ମୁମ୍ବାଇ: କୋଭିଡ୍ର ଡବଲ ଡୋଜ୍ ନେଇଥିଲେ ମୁମ୍ବାଇର ଲୋକାଲ ଟ୍ରେନ୍ରେ ଯାତ୍ରା ପାଇଁ ମହରାଷ୍ଟ୍ର ସରକାର ସର୍ତ୍ତ ଲାଗୁ କରିଥିଲେ। ତେବେ ମହରାଷ୍ଟ୍ର ସରକାରଙ୍କ ଏହି ନିର୍ଦ୍ଦେଶ ବେଆଇନ୍ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ରାଜ୍ୟସରକାରଙ୍କ ଏହି ନିୟମ ନାଗରିକର ମୌଳିକ ଅଧିକାରକୁ ଘୋର ଉଲ୍ଲଂଘନ କରୁଛି ବୋଲି କୋର୍ଟ କହିଛନ୍ତି। ମୁଖ୍ୟବିଚାରପତି ଦୀପଙ୍କର ଦତ୍ତ ଏବଂ ଜଷ୍ଟିଷ ଏମଏସ୍ କାର୍ଣ୍ଣିକଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ୨୦୨୧ରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ଶାସନ ସଚିବ ସୀତାରାମ କୁନ୍ତେଙ୍କ ଅଧ୍ୟକ୍ଷତାରେ ଏହି ନିର୍ଦ୍ଦେଶନାମା ପାସ୍ ହୋଇଥିଲା। ମଙ୍ଗଳବାର ରାଜ୍ୟ ସରକାରଙ୍କ ଓକିଲ ଅନିଲ ଅନ୍ତୁକର ହାଜର ହୋଇ ଉକ୍ତ ବିବାଦୀୟ ନିୟମକୁ ପ୍ରତ୍ୟାହାର ପାଇଁ କୋର୍ଟଙ୍କୁ ଅବଗତ କରିଛନ୍ତି।
ଆସନ୍ତା ଫେବୃଆରୀ ୨୫ରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଗାଇଡ୍ଲାଇ ପ୍ରକାଶ ପାଇବ ବୋଲି ସେ କହିଛନ୍ତି। ଅନ୍ୟପଟେ ୨୦ ମାସ ଭିତରେ ମୁମ୍ବାଇରେ କରୋନା ଭାଇରସ ରେକର୍ଡ଼ସ୍ତରୀୟ ହ୍ରାସ ପାଇଛି ବୋଲି କୋର୍ଟ କହିଛନ୍ତି । ସୋମବାର ମୁମ୍ବାଇରେ ୯୬ଟି ନୂଆ କୋଭିଡ୍ କେସ୍ ମାମଲା ସାମ୍ନାକୁ ଆସିଛି। ୧୭ ଏପ୍ରିଲ ୨୦୨୦ ପରେ ଏହି ମାମଲା ସର୍ବନିମ୍ନ ବୋଲି ଜଣାପଡ଼ିଛି। ତେବେ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ନିମୟକୁ ଉଲ୍ଲଂଘନ କରୁଛି ବୋଲି ହାଇକୋର୍ଟ କହିଛନ୍ତି । ମୁମ୍ବାଇ ଲୋକାଲ ଟ୍ରେନ୍ରେ ଯାତ୍ରା କଟକଣାକୁ ନେଇ ଏକାଧିକ ପିଆଇଏଲ ଫାଇଲ ହୋଇଥିଲା।
ଆବେଦନକାରୀ କହିଥିଲେ ଯେ, ସମ୍ବିଧାନର ଧାରା(୧୯)୧ ଅନୁଯାୟୀ, ଜଣେ ନାଗରିକ ମୁକ୍ତ ଭାବେ ଦେଶ ବ୍ୟାପି ଭ୍ରମଣ କରିପାରିବ। ଟିକାକୁ ନେଇ ଲୋକଙ୍କ ମଧ୍ୟରେ ରାଜ୍ୟ ସରକାର ବିଭେଦ ସୃଷ୍ଟି କରୁଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା। ଅନ୍ୟପକ୍ଷରୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ଟିକାକୁ ବାଧ୍ୟତାମୂଳକ ବୋଲି ଘୋଷଣା କରାଯାଇ ନାହିଁ। ତେଣୁ ଟ୍ରେନ୍ରେ ଯାତ୍ରାକୁ ନେଇ ମହରାଷ୍ଟ୍ର ସରକାରଙ୍କ କଟକଣା ଏକ ବିରୋଧାଚରଣ ବୋଲି ଆବେଦନରେ ଦର୍ଶାଇଥିଲେ।