କଗ୍ରେସର ୟୁପି ରଣନୀତି: ମହିଳାଙ୍କ ପାଇଁ ମାରାଥନ, ୱିନରଙ୍କୁ ଦେବ ସ୍କୁଟି-ସ୍ମାର୍ଟଫୋନ

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ତା’ର ରଣନୀତି ପ୍ରସ୍ତୁତ କରିଛି। ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼େଇ ପାଇଁ ମୈଦାନାକୁ ଓହ୍ଲାଇଥିବା ୟୁପି କଂଗ୍ରେସ ସାରା ରାଜ୍ୟରେ ଅନେକ ମାରାଥନ୍ ଦୌଡ଼ର ଆୟୋଜନ କରିବାକୁ ଯୋଜନା କରିଛି। ଏହି ମାରାଥନ୍ ରେସ୍ ମହିଳା ଓ ଝିଅମାନେ ହିଁ ଭାଗ ନେବେ। ପ୍ରିୟଙ୍କା ଦେଇଥିବା ‘ଲଡ୍‌କୀ ହୁଁ, ଲଡ୍‌ ସକ୍‌ତି ହୁଁ’ ସ୍ଲୋଗାନ ନାଁରେ ହିଁ ମାରାଥନ ଦୌଡ଼ର […]

Congress

Hemant Lenka
  • Published: Sunday, 14 November 2021
  • , Updated: 14 November 2021, 04:33 PM IST

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ତା’ର ରଣନୀତି ପ୍ରସ୍ତୁତ କରିଛି। ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼େଇ ପାଇଁ ମୈଦାନାକୁ ଓହ୍ଲାଇଥିବା ୟୁପି କଂଗ୍ରେସ ସାରା ରାଜ୍ୟରେ ଅନେକ ମାରାଥନ୍ ଦୌଡ଼ର ଆୟୋଜନ କରିବାକୁ ଯୋଜନା କରିଛି।

ଏହି ମାରାଥନ୍ ରେସ୍ ମହିଳା ଓ ଝିଅମାନେ ହିଁ ଭାଗ ନେବେ। ପ୍ରିୟଙ୍କା ଦେଇଥିବା ‘ଲଡ୍‌କୀ ହୁଁ, ଲଡ୍‌ ସକ୍‌ତି ହୁଁ’ ସ୍ଲୋଗାନ ନାଁରେ ହିଁ ମାରାଥନ ଦୌଡ଼ର ଆୟୋଜନ କରାଯିବ। ଏହାର ବିଜେତାମାନଙ୍କୁ ପୁରସ୍କାର ସ୍ୱରୂପ ସ୍କୁଟି ଓ ସ୍ମାର୍ଟଫୋନ୍ ମିଳିବ ବୋଲି କଂଗ୍ରେସ ଘୋଷଣା କରିଛି।

ଏହାପୂର୍ବରୁ ପ୍ରିୟଙ୍କା ଗ୍ରାଜ୍ୟୁଏଟ ପାସ କରିଥିବା ଝିଅମାନଙ୍କୁ କଂଗ୍ରେସ କ୍ଷମତାକୁ ଆସିଲେ ମାଗଣାରେ ସ୍କୁଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଦ୍ୱାଦଶ ଶ୍ରେଣୀ ପାସ୍‌ କରୁଥିବା ଛାତ୍ରୀମାନଙ୍କୁ କଂଗ୍ରେସ ସରକାର ମାଗଣାରେ ସ୍ମାର୍ଟଫୋନ୍ ଦେବ। ଦଳ ସହ ଜଡ଼ିତ ଜଣେ ନେତା କହିଛନ୍ତି, ନିର୍ବାଚନ ପୂର୍ବରୁ ମାରାଥନ ବିଜେତାଙ୍କୁ ସ୍କୁଟି ଦେଇ କଂଗ୍ରେସ ଲୋକଙ୍କ ଭରସା ଜିତିବାକୁ ଚାହୁଁଛି।

କଂଗ୍ରେସ ଏଥର ପୂରା ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ନେଇଛି। ଏହାକୁ ପ୍ରମାଣ କରିବା ପାଇଁ ମାରାଥନକୁ ମାଧ୍ୟମ କରିଛି। ଏହାଦ୍ୱାରା ଲୋକଙ୍କ ମନରେ କଂଗ୍ରେସକୁ ନେଇ ରହିଥିବା ଅବିଶ୍ୱାସ ଦୂର ହୋଇପାରିବ ବୋଲି ଦଳ ଲକ୍ଷ୍ୟ ରଖିଛି।

