ମୁମ୍ବାଇ: ଚାକିରି ନଥିବାରୁ ଯୁବକଙ୍କୁ ବାହା ହେବା ପାଇଁ ଝିଅ ମିଳୁନି। ଫଳରେ ବୟସାଧିକ ହୋଇ ବିଭିନ୍ନ ପ୍ରକାର ମାନସିକ ଯନ୍ତ୍ରଣାରେ ଭୋଗୁଛନ୍ତି ଯୁବପିଢ଼ି। ଏହା କହି କହିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଉତ୍କଟ ବେକାରୀ ସମସ୍ୟା ଏବଂ ବେରୋଜଗାରକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପୁଣେରେ ‘ଜନ ଜାଗରଣ ଯାତ୍ରା’ରେ ସେ କହିଛନ୍ତି, ଦେଶରେ ବେକାରୀ ସମସ୍ୟା ବେଲଗାମ ସ୍ଥିତିରେ ପହଞ୍ଚିଛି। ରୋଜଗାର ନପାଇ ଯୁବପିଢ଼ି ହତାଶ ଅବସ୍ଥାରେ ଗତି କରୁଛନ୍ତି। ଏହା ମଧ୍ୟ ସାମାଜିକ ସମସ୍ୟା ସୃଷ୍ଟି କରୁଛି। ଚାକିରି ଅଭାବରୁ ବିବାହ ଯୋଗ୍ୟ ଯୁବକଙ୍କୁ କନ୍ୟା ମିଳୁନାହିଁ। ଦିନକୁ ଦିନ ବୃଦ୍ଧି ପାଉଥିବା ବେକାରୀ ସମସ୍ୟା ଦେଶର ଚିନ୍ତା ବଢ଼ାଉଛି। ଏହାର ପରିଣାମ ହେଉଛି ଚାକିରି ଅଭାବରୁ ଭାରତୀୟମାନେ ଆତ୍ମହତ୍ୟା କରୁଛନ୍ତି। ଚାକିରି ଅଭାବରୁ ଲୋକଙ୍କ ଉପରେ ବଢୁଥିବା ଋଣ ଭାର ମଧ୍ୟ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି।
ସମସ୍ୟା ଏତେ ଗମ୍ଭୀର ହେଉପଡ଼ିଛି ଯେ ବେକାରୀ ଓ ଋଣ ନେଇଥିବା ଯୁବକଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି।ଦର ବୃଦ୍ଧି ଏବଂ ବେକାରୀ ଭଳି ପ୍ରକୃତ ପ୍ରସଙ୍ଗରୁ ଦୃଷ୍ଟି ଏଡାଇବା ପାଇଁ ସମ୍ପ୍ରଦାୟ ମଧ୍ୟରେ ମତଭେଦ ସୃଷ୍ଟି କରାଯାଉଛି।
‘ଜନ ଜାଗରଣ ଯାତ୍ରା’ ଯାତ୍ରା ସମୟରେ ସେ ଏକ ଗ୍ରାମ ଛକରେ ୨୫ ରୁ ୩୦ ବର୍ଷ ବୟସର ୧୫ ରୁ ୨୦ ଜଣ ଯୁବକଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ଯୁବକ ସ୍ନାତକ ଏବଂ ସ୍ନାତକତ୍ତୋର। କିନ୍ତୁ ଚାକିରି ନ ଥିବାରୁ ସେମାନଙ୍କୁ କନ୍ୟା ଦେବାକୁ କେହି ପ୍ରସ୍ତୁତ ନ ଥିବା ସେମାନେ କହିଥିଲେ। ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ଏହି ସମସ୍ୟା ଅଧିକ ଶୁଣାଯାଉଛି ବୋଲି ପାୱାର କହିଛନ୍ତି।