କଂଗ୍ରେସ କଳି: ମନ୍ତ୍ରୀ ଓ ବିଧାୟକଙ୍କୁ ଭେଟୁଛନ୍ତି ସିଦ୍ଧୁ, ମୁଖ୍ୟମନ୍ତ୍ରୀଙ୍କୁ ଦେଖା କଲେ ହରିଶ ରାୱତ

ଅମୃତସର: କଂଗ୍ରେସର ପଞ୍ଜାବ କଳି ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅରମିନ୍ଦର ସିଂହଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ଥମିବାର ନାଁ ଧରୁନି। ଉଭୟ ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ବିବାଦର ସମାଧାନ ପାଇଁ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସ ମୁଖ୍ୟ କରିବାକୁ ଦଳ ଚିନ୍ତା କରୁଛି। ହେଲେ ଏଥିରେ ଅମରିନ୍ଦର ସିଂହ ରାଜି ନାହାନ୍ତି। ସିଦ୍ଧୁଙ୍କୁ ବିରୋଧ କରି ଗତକାଲି ଶ୍ରୀ […]

Congress

Hemant Lenka
  • Published: Saturday, 17 July 2021
  • , Updated: 17 July 2021, 04:52 PM IST

ଅମୃତସର: କଂଗ୍ରେସର ପଞ୍ଜାବ କଳି ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅରମିନ୍ଦର ସିଂହଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ଥମିବାର ନାଁ ଧରୁନି। ଉଭୟ ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ବିବାଦର ସମାଧାନ ପାଇଁ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସ ମୁଖ୍ୟ କରିବାକୁ ଦଳ ଚିନ୍ତା କରୁଛି।

ହେଲେ ଏଥିରେ ଅମରିନ୍ଦର ସିଂହ ରାଜି ନାହାନ୍ତି। ସିଦ୍ଧୁଙ୍କୁ ବିରୋଧ କରି ଗତକାଲି ଶ୍ରୀ ସିଂହ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମଧ୍ୟ ଚିଠି ଲେଖିଥିବା ଜଣାପଡ଼ିଥିଲା। ବିବାଦ ବଢ଼ୁଥିବାରୁ କଂଗ୍ରେସର ପଞ୍ଜାବ ପ୍ରଭାରୀ ହରିଶ ରାୱତ ଦିଲ୍ଲୀରୁ ଅମୃତସରରେ ପହଞ୍ଚିଛନ୍ତି। ସେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।

ଅନ୍ୟପକ୍ଷରେ ସିଦ୍ଧୁ ନିଜ ସପକ୍ଷରେ ମତ ସୃଷ୍ଟି କରିବାକୁ ଆଜି ରାଜ୍ୟର ବିଭିନ୍ନ ମନ୍ତ୍ରୀ ଓ ବିଧାୟକଙ୍କୁ ଭେଟିଛନ୍ତି। ଏପରି କି ସେ ବର୍ତ୍ତମାନର କଂଗ୍ରେସର ପଞ୍ଜାବ ମୁଖ୍ୟ ସୁନୀଲ ଝାଖରଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଏହାକୁ ନେଇ ପଞ୍ଜାବ ରାଜନୀତି ସରଗରମ ହୋଇ ଉଠିଛି।

ସିଦ୍ଧୁ କଂଗ୍ରେସର ପଞ୍ଜାବ ମୁଖ୍ୟ ହେବେ ବୋଲି କୁହାଯାଉଛି। ବିଧିବଦ୍ଧ ଘୋଷଣା ପୂର୍ବରୁ ଆଜି ସେ ନିଜର ପଟିଆଲା ସ୍ଥିତି ବାସଭବନରୁ ଚଣ୍ଡିଗଡ଼ ଯାଇ ଏକାଧିକ କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକଙ୍କୁ ଭେଟିଛନ୍ତି। ଏମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବିଶ୍ୱସ୍ତ କୁହାଯାଉଥିବା କିଛି ବିଧାୟକ ଓ ମନ୍ତ୍ରୀ ମଧ୍ୟ ରହିଛନ୍ତି।


ଅନ୍ୟପକ୍ଷରେ ଅମରିନ୍ଦରଙ୍କ ସହ ହରିଶ ରାୱତଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କୁ ବୁଝାଇବାକୁ ହରିଶ ରାୱତ ଆସିଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ରବୀନ ଥୁକରାଲ ଉଭୟଙ୍କ ଭେଟଘାଟର ଫଟୋଟ ଟ୍ୱିଟ କରି କହିଛନ୍ତି, “ହରିଶ ରାୱତଙ୍କ ସହ ଫଳପ୍ରଦ ଆଲୋଚନା ହୋଇଥିଲା। ଆଇଏନସି ସଭାପତି ଯାହା ବି ନିଷ୍ପତ୍ତି ନେବେ, ତା’କୁ ସମସ୍ତେ ପାଳନ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଆଇଏନସି ସଭାପତିଙ୍କ ପାଖରେ ସେ ଉଠାଇଥିବା ସମସ୍ତ ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।”

ଏବେ ସିଦ୍ଧୁ ପଞ୍ଜାବ କଂଗ୍ରେସର କ୍ୟାପ୍ଟେନ ହେବା ଏକ ପ୍ରକାରର ସ୍ପଷ୍ଟ ହୋଇଛି। କେବଳ ବିଧିବଦ୍ଧ ଘୋଷଣାକୁ ବାକି ରହିଛି। ଏଥିପାଇଁ ଅମୃତସରରେ ମଧ୍ୟ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି।

Related story