ରାଞ୍ଚି: ଅସହ୍ୟ ହେଲା ଶ୍ୱଶୁର ଘର ନିର୍ଯାତନା। ମୋ ସ୍ୱାମୀ ମୋତେ ବାରମ୍ବାର ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରିଲେ। ତାଙ୍କ ସହ ଶ୍ୱଶୁର ଘରର ଅନ୍ୟ ସଦସ୍ୟ ମଧ୍ୟ ସାଥ ଦେଲେ। ଯୌତୁକ ପାଇଁ ମୋତେ ବାରମ୍ବାର ନିର୍ଯାତନା ଦେଲେ। ମୁଁ ଆଉ ସହିପାରିଲିନି। ଶେଷରେ ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଲି। ଆତ୍ମହତ୍ୟା ପୂର୍ବରୁ କିଛି ଏମିତି ସୁଇସାଇଡ୍ ନୋଟ ଲେଖି ଜୀବନ ହାରିଛନ୍ତି ଜଣେ ମହିଳା। ଘଟଣାଟି ଝାଡ଼ଖଣ୍ଡର ରାଞ୍ଚିଠାରୁ ୭୦ କିମି ଦୂର ଖଲାଣି ପୁଲିସ ଷ୍ଟେସନ ଅଧୀନ ଡାକ୍ରାଗ୍ରାମରେ ଘଟିଛି। ମହିଳା ଜଣକ ନିଜ ୨ ଛୁଆ ଆଗରେ ରୁମରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ତେବେ ସେ ନିଜର ୨ ପିଲାଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ସଫଳ ହୋଇ ନାହିଁ। ସୌଭାଗ୍ୟବସତଃ ସ୍ଥାନୀୟ ଲୋକେ ପିଲା ୨ଟିକୁ ବଞ୍ଚାଇ ଦେଇଛନ୍ତି। ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଉଛନ୍ତି ଚନ୍ଦାଦେବୀ। ତେବେ ସେ ଉକ୍ତ ରୁମର କାନ୍ଥରେ ଲିପଷ୍ଟିକ୍ରେ ଏହି ସୁଇସାଇଡ ନୋଟ ଲେଖିଥିବା ଜଣାପଡ଼ିଛି। ମଙ୍ଗଳବାର ରାତିରେ ତାଙ୍କ ସ୍ୱାମୀ ଦିଲ୍ଲୀପ ଘରେ ନଥିବା ବେଳେ ଏହି ଘଟଣା ଘଟିଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ୨୦୧୯ରେ ଚନ୍ଦାଦେବୀ ଦିଲ୍ଲୀପ ଚୌହାନ ନାମ ଜଣେ ଯୁବକଙ୍କ ବିବାହ କରିଥିଲେ। ଉଭୟଙ୍କର ପ୍ରେମ ବିବାହ ହୋଇଥିଲା। କିଛି ଦିନ ସବୁ ଠିକଠାକ ଚାଲିଥିଲା। ପରେ ଊଭୟଙ୍କ ମଧ୍ୟରେ ମନାନ୍ତର ହୋଇଥିଲା। ଛୋଟ ଛୋଟ କଥାରେ ଉଭୟଙ୍କ ମଧ୍ୟରେ କଳି-ଝଗଡ଼ା ହେଉଥିଲା। ଧିରେ ଧିରେ ଦୁହିଙ୍କ ମଧ୍ୟରେ କଳହ ତୀବ୍ର ହେବା ସହ ତାଙ୍କ ସ୍ୱାମୀ ଚାନ୍ଦାଦେବୀଙ୍କୁ ମାରଧର କରୁଥିଲେ।
ତାଙ୍କୁ ଗାଳିଗୁଳଜ କାରିବା ସହ ଉଭୟ ମାନସିକ ଓ ଶାରୀରିକ ନିର୍ଯାତନା ମଧ୍ୟ ଦେଉଥିଲେ। ସ୍ୱାମୀ ସହ ମିଶି ଶ୍ୱଶୁର ଘରର ଅନ୍ୟ ଲୋକମାନେ ମଧ୍ୟ ଚନ୍ଦାଦେବୀଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ। ଶେଷରେ ଚନ୍ଦାଦାବୀ ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଇଥିଲେ। ନିଜ ରୁମରେ ଚନ୍ଦା ଦେବୀ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ। ତାପୂର୍ବରୁ ଦୁଇ ଛଆଙ୍କୁ ମାରିବାକୁ ଚନ୍ଦାଦେବୀ ଉଦ୍ୟମ କରଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ। ଘରେ ଦୁଇ ଛୁଆଙ୍କ ପାଟି ଶୁଣି ପଡ଼ୋଶୀ ଲୋକେ ଧାଇଁ ଆସିଥିଲେ। ଭିତରପଟରୁ କବାଟ ଦିଆଯାଇଥିବାରୁ ଗାଁ ଲୋକେ ଝରକା ଭାଙ୍ଗି ପିଲା ଦୁଇ ଜଣକୁ ଉଦ୍ଧାର କରିଥିଲେ। ତେବେ ଚନ୍ଦାଦେବୀଙ୍କ ମୃତ ଦେହ ଝୁଲୁଥିବା ଦେଖାଯାଇଥିଲା।