସେକଥା ଜଣାପଡ଼ୁନି ବୋଲି କହିଛନ୍ତି।

ପଞ୍ଜାବ କଂଗ୍ରେସରେ ହଟଚମଟ ଚାଲିଥିବା ବେଳେ ସିବଲ ଦିଲ୍ଲୀରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଏଥିରେ ସେ ତୁରନ୍ତ ନେତୃତ୍ୱ ପରିବର୍ତ୍ତନ, ଦଳୀୟ ସଙ୍କଟର ଦୂରୀକରଣ ଓ ସାଂଗଠିନକ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି। ପୂର୍ବରୁ ମଧ୍ୟ ସବିଲଙ୍କ ସମେତ ଏକାଧିକ ବରିଷ୍ଠ ନେତା କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରି ସୋନିଆ ଗାନ୍ଧିଙ୍କ ପାଖକୁ ଚିଠି ଲେଖିଥିଲେ।

ଏହାକୁ ନେଇ ପୂରା କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଥିଲା। ଚିଠି ଲେଖିଥିବା ନେତାମାନଙ୍କୁ ଜି-୨୩ ଭାବେ ନାମିତ କରାଯାଇଥିଲା। ଏହି ଚିଠି ପରେ ସାଂଗଠନିକ ପରିବର୍ତ୍ତନ ପାଇଁ ଦଳୀୟ ନିର୍ବାଚନ ହେବ ବୋଲି ସୂଚନା ମିଳିଥିଲା। କିନ୍ତୁ ମହାମାରୀ କରୋନା ଆଳରେ ଏହା ସମ୍ଭବ ହୋଇପାରିନାହିଁ। ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦଳୀୟ କନ୍ଦଳ ଦେଖା ଯାଉଥିବାରୁ ସିବଲ ଦଳର ହାଇକମାଣ୍ଡଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ କଂଗ୍ରେସରେ କେହି ବି ନିର୍ବାଚିତ ଅଧ୍ୟକ୍ଷ ନାହାନ୍ତି। ଆମେ ଜାଣିନୁ କଂଗ୍ରେସରେ କେଉଁମାନେ ଏସବୁ ନିଷ୍ପତ୍ତି ନେଉଛନ୍ତି। ଗତବର୍ଷ ଅଗଷ୍ଟରେ ଯେଉଁ ସବୁ କଂଗ୍ରେସ ନେତାମାନେ ଦଳୀୟ ନିର୍ବାଚନ ଓ ସାଂଗଠନିକ ପରିବର୍ତ୍ତନ ପାଇଁ ଚିଠି ଲେଖିଥିଲେ ମୁଁ ତାଙ୍କ ତରଫରୁ ଆଜି ମିଡିଆକୁ ସମ୍ବୋଧନ କରୁଛି।

ଆମେ ବର୍ତ୍ତମାନ କ’ଣ ପାଇଁ ଏପରି ସ୍ଥିତିରେ ରହିଛୁ, ସେ ବିଷୟରେ ଆଲୋଚନା ହେବା ଜରୁରୀ। ଏଥିପାଇଁ ମୋର ଜଣେ ବରିଷ୍ଠ ସହଯୋଗୀ ଖୁବଶୀଘ୍ର ହାଇକମାଣ୍ଡଙ୍କ ପାଖକୁ ସିଡବ୍ଲ୍ୟୁସି ବୈଠକ ଡାକିବାକୁ ଚିଠି ଲେଖିବେ। ଆମେ ଜି-୨୩। କିନ୍ତୁ ଆମେ ଜି ହଜୁର ୨୩ କେବେ ହେଲେ ହୋଇନୁ।

