ମାନିଲେ ପାକିସ୍ତାନ ସାମ୍ବାଦିକ, ଆଇଏସଆଇ ପାଇଁ ଭାରତରେ କରୁଥିଲେ ଗୁଇନ୍ଦାଗିରି

ଇସଲାମାବାଦ: ଭାରତରେ ଗୁଇନ୍ଦାଗିରି କରିଥିବା ସ୍ୱୀକାର କରିଛନ୍ତି ପାକିସ୍ତାନର ଜଣେ ସାମ୍ବାଦିକ। ବିଭିନ୍ନ ଗଣମାଧ୍ୟମରେ ସ୍ତମ୍ଭ ଲେଖୁଥିବା ନୁଶରତ ମିର୍ଜା ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ କଥାରେ ଭାରତରେ ଗୁଇନ୍ଦାଗିରି କରୁଥିଲେ। ୨୦୦୭ରୁ ୨୦୧୦ ମଧ୍ୟରେ ସେ ଭାରତ ଗସ୍ତରେ ଆସି ଦିଲ୍ଲୀ ଠାରୁ ଆରମ୍ଭ କରି ଆଲିଗଡ଼ରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ଗୁଇନ୍ଦାଗିରି କରୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ମିର୍ଜା ୨୦୦୯ ମସିହା ଅକ୍ଟୋବର ୨୭ରେ ଦିଲ୍ଲୀର ଓବେରୋଇ ହୋଟେଲରେ ଆୟୋଜିତ ଆତଙ୍କବାଦ […]

pakistan

Hemant Lenka
  • Published: Tuesday, 12 July 2022
  • , Updated: 12 July 2022, 06:23 PM IST

ଇସଲାମାବାଦ: ଭାରତରେ ଗୁଇନ୍ଦାଗିରି କରିଥିବା ସ୍ୱୀକାର କରିଛନ୍ତି ପାକିସ୍ତାନର ଜଣେ ସାମ୍ବାଦିକ। ବିଭିନ୍ନ ଗଣମାଧ୍ୟମରେ ସ୍ତମ୍ଭ ଲେଖୁଥିବା ନୁଶରତ ମିର୍ଜା ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ କଥାରେ ଭାରତରେ ଗୁଇନ୍ଦାଗିରି କରୁଥିଲେ। ୨୦୦୭ରୁ ୨୦୧୦ ମଧ୍ୟରେ ସେ ଭାରତ ଗସ୍ତରେ ଆସି ଦିଲ୍ଲୀ ଠାରୁ ଆରମ୍ଭ କରି ଆଲିଗଡ଼ରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ଗୁଇନ୍ଦାଗିରି କରୁଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ମିର୍ଜା ୨୦୦୯ ମସିହା ଅକ୍ଟୋବର ୨୭ରେ ଦିଲ୍ଲୀର ଓବେରୋଇ ହୋଟେଲରେ ଆୟୋଜିତ ଆତଙ୍କବାଦ ବିରୋଧରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଇଥିଲେ। ଏହି ସମୟରେ ମିର୍ଜାଙ୍କୁ ଜାମା ମସଜିଦର ଶାହି ଇମାମ ଅହମ୍ମଦ ବୁଖାରୀ ଓ ୟାହାୟା ବୁଖାରୀ ସ୍ୱାଗତ ମଧ୍ୟ କରିଥିଲେ।

ଜାମା ମସଜିଦ ୟୁନାଇଟେଡ ଫୋରମ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଉପ ରାଷ୍ଟ୍ରପତି ହମିଦ ଅନସାରୀ, କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଓ ମଧୁ କିଶୱାର ପ୍ରମୁଖ ମଧ୍ୟ ଯୋଗ ଦେଇଥିଲେ। ଏହି ସମୟରେ ସେ ବିଭିନ୍ନ ପ୍ରକାରର ତଥ୍ୟ ଭାରତରୁ ସଂଗ୍ରହ କରିଥିଲା।