କଂଗ୍ରେସ ୟୁପିରେ ମହିଳାମାନଙ୍କୁ ଫୋକସ କରି ନିର୍ବାଚନ ବୈତରଣୀ ପାର ହେବାକୁ ଚାହୁଁଛି। ଖାସ ଏହି କାରଣ ପାଇଁ ମହିଳା ଓ ଛାତ୍ରୀମାନଙ୍କ ପାଇଁ ବଡ଼ବଡ଼ ଘୋଷଣା କରାଯାଉଛି। ୟୁପି କଂଗ୍ରେସ ରାଜ୍ୟରେ ୩୭୫୦ ଜଣ ମହିଳାଙ୍କୁ ନେଇ ଟିମ୍ ଗଠନ କରୁଛି। ପ୍ରତି ଟିମ୍‌ରେ ୨ଜଣ ମହିଳା ରହିବେ। ସେମାନଙ୍କ ମଧ୍ୟରେ ଜଣେ ଯୁବା ଓ ଆଉ ଜଣେ ଅପେକ୍ଷାକୃତ ବୟସ୍କ ମହିଳା ରହିବେ।

ଏହି ଟିମ୍‌ ରାଜ୍ୟର ପ୍ରତିଟି ଘରକୁ ଯାଇ ସେଠାରେ ଥିବା ମହିଳାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ। ପ୍ରତିଦିନ ଏହି ଟିମ୍‌ ଅତିକମରେ ୫୦ ଜଣ ମହିଳାଙ୍କୁ ଭେଟିବେ। ଏଥିସହ ପ୍ରିୟଙ୍କା ଗାନ୍ଧି ଭଦ୍ରା ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତି ସମ୍ପର୍କରେ ଅବଗତ କରାଇବେ।

ଏହି ସମୟରେ ଯେଉଁ ମହିଳାମାନେ ଚାହିଁବେ, ସେମାନଙ୍କୁ 'ଲଡ୍‌କୀ ହୁଁ, ଲଡ୍‌ ସକ୍‌ତି ହୁଁ’ର ଏକ ସିଲିକନ୍ ବ୍ୟାଣ୍ଡ ଦିଆଯିବ। ପ୍ରିୟଙ୍କାଙ୍କ ଦସ୍ତଖତ ଏହି ବ୍ୟାଣ୍ଡରେ ରହିବ। କଂଗ୍ରେସ ପକ୍ଷରୁ ପ୍ରାୟ ୧ କୋଟି ବ୍ୟାଣ୍ତ ପ୍ରସ୍ତୁତ କରାଯାଉଛି।

କଂଗ୍ରେସର ଉକ୍ତ ଟିମ୍‌ ମହିଳାମାନଙ୍କୁ ଗୋଟିଏ ପ୍ରତିଶ୍ରୁତି ଫର୍ମ ପୂରଣ କରିବାକୁ କହିବ ଓ ସେମାନଙ୍କୁ ରାଜନୀତିରେ ପ୍ରବେଶ କରିବାର ଆବଶ୍ୟକତା ଉପରେ ବୁଝାଇବ। ପ୍ରତ୍ୟେକ ମହିଳାଙ୍କୁ ୧୦ ଜଣ ମହିଳାଙ୍କୁ ପ୍ରତିଶ୍ରୁତି ପୂରଣ ଫର୍ମ ପୂରଣ କରିବା ପାଇଁ ଅନୁରୋଧ କରିବାକୁ ମଧ୍ୟ ପରାମର୍ଶ ଦିଆଯିବ।

୨୦୧୭ର ତଥ୍ୟ ଅନୁଯାୟୀ, ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ୬ କୋଟି ୪୪ ଲକ୍ଷ ଥିଲା। କିନ୍ତୁ ୨୦୧୭ ବିଧାନସଭା ନିର୍ବାଚନରେ ୩ କୋଟି ୧୦ ଲକ୍ଷ ମହିଳା ଭୋଟ ଦେଇଥିଲେ। ତେଣୁ କଂଗ୍ରେସ ନିଜର ଅଭିଯାନ ମାଧ୍ୟମରେ ୩ କୋଟି ମହିଳା ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ଯୋଜନା କରିଛି। ଏହା ମଧ୍ୟରେ ୧ କୋଟି ୬୦ ଲକ୍ଷ ମହିଳା ଭୋଟରଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ରହିଛି।

କଂଗ୍ରେସ ବସ୍ ଷ୍ଟାଣ୍ଡ ଓ ମହିଳା କଲେଜ ବାହାରେ ଥିବା କାନ୍ଥରେ ପୋଷ୍ଟର ଲଗାଇ ସେମାନଙ୍କ ପାଇଁ ଦଳ କରୁଥିବା ଯୋଜନା ସମ୍ପର୍କରେ ମଧ୍ୟ ଅବଗତ କରାଇବ। ମହିଳାମାନଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା କରାଯିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି। ଏହାବାଦ ଦଳ କ୍ଷମତାକୁ ଆସିଲେ ଗୋଟିଏ ବର୍ଷରେ ମହିଳାମାନଙ୍କୁ ମାଗଣାରେ ୩ଟି ସିଲିଣ୍ଡର ଦେବ। ଅଙ୍ଗନୱାଡି ଓ ଆଶା କର୍ମୀଙ୍କୁ ମାସିକ ୧୦ ହଜାର ଟଙ୍କା ଏବଂ ପେନ୍‌ସନ୍‌ ବାବଦରେ ୧ ହଜାର ଟଙ୍କା ଦେବାକୁ ମଧ୍ୟ କଂଗ୍ରେସ କହିଛି।

Related story