ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟା ଖୋଲା ରହିପାରିବ ବାର୍ ଓ ରେଷ୍ଟୁରାଣ୍ଟ। ଏୟାରପୋର୍ଟ, ରେଳ ଷ୍ଟେସନ ଓ ଅନ୍ତଃରାଜ୍ୟ ବସ ଟର୍ମିନାଲରେ ବି ବାର ଓ ରେଷ୍ଟୁରାଣ୍ଟ ୨୪ ଘଣ୍ଟା ଖୋଲା ରହିବ । ଦିଲ୍ଲୀବାସୀଙ୍କୁ ଦିଲ୍ଲୀ ସରକାର ଏମିତି ଏକ ନୂଆବର୍ଷ ଭେଟି ଦେବାକୁ ଯାଉଛନ୍ତି । ଆସନ୍ତା ଜାନୁଆରି ମାସରୁ ଦିଲ୍ଲୀରେ ଥିବା ତାରକା ହୋଟେଲଗୁଡ଼ିକରେ ଅଧିକ ସମୟ ପାଇଁ ଖୋଲା ରହିବରେଷ୍ଟୁରାଣ୍ଟ ଓ ବାର୍ ।
ସରକାରଙ୍କ ପ୍ରସ୍ତାବିତ ନୂଆ ନିୟମ ଅନୁସାରେ ଜାନୁଆରି ୨୬ରୁ ଆବଶ୍ୟକ ଲାଇସେନ୍ସ ଫି ଦାଖଲ କଲେ ୫-ଷ୍ଟାର ଓ ୪-ଷ୍ଟାର ହୋଟେଲରେ ୨୪ ଘଣ୍ଟା ଖୋଲା ରହିପାରିବ ବାର୍ ଓ ରେସ୍ତୋରାଁ । ସେହିପରି ଏୟାରପୋର୍ଟ, ରେଳ ଷ୍ଟେସନ ଓ ଅନ୍ତଃରାଜ୍ୟ ବସ ଟର୍ମିନାଲରେ ବି ବାର ଓ ରେସ୍ତୋରାଁ ୨୪ ଘଣ୍ଟା ଖୋଲା ରହିବ । ଅନ୍ୟପକ୍ଷରେ ୩-ଷ୍ଟାର ହୋଟେଲରେ ବାରଗୁଡ଼ିକ ପୂର୍ବାହ୍ଣ ୨ଟା ପର୍ଯ୍ୟନ୍ତ ଓ ଅନ୍ୟ ସ୍ଥାନରେ ୧ଟା ପର୍ୟ୍ୟନ୍ତ ଖୋଲା ରହିପାରିବ । ଆହୁରି ମଧ୍ୟ ପୂର୍ବରୁ ଲାଇସେନ୍ସକୁ ଏକ ବର୍ଷ ପାଇଁ ଦିଆଯାଉଥିବାବେଳେ ଏବେ ତାହାକୁ ୩ ବର୍ଷକୁ ବୃଦ୍ଧି କରାଯାଇଛି ।
ରେସ୍ତୋରାଁ ଓ ବାର ଗୁଡ଼ିକର ଲାଇସେନ୍ସ ପ୍ରକ୍ରିୟାକୁ ଅଧିକ ସରଳ ଓ ବ୍ୟବସାୟ ଅନୁକୂଳ କରିବାକୁ ଦିଲ୍ଲୀର ଉପରାଜ୍ୟପାଳ ଭି.କେ.ସାକ୍ସେନା ଗତ ନଭେମ୍ବର ମାସରେ ଏକ କମିଟି ଗଠନ କରିଥିଲେ । ଏହି କମିଟିର ରିପୋର୍ଟ ଦାଖଲ ପରେ ଦିଲ୍ଲୀ ସରକାରଙ୍କ ବିଭିନ୍ନ ସ୍ତରରେ ଏକାଧିକ ପର୍ୟ୍ୟାୟ ବୈଠକ ପରେ ଲାଇସେନ୍ସ ନିୟମବଳୀ ଚୂଡ଼ାନ୍ତ କରାଯାଇଥିଲା । ଏହା ଅନୁସାରେ ଲାଇସେନ୍ସ ପାଇଁ ନୂଆ ଅନଲାଇନ ଆବେଦନ ବ୍ୟବସ୍ଥା କରାଯିବ ।