ଜୁଲାଇ ୧୧ରେ ମିର୍ଜା କହିଥିଲେ ଯେ ଭାରତ ଗସ୍ତରେ ଯିବା ସମୟରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଅନେକ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଥିଲା। ମହମ୍ମଦ ହମିଦ ଅନସାରୀ ଭାରତର ଉପ ରାଷ୍ଟ୍ରପତି ଥିବା ବେଳେ ମୋତେ ନୂଆଦିଲ୍ଲୀକୁ ନିମନ୍ତ୍ରଣ କରାଯାଇଥିଲା। ମୁଁ ଭାରତରୁ ପାଇଥିବା ତଥ୍ୟକୁ ପାକିସ୍ତାନର ଆର୍ମି ମୁଖ୍ୟଙ୍କୁ ଦେବା ପାଇଁ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଖୁର୍ସିଦ କହିଥିଲେ। ହେଲେ ମୁଁ ତାଙ୍କୁ ତଥ୍ୟ ଦେଇ ପାରିବି ନାହିଁ ବୋଲି କହିଥିଲି। ଯଦି ଖୁର୍ସିଦ ତଥ୍ୟ ଚାହାନ୍ତି, ତା’ହେଲେ ମୁଁ ତାଙ୍କୁ ଏହା ଦେବାକୁ ରାଜି ଥିବା କହିଥିଲି। ସେ ମୋ ଠାରୁ ତଥ୍ୟ ନେବା ପରେ ଖୁର୍ସିଦ ପୂର୍ବତନ ଆର୍ମି ମୁଖ୍ୟ ଜେନେରାଲ ଆଶଫାକ ପରଭେଜଙ୍କୁ ଦେଇଥିବା ମିର୍ଜା କହିଛନ୍ତି।

ମିର୍ଜା ଆହୁରି କହିଛନ୍ତି, “ସେମାନେ ମୋତେ ଫୋନ କରି ଅଧିକ ତଥ୍ୟ ଆଣି ପାରିବି କି ବୋଲି ପ୍ରଶ୍ନ କରିଥିଲେ। ମୁଁ ତାଙ୍କୁ କହିଥିଲି ଯେ ମୁଁ ଯାହା ତଥ୍ୟ ଦେଇଛି ପ୍ରଥମେ ତା’ ଉପରେ କାମ କର। ତୁମ ମାନଙ୍କ ପାଖରେ ରିସର୍ଚ୍ଚ ଟିମ ରହିଛି। ସେମାନଙ୍କ ପାଖରେ ମୁଁ ଦେଇଥିବା ତଥ୍ୟ ରହିଛି। ସେମାନେ ଭାରତୀୟ ନେତୃବୃନ୍ଦଙ୍କ ଦୁର୍ବଳତା ବିଷୟରେ ଭଲ ଭାବେ ଜାଣିଥିଲେ। କିନ୍ତୁ ସେମାନେ ଏହାର ବ୍ୟବହାର କରି ନଥିଲେ।”

୨୦୦୭ ଓ ୨୦୧୦ରେ ମିର୍ଜା ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ଛାତ୍ର ସେମିନାରକୁ ସମ୍ବୋଧନ କରୁଥିବା ବେଳର ଫଟୋ ଇଣ୍ଟରନେଟରେ ରହିଛି। ସେ କହିଛନ୍ତି, “ଆମେ ଯେତେବେଳେ ଭାରତ ଗସ୍ତରେ ଯିବାକୁ ଭିସା ଆବେଦନ କରୁ ଆମକୁ ସାଧାରଣତଃ ୩ଟି ସ୍ଥାନକୁ ଯିବା ପାଇଁ ଅନୁମତି ମିଳେ। ହେଲେ ଖୁର୍ସିଦ କସୁରି ବୈଦେଶିକ ମନ୍ତ୍ରୀ ଥିବାରୁ ମୋତେ ୭ଟି ସହର ବୁଲିବାକୁ ଭିସା ମିଳିଥିଲା।”

୨୦୧୦ ଫେବୃଆରୀ ମାସରେ ମିର୍ଜା ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ସମୟରେ ତାଙ୍କ ସହ ପାକିସ୍ତାନର ଗୋଟିଏ ପ୍ରତିନିଧି ଦଳ ମଧ୍ୟ ଭାରତ ଗସ୍ତରେ ଆସିଥିଲେ। ମିର୍ଜା କହିଛନ୍ତି, “ମୁଁ ଭାରତ ଗସ୍ତରେ ୫ ଥର ଯାଇଛି। ମୁଁ ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, ପାଟନା ଓ କୋଲକାତା ବୁଲିଛି। ୨୦୧୧ରେ ମୁଁ ମିଲ୍ଲି ଗାଜେଟର ପବ୍ଲିଶର ଜଫରୁଲ ଇସଲାମ ଖାନଙ୍କୁ ଭେଟିଥିଲି।”

ମିର୍ଜା ଜଣେ ଭାରତ ବିରୋଧୀ ବ୍ୟକ୍ତି ଭାବେ ପରିଚିତ। ସେ ଅନେକ ଭାରତ ବିରୋଧ କାର୍ଯ୍ୟକ୍ରମ ଆୟୋଜନ କରିବାର ନଜିର ମଧ୍ୟ ରହିଛି। ନିକଟରେ ସେ ପାକିସ୍ତାନ ସୁପର ଲିଗକୁ ଭାରତ ବିରୋଧୀ ହାଇବ୍ରିଡ ୱାର ଭାବେ ନାମିତ କରିଥିଲେ।

Related story