ମୁମ୍ବାଇ : ଶୀତଦିନରେ ଭାଉ ଖାଉଛି ଗରମ। ମାୟାନଗରୀରେ ମୁମ୍ବାଇରେ ଥଣ୍ଡା ଗାଏବ। ଲୋକେ ଶୀତର ସ୍ପର୍ଷ ପାଇବା ବଦଳରେ ହାଲକା ଚେଙ୍କ ଦେଉଛି ଗରମ। ଗତ ଶୁକ୍ରବାର ମମୁମ୍ବାଇରେ ପ୍ରାୟ ୪୦ ଡିଗ୍ରୀ ତାପପାମାତ୍ରାରେ ନିଜର ଉପସ୍ଥିତି ଜାରି କରିଥିଲା ଗରମ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ସହରର ସର୍ବାଧିକ ତାପମାତ୍ରା ୩୫.୬ ଡିଗ୍ରି ରେକର୍ଡ କରାଯାଇଛି। ଗୁରୁବାର ଏହି ତାପମାତ୍ରା ଥିଲା ୩୪.୯ ଡିଗ୍ରି, ଯାହା ମହାରାଷ୍ଟ୍ରରେ ସର୍ବାଧିକ। ମହାରାଷ୍ଟ୍ରର ଅନ୍ୟ ସହରଗୁଡ଼ିକ ଯଥା ରତ୍ନଗିରିରେ ତାପମାତ୍ରା ୩୫.୪ ଡିଗ୍ରି, ପୁନେରେ ୩୨.୩ ଡିଗ୍ରି ଓ ଦହନୁରେ ୩୧.୮ ଡିଗ୍ରି ହୋଇଥିଲା। ଏପରି କି ସାନ୍ତାକ୍ରୁଜ ଅଞ୍ଚଳରେ ତାପମାତ୍ରା ସର୍ବନିମ୍ନ ୨୩ ଡିଗ୍ରି ରେକର୍ଡ କରାଯାଇଥିଲା, ଯାହା ଏହି ସମୟର ସ୍ୱାଭାବିକ ତାପାମାତ୍ରାଠାରୁ ୪ ଡିଗ୍ରି ଅଧିକ।
ପାଣିପାଗ ବିଭାଗର କହିବା ଅନୁସାରେ ଆରବ ସାଗରରେ ଲଘୁଚାପ ଯୋଗୁ ପବନର ଗତି ବଦଳିଯାଇଛି ଏବଂ ଦକ୍ଷିଣପୂର୍ବ ଆଡ଼କୁ ଏହା ପ୍ରବାହିତ ହେଉଛି। ଆଉ କିଛିଦିନ ଏହି ସ୍ଥିତି ଜାରି ରହିବ। ଦିନ ଅପାକ୍ଷା ରାତିରେ ତାପମାତ୍ରା ମଧ୍ୟ ମୁମ୍ବାଇରେ ବୃଦ୍ଧି ପାଇଛି।
ତେବେ ବିଶେଷଜ୍ଞମାନଙ୍କ କହିବା ଅନୁସାରେ ସହର ଭିତର ଓ ଆଖପାଖ ଅଞ୍ଚଳରେ ଥିବା ଜଳାଶୟ ଓ ଖାଲୁଆ ଅଞ୍ଚଳଗୁଡ଼ିକୁ ପୋତି ଘର କରାଯାଉଥିବାରୁ ଏବଂ ରାସ୍ତା, ଘର ଓ କଳକାରଖାନା ଆଦି ପାଇଁ ବ୍ୟାପକ ଗଛ କଟାଯାଉଥିବାରୁ ମୁମ୍ବାଇ ଓ ମହାରାଷ୍ଟ୍ରର ଅନ୍ୟ ଅଞ୍ଚଳଗୁଡ଼ିକରେ ଶୀତଦିନରେ ମଧ୍ୟ ଗ୍ରୀଷ୍ମର ଅନୁଭବ ହେଉଛି।