ମୁମ୍ବାଇ: ମୋ ବିରୋଧରେ ଷଡଯନ୍ତ୍ର କରାଯାଇଛି। କିନ୍ତୁ ମୁଁ ଲଢିବି ଆଉ ଜିତିବି। ମୁଣ୍ଡ ନୁଆଁଇବି ନାହିଁ । ଇଡି ପକ୍ଷରୁ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲ୍ଲିକ୍ ଗିରଫ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ସେ । ସେ କହିଛନ୍ତି ଯେ, ମୋତେ ଜବରଦସ୍ତ ଉଠାଇ ଅଣାଯାଇଛି। କିନ୍ତୁ ମୁଣ୍ଡ ନୁଆଁଇବି ନାହିଁ। ଆଜି ମୁମ୍ବାଇର ଇଡି କାର୍ଯ୍ୟାଳୟରୁ ବାହାରିବା ବେଳେ ହାତ ହଲାଇ ଏମିତି କହିଥିଲେ ନବାବ। ଏହାପରେ ନବାବଙ୍କୁ ଇଡି ଅଧିକାରୀମାନେ ଡାକ୍ତରୀ ଯାଞ୍ଚ ପାଇଁ ଏକ ଗାଡିରେ ନେଇ ଯାଇଥିଲେ।
ସୂଚନା ଅନୁଯାୟୀ, ନବାବ ମଲ୍ଲିକଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ ଦୀର୍ଘ ଛଅ ଘଣ୍ଟା କାଳ ଜେରା କରିବା ପରେ ତାଙ୍କୁ ଗିରଫ କରିଛି। ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମର ଭାଇ ଇକବାଲ କାସ୍କରଙ୍କ ସହ ଜଡିତ ଏକ ଜମି ଚୁକ୍ତିକୁ ନେଇ ତଦନ୍ତକାରୀ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଲ୍ଲିକଙ୍କ ସଂପୃକ୍ତିକୁ ନେଇ ଅନୁସନ୍ଧାନ କରୁଛି । ଆଜି ସକାଳେ ଇଡି ସମନ ଜାରି କରି ୬୨ ବର୍ଷ ବୟସ୍କ ମନ୍ତ୍ରୀ ମଲ୍ଲିକଙ୍କୁ ଇଡି କାର୍ଯ୍ୟାଳୟକୁ ଡକାଇଥିଲା।
ସେଠାରେ ଇଡିର ତଦନ୍ତକାରୀ ଅଧିକାରୀମାନେ ମନ୍ତ୍ରୀ ମଲ୍ଲିକଙ୍କୁ ଦୀର୍ଘ ୬ ଘଣ୍ଟା କାଳଧରି ଜେରା କରିବା ପରେ ଅପରାହ୍ନରେ ତାଙ୍କୁ ଗିରଫ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଇଡି ଏହି ମନି ଲଣ୍ଡରିଂ ମାମଲାରେ ଦାଉଦ ଇବ୍ରାହିମର ଭଉଣୀ ହସିନା ପାର୍କରଙ୍କ ମୁମ୍ବାଇ ବାସଭବନରେ ଚଢାଉ କରିଥିଲା। ଇଡି ନାଗପଡ଼ାର ହସିନା ପାର୍କର ସହ ସଂପର୍କିତ ଅନ୍ୟ ୧୦ ଟି ବିଭିନ୍ନ ସ୍ଥାନରେ ମଧ୍ୟ ବ୍ୟାପକ ଛାନ୍ଭିନ୍ କରିଥିଲା।