ଅମୃତସର: କେବଳ କଂଗ୍ରେସ ହିଁ ବିଜେପିକୁ ହରାଇପାରିବ। ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଏହା କହିଛନ୍ତି। କଂଗ୍ରେସ ଭିତରେ ଥିବା ତୀବ୍ର ଦଳୀୟ କନ୍ଦଳକୁ ନେଇ ପ୍ରଶ୍ନ ହେବାରୁ ଏଭଳି ଜବାବ ଦେଇଛନ୍ତି ସିଦ୍ଧୁ। କଂଗ୍ରେସକୁ କେହି ହରାଇ ପାରିବେ ନାହିଁ। କେବଳ କଂଗ୍ରେସ ହିଁ କଂଗ୍ରେସକୁ ହରାଇ ପାରିବ ବୋଲି ସିଦ୍ଧୁ କହିଛଛନ୍ତି । ପଞ୍ଜାବରେ ଆସନ୍ତା ଫେବୃଆରୀ ୨୦ ତାରିଖରେ ବିଧାନ ସଭା ନିର୍ବାଚନ ହେବ । ମାର୍ଚ୍ଚ ୧୦ରେ ଗଣତି ହେବ। ନିର୍ବାଚନ ଯେତେ ପାଖେଇ ଆସୁଛି ଦଳ ଗୋଟିଏ ପରେ ଗୋଟିଏ ଦଳୀୟ କନ୍ଦଳରେ ଛନ୍ଦି ହୋପଡ଼ୁଛି। ଗତ ବର୍ଷ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ କ୍ୟାପ୍ଟେନ୍ ଅମରିନ୍ଦର ସିଂ ଦଳ ଛାଡ଼ିଥିଲେ। କ୍ଷମତା ଲଢ଼େକୁ ନେଇ ମତଭେଦ ହେବା ପରେ ଶେଷରେ କଂଗ୍ରସର ହାତ ଛାଡ଼ିଥିଲେ କ୍ୟାପ୍ଟେନ୍।
ଏହା ପରେ ମଧ୍ୟ ଦଳୀୟ କନ୍ଦଳରେ ବ୍ରେକ୍ ପଡ଼ିନଥିଲା। ପରେ ଦଳ ପକ୍ଷରୁ ଚରଣ ଜିତ ସିଂ ଚନ୍ନିଙ୍କ ନାମ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ତାଙ୍କ ସହ ମଧ୍ୟ ସିଦ୍ଧୁଙ୍କର ବିବାଦ ଆରମ୍ଭ ହୋଇଥିଲା। ପରେ ଏକ ନାଟକୀୟ ଢଙ୍ଗରେ ପିସିସି ସଭାପତିରୁ ଇସ୍ତଫା ଦେଇ ପୁଣି ଥରେ ତୋଷାମଦି ଆଉଁସା ଖାଇ ପଦକୁ ଫେରିଥିଲେ ସିଦ୍ଧୁ।
ସିଦ୍ଧୁଙ୍କ ମାନଭଞ୍ଜନ ପାଇଁ ଦଳକୁ କେତେ କଣ କସରତ କରିବାକୁ ପଡ଼ିଥିଲା । ଯଦିଓ ବୁଝାସୁଝା ପରେ ରାଜନୈତିକ କଳହ ଶାନ୍ତି ପଡ଼ିଛି ତାହା କେବଳ ତାଳି ପକା ବୋଲି କୁହାଯାଉଛି। ବିବାଦ ସମ୍ପୂର୍ଣ୍ଣ ତୁଟି ନାହିଁ। ନିର୍ବାଚନକୁ ନେଇ ପଞ୍ଜାବ ରାଜନୀତି ସରଗରମ ଥିବା ବେଳେ ସିଦ୍ଧୁ କହିଛନ୍ତି ଯେ, କେବଳ କଂଗ୍ରେସ ହିଁ ଦୃଢ଼ ଏବଂ ସୁରକ୍ଷିତ ସରକାର ଦେଇପାରିବ। ସିଦ୍ଧୁ ଅମୃତସର ଇଷ୍ଟରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥିପାଇଁ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ପୂର୍ବରୁ ସିଦ୍ଧୁ କେଉଁଠାରୁ ଲଢ଼ିବେ ତାହା ଉପରେ ସମସ୍ତଙ୍କର ନଜର ଥିଲା | କାରଣ ଚର୍ଚ୍ଚା ହେଉଥିଲା ଯେ ପଟିଆଲାରେ କଂଗ୍ରେସ ନିଜର ରାଜନୈତିକ ଆଭିମୁଖ୍ୟ ବଜାୟ ରଖିବାକୁ ଚାହୁଁଛି। ତେଣୁ କଂଗ୍ରେସ ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁ, କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧରେ ପଟିଆଲାରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି କୁହାଯାଉଥିଲା।