ଆମେ ବିଭିନ୍ନ ପ୍ରସଙ୍ଗ ଉଠାଇବୁ। କାହିଁକି ବରିଷ୍ଠ ନେତାବମାନେ ଦଳ ଛାଡ଼ୁଛନ୍ତି? ଆମକୁ ଆମର ଭୁଲ ଦେଖିବାକୁ ପଡ଼ିବ। ଆମେ ତୁରନ୍ତ ସିଡବ୍ଲ୍ୟୁସି ଡାକି ଆଲୋଚନା କରିବାକୁ ହେବ। ଆମେ କେବେ ହେଲେ କଂଗ୍ରେସର ଆଦର୍ଶକୁ ଛାଡ଼ି ଅନ୍ୟ କେଉଁଠିକୁ ଯିବାକୁ ଚାହୁଁନୁ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଲା ହାଇକମାଣ୍ଡଙ୍କ ଘନିଷ୍ଠ କୁହାଯାଉଥିବା ନେତାମାନେ ଅନ୍ୟତ୍ର ଚାଲି ଯାଉଛନ୍ତି। ଯେଉଁମାନେ ଘନିଷ୍ଠ ନୁହନ୍ତି, ସେମାନେ ଦଳରେ ରହିଛନ୍ତି।

ଦେଶର ବିଭିନ୍ନ ସ୍ଥାନରେ ଥିବା କଂଗ୍ରେସ ନେତାମାନେ ଦଳ କେମିତି ଶକ୍ତିଶାଳୀ ହେବ, ସେ ବିଷୟରେ ଚିନ୍ତା କରିବା ଦରକାର। ଯେଉଁମାନେ ଦଳ ଛାଡ଼ିଛନ୍ତ, ସେମାନେ ଗଣତନ୍ତ୍ରର ସୁରକ୍ଷା ପାଇଁ ଦଳକୁ ଫେରି ଆସିବା ଦରକାର। କାରଣ କଂଗ୍ରେସ ହିଁ ଏହି ଦେଶକୁ ରକ୍ଷା କରିପାରିବ। ସଭାନେତ୍ରୀ ତୁରନ୍ତ ବୈଠକ ଡାକନ୍ତୁ। ସାଂଗଠନିକ ପରିବର୍ତ୍ତନ ଜରୁରୀ ବୋଲି ସିବଲ କହିଛନ୍ତି।

ସିଦ୍ଧୁଙ୍କ ଇସ୍ତଫା ପରେ ପଞ୍ଜାବରେ ସୃଷ୍ଟି ହୋଇଥିବା ରାଜନୀତିକ ହଟଚମଟ ସମ୍ପର୍କରେ ମଧ୍ୟ ଶ୍ରୀ ସିବଲ ମତ ରଖିଛନ୍ତି। ସେ କହିଛନ୍ତି, ପଞ୍ଜାବ ଗୋଟିଏ ସୀମାନ୍ତ ରାଜ୍ୟ। ସେଠାରେ କଂଗ୍ରେସ ସହ ଏପରି ଘଟଣା ଘଟିବାର ଅର୍ଥ କ’ଣ? କଂଗ୍ରେସରେ ସୃଷ୍ଟି ହୋଇଥିବା ଏପରି ସ୍ଥିତି ଆଇଏସଆଇ ଓ ପାକିସ୍ତାନକୁ ଫାଇଦା ଦେବ।

ଆମେ ପଞ୍ଜାବର ଇତିହାସ ସମ୍ପର୍କରେ ଜାଣିଛୁ ଓ ଏଠାରେ କେମିତି ବିଦ୍ରୋହୀ ତିଆରି ହୁଅନ୍ତି, ସେ ବିଷୟରେ ମଧ୍ୟ ଜାଣିଛୁ। କଂଗ୍ରେସ କେମିତି ଏକାଠି ରହିବ, ସେକଥାକୁ ନିଶ୍ଚିତ କରିବାକୁ ହେବ। ମୁଁ ଆଜି ଆପଣମାନଙ୍କ ଆଗକୁ ଆସିଛି ବୋଲି ବେଶ ଦୁଃଖିତ। କିନ୍ତୁ ଏହା ଛଡ଼ା ଆଉ କିଛି ଉପାୟ ନଥିଲା ବୋଲି ସେ କହିଛନ୍ତି।

Related story