ବିଜେପିକୁ ଶକ୍ତ ଝଟକା, ଶେଷରେ ଟିଏମସିକୁ ଫେରିଲେ ମୁକୁଲ ରୟ

କୋଲକାତା: ଶେଷରେ ସବୁ ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବିଜେପି ଶକ୍ତ ଝଟକା ଦେଇ ଟିଏମସିକୁ ଫେରିଛନ୍ତି ବରିଷ୍ଠ ନେତା ମୁକୁଲ ରୟ। ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ ସାମିଲ ହୋଇଛନ୍ତି। ମୁକୁଲଙ୍କ ସହ ତାଙ୍କ ପୁଅ ଶୁଭ୍ରାଂଶୁ ମଧ୍ୟ ଟିଏସିକୁ ବାହୁଡ଼ିଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ଶୋଚନୀୟ ପରାଜୟବରଣ କରିଥିବା ବିଜେପିକୁ ଆଜି ମୁକୁଲ ରୟଙ୍କ ଏପରି ପଦକ୍ଷେପ ପୂରା ସ୍ତବ୍ଧ କରିଦେଇଛି। ମୁକୁଲ ଓ ତାଙ୍କ ପୁଅ ଶୁଭ୍ରାଂଶୁଙ୍କୁ ମମତା ସ୍ୱାଗତ କରିଛନ୍ତି। […]

Mukul-Ray.jpg1

Hemant Lenka
  • Published: Friday, 11 June 2021
  • , Updated: 11 June 2021, 05:11 PM IST

କୋଲକାତା: ଶେଷରେ ସବୁ ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବିଜେପି ଶକ୍ତ ଝଟକା ଦେଇ ଟିଏମସିକୁ ଫେରିଛନ୍ତି ବରିଷ୍ଠ ନେତା ମୁକୁଲ ରୟ। ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ ସାମିଲ ହୋଇଛନ୍ତି। ମୁକୁଲଙ୍କ ସହ ତାଙ୍କ ପୁଅ ଶୁଭ୍ରାଂଶୁ ମଧ୍ୟ ଟିଏସିକୁ ବାହୁଡ଼ିଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ଶୋଚନୀୟ ପରାଜୟବରଣ କରିଥିବା ବିଜେପିକୁ ଆଜି ମୁକୁଲ ରୟଙ୍କ ଏପରି ପଦକ୍ଷେପ ପୂରା ସ୍ତବ୍ଧ କରିଦେଇଛି।

ମୁକୁଲ ଓ ତାଙ୍କ ପୁଅ ଶୁଭ୍ରାଂଶୁଙ୍କୁ ମମତା ସ୍ୱାଗତ କରିଛନ୍ତି। ଘରର ପୁଅ ଘରକୁ ଫେରିଲେ। ଅନ୍ୟମାନଙ୍କ ଭଳି ସେ କେବେହେଲେ ଗରଦାରୀ କରିନାହାନ୍ତି ବୋଲି ମମତା କହିଛନ୍ତି।

ଏହି ମିଶ୍ରଣ ପର୍ବରେ ମମତାଙ୍କ ପୁତୁରା ତଥା ଦଳର ମହାସଚିବ ଅଭିଷେକ ବାନାର୍ଜୀଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଅଭିଷେକ ହିଁ ସେମାନଙ୍କୁ ଉତ୍ତରୀୟ ଦେଇଥିଲେ। ଟିଏମସି ନେତା ପାର୍ଥ ଚାଟାର୍ଜୀ ମଧ୍ୟ ରୟ ବାପ-ପୁଅଙ୍କୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ମୁକୁଲ ରୟ ଟିଏମସିକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଆଜି ଆମେ ତାଙ୍କୁ ଓ ତାଙ୍କ ପୁଅ ଶୁଭ୍ରାଂଶୁକୁ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଦଳକୁ ସ୍ୱାଗତ କରିଛୁ।

