ଶିବସେନାରେ ପୁଣି ବିଦ୍ରୋହ! ବିଜେପିକୁ ଢଳୁଛନ୍ତି ୧୨ ସାଂସଦ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ଏବେବି ଥମିନି। ମୁଖ୍ୟମନ୍ତ୍ରୀ ଆସନ ପରେ ଏବେ ଦଳକୁ ନେଇ ଚାଲିଛି ଟଣାଓଟରା। ଏହାରି ଭିତରେ ଶିବସେନା ଉଦ୍ଧବ ଗୋଷ୍ଠୀରେ ପୁଣି ବିଦ୍ରୋହ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଏଥର ଏହି ଚର୍ଚ୍ଚା ଶିବସେନାର ସାଂସଦଙ୍କୁ ନେଇ କରାଯାଉଛି।
ସୂଚନା ଅନୁସାରେ, ଆଜି ଶିବସେନାର ୧୨ ଜଣ ସାଂସଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିପାରନ୍ତି । ଏଥିପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଶିବସେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ୧୨ ଜଣ ସାଂସଦଙ୍କ ସହ ସିନ୍ଦେ ଅନଲାଇନ୍ ବୈଠକ କରିଛନ୍ତି। ଏକନାଥ ସିନ୍ଦେଙ୍କ ଏହି ପଦକ୍ଷେପ ଦ୍ୱାରା ଉଦ୍ଧବ ଠାକରେଙ୍କୁ ଆଉଏକ ଝଟକା ଲାଗିପାରେ ବୋଲି ଅନୁମାନ କରାଯାଉଛି।
ସେପଟେ ଦଳକୁ ବଞ୍ଚାଇବା ପାଇଁ ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଦୁଇ ଶିବିର ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହୋଇଛି। ଶିବସେନା ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏକ କବିତା ମାଧ୍ୟମରେ ସିନ୍ଦେ ଗୋଷ୍ଠୀକୁ ଟାର୍ଗେଟ୍ କରିଛନ୍ତି। ସଞ୍ଜୟ ରାଉତ ଏକ କବିତା ଶୈଳୀରେ ଟ୍ୱିଟ୍ କରି କହିଛନ୍ତି ଯେ, ‘ଫନ୍ କୁଚଲନେକା ହୁନର୍ ଶିଖିଏ, ସାପ୍ କେ ଡର୍ ସେ ଜଙ୍ଗଲ ମତ୍ ଛୋଡିଏ। ଜୟ ମହାରାଷ୍ଟ୍ର।’
फन कुचलने का हूनर भीं सिखिए..
सांप के खौफ से जंगल नहीं
छोडा करते…
जय महाराष्ट्र!! pic.twitter.com/iodrsKNfmF— Sanjay Raut (@rautsanjay61) July 18, 2022
ଗତକାଲି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ରାମଦାସ କଦମ ଏବଂ ଆନନ୍ଦରାଓ ଆଡସୁଲଙ୍କ ସମେତ ଅନେକ ନେତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ଦଳ ବିରୋଧୀ କାର୍ଯ୍ୟକଳାପ ଦର୍ଶାଇ ଏହି ନେତାମାନଙ୍କୁ ଦଳରୁ ବାହାର କରି ଦିଆଯାଇଛି।
ସେପଟେ ଶିବସେନାର ବିଦ୍ରୋହୀ ବିଧାୟକ ଗୋଷ୍ଠୀ ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ବୈଠକ କରିଥିଲେ। ଏଥିରେ ଦଳର ପୁରୁଣା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀକୁ ଭାଙ୍ଗି ଦିଆଯାଇଛି। ନୂଆ କାର୍ଯ୍ୟକାରିଣୀ ଗଠନ ହୋଇଛି। ଏହାର ମୁଖ୍ୟ ହୋଇଛନ୍ତି ଏକନାଥ ସିନ୍ଦେ। ସିନ୍ଦେଙ୍କୁ ନୂଆ ନେତା ବାଛିଛନ୍ତି ବିଦ୍ରୋହୀ। କିନ୍ତୁ ସବୁଠୁ ବଡ଼ କଥା ହେଉଛି ଶିବସେନାର ମୁଖ୍ୟ ପଦ ହଟାଯାଇ ନାହିଁ। ଏହି ପଦରେ ଉଦ୍ଧବ ଠାକରେ ରହିଛନ୍ତି। ଅର୍ଥାତ୍ ଉଦ୍ଧବଙ୍କ ପଦରେ ସେମାନେ କୌଣସି ପରିବର୍ତ୍ତନ ଆଣିନାହାନ୍ତି।
ନୂଆ କାର୍ଯ୍ୟକାରିଣୀରେ ଦୀପକ କେସରକରଙ୍କୁ ମୁଖପାତ୍ର ଭାବେ ଚୟନ କରାଯାଇଛି। ରାମଦାସ କଦମ ଓ ଆନନ୍ଦରାଓ ଅଡ଼ସୁଲ୍ଙ୍କୁ ନେତା ବଛାଯାଇଛି। ଉଦ୍ଧବ ସୋମବାର ଦଳର ସ୍ଥିତି ମଜଭୁତ ପାଇଁ ରାଜ୍ୟରେ ୧୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ନିଯୁକ୍ତ କରିଛନ୍ତି। ମୁମ୍ବାଇ, ପାଳଘର, ୟୱଟମାଲ, ଅମରାବତୀ ଓ ଅନ୍ୟ ଜିଲ୍ଲାରେ ଏହି କାର୍ଯ୍ୟକର୍ତ୍ତା ନିଯୁକ୍ତ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।