ଜାରି ହେଲା ଭାରତର ୧୦ ଧନୀ ବ୍ୟକ୍ତିଙ୍କ ତାଲିକା, ୧ନଂରେ କିଏ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତର ୧୦ ଧନୀ ବ୍ୟକ୍ତିଙ୍କ ତାଲିକା ଆଜି ପ୍ରକାଶ ପାଇଛି। ଆଇଆଇଏଫଏଲ ୱେଲ୍ଥ ହୁରୁନ ଇଣ୍ଡିଆ ରିଚ୍‌ ଲିଷ୍ଟ ୨୦୨୧ରେ କାହାର ସମ୍ପତ୍ତି କେତେ ବଢ଼ିଛି, ତା’ର ସୂଚନା ମିଳିଛି। ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାର ୧ନଂ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିଃର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରହିଛନ୍ତି। କ୍ରମାଗତ ୧୦ମ ବର୍ଷ ପାଇଁ ଅମ୍ବାନୀ ଧନୀ ତାଲିକାର ୧ନଂ ସ୍ଥାନରେ ରହିବାର କୀର୍ତ୍ତିମାନ ସ୍ଥାପନ […]

ambani

Hemant Lenka
  • Published: Thursday, 30 September 2021
  • , Updated: 30 September 2021, 09:13 PM IST

ନୂଆଦିଲ୍ଲୀ: ଭାରତର ୧୦ ଧନୀ ବ୍ୟକ୍ତିଙ୍କ ତାଲିକା ଆଜି ପ୍ରକାଶ ପାଇଛି। ଆଇଆଇଏଫଏଲ ୱେଲ୍ଥ ହୁରୁନ ଇଣ୍ଡିଆ ରିଚ୍‌ ଲିଷ୍ଟ ୨୦୨୧ରେ କାହାର ସମ୍ପତ୍ତି କେତେ ବଢ଼ିଛି, ତା’ର ସୂଚନା ମିଳିଛି। ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାର ୧ନଂ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିଃର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରହିଛନ୍ତି।

କ୍ରମାଗତ ୧୦ମ ବର୍ଷ ପାଇଁ ଅମ୍ବାନୀ ଧନୀ ତାଲିକାର ୧ନଂ ସ୍ଥାନରେ ରହିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତାଙ୍କ ପାଖରେ ଏବେ ୭,୧୮,୦୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ଚଳିତ ବର୍ଷ ଅମ୍ବାନୀଙ୍କ ସମ୍ପତ୍ତି ମହାମାରୀ ସତ୍ତ୍ୱେ ୯% ବଢ଼ିଛି। ରିଟେଲ ଓ ଟେଲିକମ ଅପରେସନରେ ସେ ଅଧିକ ଲାଭ ପାଇଛନ୍ତି।

ମହାମାରୀ ସମୟରେ ଡିଜିଟାଲ ବ୍ୟବସାୟର ଚାହିଦା ବଢ଼ିଥିଲା। ତେଣୁ ଅମ୍ବାନୀଙ୍କ ଦୈନିକ ଆୟ କୋଟି କୋଟି ଟଙ୍କା ବଢ଼ିଛି। ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ପ୍ରଥମ କମ୍ପାନୀ ଭାବେ ୨୦୦ ବିଲିୟନ ଡଲାରର ମାର୍କେଟ ଭ୍ୟାଲୁକୁ ଅତିକ୍ରମ କରିଛି। ଅର୍ଥାତ ଶେୟାର ମାର୍କେଟରେ ଏହାର ଚାହିଦା ବଢ଼ିଛି। ରିଲାଏନ୍ସ ୨୦୨୧ରେ ବିଶ୍ୱର ମୂଲ୍ୟବାନ କମ୍ପାନୀମାନଙ୍କ ତାଲିକାର ୫୭ତମ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ଧନୀ ତାଲିକାର ଦ୍ୱିତୀୟ ସ୍ଥାନକୁ ଲମ୍ଫ ମାରିଛନ୍ତି ଅନ୍ୟତମ ଶିଳ୍ପପତି ଗୌତମ ଆଦାନୀ। ୨୦୨୧ରେ ତାଙ୍କ ସମ୍ପତ୍ତି ୨୬୧ ଗୁଣ ବୃଦ୍ଧି ପାଇଛି। ଫଳରେ ସେ ଭାରତର ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଆଦାନୀ ପରିବାରର ସମ୍ପତ୍ତି ଷ୍ଟକ ମାର୍କେଟର ଚାହିଦା ଯୋଗୁ ୫,୦୫,୯୦୦ କୋଟିରେ ପହଞ୍ଚି ଯାଇଛି। ଚଳିତ ବର୍ଷ ୫୯ ବର୍ଷୀୟ ଆଦାନୀଙ୍କ ସମ୍ପତ୍ତି ଦୈନିକ ୧୦୦୨ କୋଟି ଟଙ୍କା ବଢ଼ିଛି।

