ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲରେ ଛଠ ପୂଜାକୁ ନେଇ ଜୋର ଧରି ରାଜନୀତି। ଏହାରି ଭିତରେ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ବିରୋଧ ପ୍ରଦର୍ଶନ କରାଯାଇଛି। ବିରୋଧ ପ୍ରଦର୍ଶନ ବେଳେ ବିଜେପି ନେତା ତଥା ସାଂସଦ ମନୋଜ ତିୱାରୀ ଆହତ ହୋଇଛନ୍ତି। ତାଙ୍କୁ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମନୋଜ ତିୱାରୀଙ୍କ ସହ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହେଇଥିବା ଅନେକ କର୍ମୀ ମଧ୍ୟ ଆହତ ହୋଇଛନ୍ତି। କୁହାଯାଉଛି ଯେ, ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୁଲିସ ତରଫରୁ ପାଣି ମାଡ ହୋଇଥିଲା। ଏତିକି ବେଳେ ବ୍ୟାରିକେଡ୍ ଉପରୁ ଖସି ପଡି ମନୋଜ ତିୱାରୀ ଆହତ ହୋଇଛନ୍ତି। ତାଙ୍କ କାନ ଏବଂ ଗୋଡରେ ଆଘାତ ଲାଗିଛି। ଦିଲ୍ଲୀ ସରକାରଙ୍କ ଦ୍ୱାରା ଛଠ ପୂଜା ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ସେ ବିରୋଧ କରିଥିଲେ।
ଦିଲ୍ଲୀ ବିଜେପି ରାଜ୍ୟ ସଭାପତି ଆଦେଶ ଗୁପ୍ତା କେଜ୍ରିୱାଲ ସରକାରଙ୍କୁ ଲକ୍ଷ ଲକ୍ଷ ପୂର୍ଵାଚଲୀ ସମ୍ପ୍ରଦାୟଙ୍କ ଦ୍ୱାରା ପାଳନ କରାଯାଉଥିବା ଛଠ ଉତ୍ସବକୁ ନିଷିଦ୍ଧ କରିଥିବାରୁ ନିନ୍ଦା କରିଛନ୍ତି। କିନ୍ତୁ ଆଦେଶ ଗୁପ୍ତା କହିଛନ୍ତି ଯେ ଛଠ ପୂଜାକୁ ଧୂମଧାମରେ ପାଳନ କରାଯିବ ଏବଂ ବିଜେପି ଶାସିତ ମ୍ୟୁନିସିପାଲିଟି କର୍ପୋରେସନ ଏହାର ବନ୍ଦୋବସ୍ତ କରିବ।
ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ସେପ୍ଟେମ୍ବର ୩୦ରେ କରୋନା କାରଣରୁ ନଦୀ କୂଳରେ ଏବଂ ସର୍ବସାଧାରଣ ସ୍ଥାନରେ ଛଠ ଉତ୍ସବ ଉପରେ ରୋକ ଲଗାଇଥିଲେ। ବିକ୍ଷୋଭକାରୀମାନେ କେଜ୍ରିୱାଲ ସରକାରଙ୍କୁ ଏହି ପର୍ବ ଉପରୁ ପ୍ରତିବନ୍ଧକ ହଟାଇବା ପାଇଁ ଡିଡିଏମଏକୁ ଏକ ପ୍ରସ୍ତାବ ପଠାଇବାକୁ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୩୦ ତାରିଖରେ ଦିଲ୍ଲୀ ସରକାର ଦିଲ୍ଲୀରେ କୋଭିଡ-୧୯ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ସାର୍ବଜନିକ ସ୍ଥାନ, ନଦୀ, ମନ୍ଦିର ଆଦିରେ ଛଠ ପୂଜା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କହିଥିଲେ। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦ୍ୱାରା ଜାରି ଆଦେଶରେ ଜନତାଙ୍କୁ ଘରେ ପୂଜା କରିବାକୁ ପରାମର୍ଶ ଦିଆଯାଇଛି।