ଏଯାଏ ଭାରତକୁ ଆସିନି ଓମିକ୍ରନ, ଟେଷ୍ଟିଂ ଜୋରଦାର କରିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଫ୍ରିକା ଦେଶଗୁଡ଼ିକରେ ଚିହ୍ନଟ ହୋଇଥିବା ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଏଯାଏ ଭାରତରେ ଠାବ ହୋଇନି। ତଥାପି ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଟେଷ୍ଟିଂ ଜୋରଦାର କରିବାକୁ ଆଜି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଯଦି ବି ଓମିକ୍ରନ ଠାବ ହୁଏ, ତା’ହେଲେ ଏହାକୁ ଭଳ ଭାବେ ନିୟନ୍ତ୍ରଣ ଓ ମୁକାବିଲା କରାଯାଇପାରିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି। ଦକ୍ଷିଣ ଆଫ୍ରିକା ପରେ ଓମିକ୍ରନ ଏବେ ବ୍ରିଟେନ, ହଂକଂ, ଜର୍ମାନୀ, […]

Omicron

Hemant Lenka
  • Published: Tuesday, 30 November 2021
  • , Updated: 30 November 2021, 01:18 PM IST

ନୂଆଦିଲ୍ଲୀ: ଆଫ୍ରିକା ଦେଶଗୁଡ଼ିକରେ ଚିହ୍ନଟ ହୋଇଥିବା ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଏଯାଏ ଭାରତରେ ଠାବ ହୋଇନି। ତଥାପି ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଟେଷ୍ଟିଂ ଜୋରଦାର କରିବାକୁ ଆଜି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଯଦି ବି ଓମିକ୍ରନ ଠାବ ହୁଏ, ତା’ହେଲେ ଏହାକୁ ଭଳ ଭାବେ ନିୟନ୍ତ୍ରଣ ଓ ମୁକାବିଲା କରାଯାଇପାରିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି।

ଦକ୍ଷିଣ ଆଫ୍ରିକା ପରେ ଓମିକ୍ରନ ଏବେ ବ୍ରିଟେନ, ହଂକଂ, ଜର୍ମାନୀ, ଇଟାଲୀ ଭଳି ୧୫ରୁ ଅଧିକ ଦେଶରେ ଚିହ୍ନଟ ହୋଇ ସାରିଲାଣି। ଭାରତରେ ମଧ୍ୟ ଏହାକୁ ନେଇ ଭୟର ବାତାବରଣ ଦେଖାଯାଇଛି। ଏସବୁ ଭିତରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।

ଏହି ସମୟରେ ସେ ରାଜ୍ୟର ଅଧିକାରୀମାନଙ୍କୁ ଓମିକ୍ରନର ମୁକାବିଲା କରିବା ପାଇଁ ଗୁରୁମନ୍ତ୍ର ଦେଇଥିବା ଜଣାପଡ଼ିଛି। ସେ ଟେଷ୍ଟିଂକୁ ଜୋରଦାର କରିବାକୁ ପରାମର୍ଶ ଦେବା ସହ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବାକୁ କହିଛନ୍ତି। ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସବୁ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରଖିବା, ହୋମ ଆଇସୋଲେସନକୁ ନିୟମିତ ସମୀକ୍ଷା କରିବା ସହ କଠୋର କଣ୍ଟେନମେଣ୍ଟ, ସକ୍ରିୟ ସର୍ଭେଲାନ୍ସ, ହଟସ୍ପଟ ଚିହ୍ନଟ କରିବା ଓ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ କହିଛନ୍ତି।

ଏହାବାଦ ବର୍ତ୍ତମାନ ଓମିକ୍ରନ ଭାରିଏଣ୍ଟ ଦେଶରେ ରହିଥିବା ଆରଟି-ପିସିଆର ଓ ଆଣ୍ଟିଜେନ ଟେଷ୍ଟ କିଟ୍‌ ଦ୍ୱାରା ଠାବ ହୋଇପାରିବ। ଏହା ବିରୋଧରେ ଚାଲିଥିବା ପ୍ରଚାରରେ ବିଶ୍ୱାସ ନ କରିବାକୁ ସେ ରାଜ୍ୟର ଅଧିକାରୀମାନଙ୍କୁ କହିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ମଧ୍ୟ ଭାରତରେ ଏଯାଏ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ରାଜ୍ୟସଭାକୁ ଅବଗତ କରାଇଛନ୍ତି।

ସୂଚନାଯୋଗ୍ୟ, ଓମିକ୍ରନ ଭାରିଏଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିବା ସହ ସମସ୍ତଙ୍କୁ ସତର୍କ ରହିବାକୁ କହିଛି। ଏହି ଓମିକ୍ରନ ଭାରିଏଣ୍ଟ ୫୦ ଥର ମ୍ୟୁଟେସନ ହେବାର କ୍ଷମତା ରଖିଛି। ତେଣୁ ଏହା ଟିକାକୁ ମଧ୍ୟ ମାତ ଦେବାର ଆଶଙ୍କା ରହିଛି।

Related story