କେନ୍ଦ୍ରକୁ ମାଡ୍ରାସ ହାଇକୋର୍ଟଙ୍କ ପରାମର୍ଶ, 'ସିବିଆଇକୁ ପୂର୍ଣ୍ଣ ସ୍ୱାଧୀନତା ଦିଅ'

ନୂଆଦିଲ୍ଲୀ: ସିବିଆଇକୁ ନେଇ ମାଡ୍ରାସ ହାଇକୋର୍ଟ ମଙ୍ଗଳବାର ଏକ ବଡ ମନ୍ତବ୍ୟ ଦେଇଛନ୍ତି। ମଙ୍ଗଳବାର ମାଡ୍ରାସ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ସିବିଆଇକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବା ଦରକାର। ନିର୍ବାଚନ କମିଶନର ଏବଂ ସିଏଜି ଭଳି ସିବିଆଇ ମଧ୍ୟ ପୂର୍ଣ୍ଣ ସ୍ୱାଧୀନତା ପାଇବା ଦରକାର। କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, ଏକ ଆଇନ୍ ଆଣି ସିବିଆଇକୁ ଅଧିକରୁ ଅଧିକ ସ୍ୱାଧୀନତା ଦେବାର ଆବଶ୍ୟକତା ରହିଛି। ଯେମିତି ସିଏଜି ଏବଂ ନିର୍ବାଚନ କମିଶନରଙ୍କ ପାଖରେ କ୍ଷମତା […]

cbi

Subhransu Sekhar
  • Published: Wednesday, 18 August 2021
  • , Updated: 18 August 2021, 12:49 PM IST

ନୂଆଦିଲ୍ଲୀ: ସିବିଆଇକୁ ନେଇ ମାଡ୍ରାସ ହାଇକୋର୍ଟ ମଙ୍ଗଳବାର ଏକ ବଡ ମନ୍ତବ୍ୟ ଦେଇଛନ୍ତି। ମଙ୍ଗଳବାର ମାଡ୍ରାସ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ସିବିଆଇକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବା ଦରକାର। ନିର୍ବାଚନ କମିଶନର ଏବଂ ସିଏଜି ଭଳି ସିବିଆଇ ମଧ୍ୟ ପୂର୍ଣ୍ଣ ସ୍ୱାଧୀନତା ପାଇବା ଦରକାର।

କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, ଏକ ଆଇନ୍ ଆଣି ସିବିଆଇକୁ ଅଧିକରୁ ଅଧିକ ସ୍ୱାଧୀନତା ଦେବାର ଆବଶ୍ୟକତା ରହିଛି। ଯେମିତି ସିଏଜି ଏବଂ ନିର୍ବାଚନ କମିଶନରଙ୍କ ପାଖରେ କ୍ଷମତା ରହିଛି। ସିଏଜି ସଂସଦ ପ୍ରତି ଉତ୍ତରଦାୟୀ ରହୁଛି। ସିବିଆଇ ମଧ୍ୟ ସିଏଜି ଭଳି ସଂସଦ ନିକଟରେ ଉତ୍ତରଦାୟୀ ହେବା ଦରକାର। ଏଭଳି ହେଲେ ସିବିଆଇ ଅଧିକ ସ୍ୱାଧୀନତା ପାଇ ପାରିବ ବୋଲି କୋର୍ଟ କହିଛନ୍ତି।

କୋର୍ଟ ୧୨ଟି ପଏଣ୍ଟରେ ସିବିଆଇକୁ ଅଧିକ ସ୍ୱାଧୀନତା ଦେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପଏଣ୍ଟଗୁଡ଼ିକୁ କାର୍ଯ୍ୟକାରୀ କରାଇଲେ ‘ପଞ୍ଜୁରୀ ଭିତରର ଶୁଆ’ ଅଧିକ କ୍ଷମତା ପାଇପାରିବ ବୋଲି ହାଇକୋର୍ଟ କହିଛନ୍ତି।

