କୋଲକାତା: ଦୀର୍ଘ ୨ ବର୍ଷ ପରେ ଭାରତ-ବାଂଲା ଦେଶ ମଧ୍ୟରେ ଟ୍ରେନ୍ ସେବା ଆରମ୍ଭ ହୋଇଛି। ମହାମାରୀ କରୋନା ଯୋଗୁ ବନ୍ଦ ଥିବା ରେଳସେବା ପୁଣି ଥରେ ଆଜିଠାରୁ ଶୁଭାରମ୍ଭ ହୋଇଛି। ଆଜି କୋଲକାତାରେ ବନ୍ଧନ ଏକ୍ସପ୍ରେସ୍କୁ ପତାକା ଦେଖାଇ ଯାତ୍ରା ଆରମ୍ଭ ହୋଇଥିଲା।
ପୂର୍ବତଟ ରେଲୱେ ପକ୍ଷରୁ ଏହି ସେବା ଆରମ୍ଭ ହୋଇଥିବା ବେଳେ ବନ୍ଧନ ଏକ୍ସପ୍ରେସ୍ କୋଲକାତାରୁ ପଡ଼ୋଶୀ ବଂଲାଦେଶର ଖୁଲଣକୁ ଯାତ୍ରା କରିଛି। ସେହିପରି ମୈତ୍ରୀ ଏକ୍ସପେସ୍କୁ ମଧ୍ୟ କୋଲକାତାରୁ ଢାକା ଯାତ୍ରା ପାଇଁ ପ୍ରସ୍ତୁତ କରାଯାଇଛି। ଏହି ଟ୍ରେନ୍ ଆସନ୍ତାକାଲି କୋଲକାତାରୁ ଢାକା ଅଭିମୁଖେ ଯାତ୍ରା କରିବ। ୨୦୨୦ ମାର୍ଚ୍ଚ ମାସ ପରଠାରୁ ଉଭୟ ଦେଶ ମଧ୍ୟରେ ପୁଣି ଥରେ ଏହି ଟ୍ରେନ୍ ସେବା ଆରମ୍ଭ ହୋଇଥିବାରୁ ଯାତ୍ରୀଙ୍କୁ ଖୁସି ଆଣିଦେଇଛି।
କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ହେଲା ଦୁଇ ଦେଶ ମଧ୍ୟରେ ପାସେଞ୍ଜର ଟ୍ରେନ୍ ସେବାକୁ ବାତିଲ କରାଯାଇଥିଲା। ତେବେ ଆଜି ସକାଳ ୭ଟା ୧୦ରେ କୋଲକାତା ଷ୍ଟେସନରେ ବନ୍ଧନ ଏକ୍ସପ୍ରେସ୍ ବଂଲାଦେଶେ ଅଭିମୁଖେ ଗଡ଼ିଥିଲା। ପୂର୍ବତଟ ରେଳବାଇ ପକ୍ଷରୁ ମୁଖପାତ୍ର ଏକଲବ୍ୟ ଚକ୍ରବର୍ତ୍ତୀ ଏହି ସୂଚନା ଦେଇଛନ୍ତି। କୋଲକାତାରୁ ଖୁଲଣ ମଧ୍ୟରେ ବନ୍ଧନ ଏକ୍ସପ୍ରେସ୍ ସପ୍ତାହକୁ ୨ ଥର ,ମୈତ୍ରୀ ଏକ୍ସପ୍ରେସ୍ କୋଲକାତାରୁ ଢାକାକୁ ସପ୍ତାହକୁ ୫ ଥର ଯାତ୍ରା କରିବ। ଏହି ଟ୍ରେନ୍ ସେବା ଆରମ୍ଭ ହେବା ପରେ ଉଭୟ ଦେଶର ସୀମାର ଯାତ୍ରୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଲିଛି। ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି ଯେ, ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଟ୍ରେନ୍ ଟିକେଟ ସମ୍ପୂର୍ଣ୍ଣ ବୁକିଂ ହୋଇଛି।
ଉଭୟ ଦେଶକୁ ଗମନାଗମନ ପାଇଁ ଟ୍ରେନ୍ ଯାତ୍ରା ସୂଲଭ ମୂଲ୍ୟ ଥିବାରୁ ଯାତ୍ରୀମାନେ ବେଶ ପସନ୍ଦ କରୁଛନ୍ତି। ଫଳରେ ରେଳଯାତ୍ରାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଯାତ୍ରୀ। ଗୋଟିଏ ଟ୍ରେନ୍ରେ ୪୫୦ ଜଣ ଯାତ୍ରୀ ଯାଇପାରିବେ। ସେହିପରି ଯାତ୍ରୀଙ୍କ ଆରାମ ପାଇଁ ଏସି ଚେୟାର ଏବଂ ଏକଜିକ୍ୟୁଟିଭ କାଟାଗୋରି ବ୍ୟବସ୍ଥା ରହିଛି । ସେହିପରି ଉଭୟ ଦେଶ ମଧ୍ୟରେ ଗମନାଗମନକୁ ଅଧିକ ସକ୍ରିୟ ପାଇଁ ଜୁନ୍ ୧ରୁ ମିତାଲ ଟ୍ରେନ୍ ଯାତ୍ରା କରିବ। ଏହି ନୂତନ ସେବା ଉତ୍ତର ପଶ୍ଚିମବଙ୍କର ପର୍ଯ୍ୟଟନସ୍ଥଳକୁ ଯାତ୍ରୀଙ୍କୁ ଆକର୍ଷିତ କରିବାରେ ସହାୟକ ହେବ। କାରଣ ଅନେକ ବାଂଲାଦେଶୀ ପର୍ଯ୍ୟଟକଭାବେ ଦାର୍ଜେଲିଂ ଓ ଅନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ହିଲି ଅଞ୍ଚଳକୁ ଆସିବାକୁ ପସନ୍ଦ କରିଥାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।