ତୃତୀୟ ସ୍ଥାନରେ ଏଚସିଏଲର ଶିବ ନାଦର ଓ ପରିବାର ରହିଛନ୍ତି। ସେମାନଙ୍କ ସମ୍ପତ୍ତି ୬୭% ବଢ଼ିଛି। ଏବେ ପରିବାର ପାଖରେ ୨,୩୬,୦୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ଏଚସିଏଲ ତୃତୀୟ ଭାରତୀୟ ଆଇଟି କମ୍ପାନୀ ଭାବେ ୧୦ ବିଲିୟନ ଡଲାର ରେଭିନ୍ୟୁ ସୀମାକୁ ଅତିକ୍ରମ କରିବାକୁ ସକ୍ଷମ ହୋଇଛି। ୨୦୨୦ ତୁଳନାରେ ୨୦୨୧ରେ ଶିବ ନାଦରଙ୍କ ଏଚସିଏଲ ଦୈନିକ ୨୬୦ କୋଟି ଟଙ୍କା ଆୟ କରିଛି।


ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ଏସପି ହିନ୍ଦୁଜା ଆଣ୍ଡ ଫ୍ୟାମିଲ ଦୁଇଟି ସ୍ଥାନ ତଳକୁ ଖସି ୪ର୍ଥରେ ରହିଛନ୍ତି। ତଥାପି ହିନ୍ଦୁଜାର ସମ୍ପତ୍ତି ୫୩% ବଢ଼ି ୨,୨୦,୦୦୦ କୋଟିରେ ପହଞ୍ଚିଛି। ଏହାର ଦୈନିକ ଆୟ ୨୦୯ କୋଟି ଟଙ୍କା ରହିଛି। ଏମାନଙ୍କ ବ୍ୟତୀତ ଏଲଏନ ମିତ୍ତଲ ଓ ଫ୍ୟାମିଲର ସମ୍ପତ୍ତି ୧୮୭% ବଢ଼ି ୧,୭୪,୪୦୦ କୋଟି, ସାଇରସ ଏସ ପୁନାୱାଲା ଆଣ୍ଡ ଫ୍ୟାମିଲର ସମ୍ପତ୍ତି ୭୪% ବଢ଼ି ୧,୬୩,୭୦୦ କୋଟି, ରାଧାକ୍ରିଷ୍ଣ ଦାମାନି ଆଣ୍ଡ ଫ୍ୟାମିଲର ସମ୍ପତ୍ତି ୭୭% ବଢ଼ି ୧,୫୪,୩୦୦ କୋଟି, ବିନୋନ୍ଦ ଶାନ୍ତିଲାଲ ଆଦାନି ଆଣ୍ଡ ଫ୍ୟାମିଲର ସମ୍ପତ୍ତି ୨୧୨% ବଢ଼ି ୧,୩୧,୬୦୦ କୋଟି ଟଙ୍କା, କୁମାର ମଙ୍ଗଲମ ବିର୍ଲା ଆଣ୍ଡ ପରିବାରର ସମ୍ପତ୍ତି ୨୩୦% ବଢ଼ି ୧,୨୨,୨୦୦ କୋଟି ଟଙ୍କା ଓ ଜୟ ଚୌଧୁରୀଙ୍କ ସମ୍ପତ୍ତି ୮୫% ବଢ଼ି ୧,୨୧,୬୦୦ କୋଟି ଟଙ୍କା ହୋଇଛି। ଏହି ବ୍ୟକ୍ତିମାନେ ଭାରତର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି।

Related story