ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ସାଇରସ୍ ପୁନାୱାଲା କହିଛନ୍ତି ଯେ ଦୁଇଟି ଅଲଗା ଅଲଗା ଟିକା ନେବା ଠିକ୍ ହେବନି। ଯଦି ଏଭଳି ଟିକା ନେବା ପରେ କିଛି ନକାରାତ୍ମକ ପ୍ରଭାବ ପଡ଼ିବ ତାହେଲେ ଟିକା ନିର୍ମାତା ପରସ୍ପର ମଧ୍ୟରେ ଦୋଷ ଖୋଜିବା ଆରମ୍ଭ କରିବେ।
ନିକଟରେ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଭାରତରେ କୋଭାକ୍ସିନ୍ ଏବଂ କୋଭିଶିଲ୍ଡ ଟିକା ମିଶ୍ରଣ ଉପରେ ଅଧ୍ୟୟନ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏହାପରେ ସାଇରସ ପୁନାଓ୍ୱାଲା ଏପରି ମତ ରଖିଛନ୍ତି। ଡିସିଜିଆଇ ଦେଇଥିବା ଅଧ୍ୟୟନରେ ୩୦୦ ଲୋକ ସାମିଲ ଅଛନ୍ତି। ଆନ୍ଧ୍ରପ୍ରଦେଶ ସ୍ଥିତ ଭେଲୋର ଖ୍ରୀଷ୍ଟିଆନ ମେଡିକାଲ କଲେଜରେ ଏପରି ଅଧ୍ୟୟନ କରାଯିବ।
ଏହି ଅଧ୍ୟୟନର ଉଦ୍ଦେଶ୍ୟ ହେଉଛି ଟିକାକରଣ ବେଳେ ଜଣେ ବ୍ୟକ୍ତିଙ୍କୁ ଦୁଇଟି ଭିନ୍ନ ଟିକା ଦିଆଯାଇପାରିବ କି ନାହିଁ ତାହା ଆକଳନ କରାଯିବ। ଗୋଟିଏ କୋଭିଶିଲ୍ଡର ଡୋଜ୍ ଏବଂ ଅନ୍ୟଟି କୋଭାକ୍ସିନକୁ ନେଇ ଏହି ପରୀକ୍ଷା ହେବ।
ସାଇରସ୍ ପୁନାୱାଲା କହିଛନ୍ତି ଏଭଳି କରିବାର ଆବଶ୍ୟକତା ନାହିଁ। ଯଦି କିଛି ଭୁଲ ହୁଏ, ତେବେ ଉଭୟ ଟିକାର ନିର୍ମାତା ମଧ୍ୟରେ ଦୋଷ ଖୋଳାଖୋଳି ଆରମ୍ଭ ହୋଇଯିବ। ସେ କହିଛନ୍ତି, ଯଦି କିଛି ଭୁଲ୍ ହୁଏ ସେରମ୍ କହିବ ଯେ ଦ୍ୱିତୀୟ ଟିକା ଭଲ ନୁହେଁ। ସେହିପରି ପ୍ରତିପକ୍ଷ ଟିକା କମ୍ପାନୀ କହିବ ଆମ ଟିକା ଦେବାରେ ଅସୁବିଧା ନାହିଁ। ଏମିତି ହେଲେ ସ୍ଥିତି ଗୋଳମାଳିଆ ହୋଇଯିବ। ତେଣୁ ଭିନ୍ନ ଭିନ୍ନ ଟିକା ଦେବା ଠିକ୍ ହେବନି ବୋଲି ସାଇରସ କହିଛନ୍ତି।
ସୂଚନାଯୋଗ୍ୟ, ଆଇସିଏମ୍ଆର ମଧ୍ୟ ଅଲଗା ଅଲଗା ଟିକାକୁ ନେଇ ଏକ ଅଧ୍ୟୟନ କରିଥିଲା। ଯେଉଁଥିରେ ଜଣେ ଭୁଲରେ ଉତ୍ତରପ୍ରଦେଶରେ ଦୁଇଟି ଭିନ୍ନ ଭିନ୍ନ ଟିକା ନେଇଥିଲେ। ଆଇସିଏମଆର ଏହାର ଅଧ୍ୟୟନରେ କହିଛି ଯେ କୋଭାକ୍ସିନ ଏବଂ କୋଭିଶିଲ୍ଡର ମିଳିତ ଡୋଜ କରୋନା ବିରୁଦ୍ଧରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଭଲ ଫଳାଫଳ ଦେଖାଇଛି। ମେ ମାସରୁ ଜୁନ୍ ମଧ୍ୟରେ ଉତ୍ତରପ୍ରଦେଶରେ ଏହି ଅଧ୍ୟୟନ କରାଯାଇଥିଲା।