ଟିଏମସିରେ ମିଶିବା ପରେ ମୁକୁଲ ରୟ କହିଛନ୍ତି, “ମୋର ପୁରୁଣା ସହଯୋଗୀମାନଙ୍କୁ ଦେଖି ମୋତେ ବେଶ ଖୁସି ଲାଗୁଛି। ବିଜେପି ଛାଡ଼ିବା ପରେ ମୋତେ ଏମିତି ସୁଖ ମିଳିଛି। ମୁଁ କେବେ ହେଲେ ବିଜେପିରେ ରହିପାରିବି ନାହିଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶ ତଥା ବେଙ୍ଗଲର ଏକମାତ୍ର ନେତ୍ରୀ। ମମତା ବାନାର୍ଜୀଙ୍କ ସହ ମୋର କେବେ ହେଲେ କୌଣସି ମନାନ୍ତର ହୋଇ ନଥିଲା।”

ଟିଏମସିରେ ବିଧିବଦ୍ଧ ଭାବେ ମିଶିବାର ପ୍ରାୟ ୧ ଘଣ୍ଟା ପୂର୍ବରୁ ମୁକୁଲ ଦଳୀୟ ମୁଖ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ୨୦୧୭ରେ ସେ ଏଠାରେ ଥିବା ଯେଉଁ ରୁମକୁ ବ୍ୟବହାର କରୁଥିଲେ ସିଧା ସେଠାକୁ ଯାଇଥିଲେ। ଏହାପରେ ସେ ମମତାଙ୍କ ସହ ଆଲୋଚନା କରିବା ପରେ ଟିଏମସିକୁ ଫେରିଛନ୍ତି।

ଏକଦା ମମତାଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ମୁକୁଲ ରୟ ଓ ଶୁଭ୍ରାଂଶୁ ୨୦୧୭ରେ ଟିଏମସି ଛାଡ଼ିଥିଲେ। ଏହାପରେ ମୁକୁଲ ପ୍ରଥମେ ବିଜେପିରେ ମିଶିଥିଲେ। ୨୦୧୯ ଲୋକସଭା ନିର୍ବାଚନ ବେଳେ ଶୁଭ୍ରାଂଶୁ ପଦ୍ମ ଧରିଥିଲେ। ବିଜେପି ମୁକୁଲ ରୟଙ୍କୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରିଥିଲା। ୨୦୨୧ ବିଧାନସଭା ନିର୍ବାଚନରେ ମୁକୁଲ ରୟ ବିଜେପି ଟିକେଟରେ ଲଢ଼ି ଜିତିଥିଲେ। ସେହିପରି ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିରୁ ଅନେକ ନେତାଙ୍କୁ ଆମଦାନୀ କରି ବିଜେପିରେ ମିଶାଇଥିଲେ।

ବିଜେପି ପାଇଁ ସବୁକିଛି କରି ମଧ୍ୟ ତାଙ୍କୁ ବିଧାନସଭାର ବିରୋଧୀ ଦଳ ନେତା କରାଯାଇ ନଥିଲା। ସେ ଏହି ପଦ ପାଇଁ ଆଶା କରିଥିଲେ ହେଁ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ଗୃହର ନେତା ଭାବେ ମନୋନୀତ କରିଥିଲା। ଏହାକୁ ନେଇ ସେ ବିଜେପି ଉପରେ ଖପ୍ପା ଥିଲେ।

ଏହାର ଫାଇଦା ଉଠାଇଥିଲା ଟିଏମସି। ଦଳର ମହାସଚିବ ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ହସ୍ପିଟାଲରେ ଚିକିତ୍ସାଧୀନ ମୁକୁଲ ରୟଙ୍କ ପତ୍ନୀଙ୍କୁ ଦେଖିବାକୁ ଯାଇଥିଲେ। ଏହି ସମୟରେ ସେ ଶୁଭ୍ରାଂଶୁଙ୍କ ସହ କଥା ହୋଇ ଦଳକୁ ଫେରାଇ ଆଣିବାକୁ ଗୋଟି ଚାଳନା କରିଥିଲେ। ତାଙ୍କ କଥାରେ ମୁକୁଲ ଓ ଶୁଭ୍ରାଂଶୁ ରାଜି ହୋଇ ଆଜି ଟିଏମସିକୁ ଫେରିଛନ୍ତି।

Related story