ଜଷ୍ଟିସ ଏନ୍ କିରୁବାକରଣ ଏବଂ ବି ପୁଗଲେନ୍ଧିଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଯେତେବେଳେ କୌଣସି ବଡ଼ ଘଟଣା ଘଟେ, କିମ୍ୱା ସେଭଳି ଅପରାଧ ହୁଏ ସେଠାରେ ପୁଲିସକୁ ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଏ। ହେଲେ ମାମଲା ଗମ୍ଭୀର ହୋଇଥିଲେ ସିବିଆଇ ହିଁ ତଦନ୍ତ କରିପାରିବ ବୋଲି ଲୋକଙ୍କର ଭରସା ଥାଏ। ହେଲେ ଦୁଃଖର କଥା ଏହା ଯେ ସିବିଆଇ ଏବେ ନିଜ ଗୋଡରେ କୁରାଢୀ ମାରୁଛି। ଯେତେବେଳେ ସିବିଆଇ ତଦନ୍ତ ଦାବି ହେଉଛି ସେତେବେଳେ ସିବିଆଇ ପାଖରେ କର୍ମଚାରୀ ବା ମାନବ ସମ୍ୱଳର ଅଭାବ ରହୁଛି। ତେଣୁ ସେମାନେ ଠିକ୍ ଭାବରେ ତଦନ୍ତ କରିପାରୁ ନାହାନ୍ତି। ସିବିଆଇ ଏଭଳି ଗତାନୁଗତିକ ପ୍ରତିକ୍ରିୟା କୋର୍ଟରେ   ରଖୁଛି ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି।

ତେଣୁ ସିବିଆଇ ନିମନ୍ତେ ଅଲଗା ବଜେଟ୍ ଆବଣ୍ଟନ ପାଇଁ କେନ୍ଦ୍ର ସରକାରଙ୍କୁ କୋର୍ଟ ପକ୍ଷରୁ ପରାମର୍ଶ ଦିଆଯାଇଛି। ନିଯୁକ୍ତି ଉପରେ ସିବିଆଇ ନିର୍ଭର କରିବା ପରିବର୍ତ୍ତେ ସିବିଆଇ ପାଇଁ ଏକ ଉତ୍ସର୍ଗୀକୃତ କ୍ୟାଡର ରହିବା ଉଚିତ ବୋଲି କୋର୍ଟ କହିଛନ୍ତି। ସେହିଭଳି ସିବିଆଇକୁ ଫୋରେନସିକ୍ ସାଇନ୍ସ ଲ୍ୟାବ ସହିତ ପାଣ୍ଠି ଯୋଗାଇ ଦେବା ଭଳି ବ୍ୟବସ୍ଥା କରିବା ଦରକାର ବୋଲି କୋର୍ଟ କହିଛନ୍ତି।

ବିରୋଧୀ ଦଳ ଅଭିଯୋଗ କରିଆସୁଛନ୍ତି ଯେ ସିବିଆଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ହାତରେ ଏକ ରାଜନୀତିକ ଅସ୍ତ୍ର ପାଲଟିଛି। ଯିଏ କେନ୍ଦ୍ରକୁ ବିରୋଧ କିମ୍ୱା ସମାଲୋଚନା କରୁଛି ତା' ବିରୋଧରେ କେନ୍ଦ୍ର ସରକାର ସିବିଆଇକୁ ବ୍ୟବହାର କରୁଛନ୍ତି।

ସୂଚନାଯୋଗ୍ୟ, ୨୦୧୩ରେ କୋଇଲା ଦୁର୍ନୀତି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ସିବିଆଇକୁ ‘ପଞ୍ଜୁରୀ ଭିତରର ଶୁଆ’ ବୋଲି କହିଥିଲେ। ସେତେବେଳେ ବିରୋଧୀ ଆସନରେ ଥିଲା ବିଜେପି। କଂଗ୍ରେସ ସିବିଆଇକୁ ମନ ଇଚ୍ଛା ବ୍ୟବହାର କରୁଥିଲା ବୋଲି ବିଜେପି ଅଭିଯୋଗ କରୁଥିଲା।  ହେଲେ ଦୀର୍ଘ ୬ ବର୍ଷ ହେବ ବିଜେପି କ୍ଷମତାରେ ରହିଛି। କିନ୍ତୁ ସିବିଆଇ ସେଭଳି କିଛି ସ୍ୱତନ୍ତ୍ର ସ୍ୱାଧୀନତା ପାଇନାହିଁ। ବିରୋଧୀ କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ ଏବେ ସିବିଆଇକୁ ବିଜେପିର ‘ରାଜନୀତିକ ଅସ୍ତ୍ର’ ବୋଲି କହୁଛନ୍ତି।

Related story