୧୭ ବର୍ଷ କାଳ ବୁଲିବୁଲି ଭାଓଲିନ ବଜାଇଲେ, ପତ୍ନୀଙ୍କ କ୍ୟାନସର ଭଲ କଲେ

କୋଲକାତା: ପ୍ରେମ ଆଗରେ ଅର୍ଥ କେବେ ହେଲେ ବାଧକ ସାଜେନାହିଁ। ଇଚ୍ଛାଶକ୍ତି ଆଗରେ ବୟସ ବି ହାରମାନେ। ପତ୍ନୀଙ୍କ ପ୍ରତି ଥିବା ଅନାବିଳ ପ୍ରେମ ଜଣେ ବୃଦ୍ଧଙ୍କୁ କେମିତି ଭାଓଲିନ ବାଦକ ସଜାଇ ଦେଇଛି, ତା’ର ପୂରା କାହାଣୀ ଆମେ ଆଜି ଆପଣମାନଙ୍କୁ କହିବୁ। ଏହି ପ୍ରେମ କାହାଣୀର ନାୟକ ହେଉଛନ୍ତି ୭୭ ବର୍ଷୀୟ ସ୍ୱପ୍ନ ସେଟ୍‌। ତାଙ୍କ ଘର କୋଲକାତାର ବଳରାମ ଦେ ଷ୍ଟ୍ରିଟ୍‌ରେ। ୨୦୦୨ ମସିହାରେ ହଠାତ୍‌ ସ୍ୱପ୍ନଙ୍କ ପତ୍ନୀ ଉଟ୍ରେସ କ୍ୟାନସରରେ ପୀଡ଼ିତ […]

Swapan-Sett

Hemant Lenka
  • Published: Tuesday, 13 April 2021
  • , Updated: 13 April 2021, 08:38 PM IST

କୋଲକାତା: ପ୍ରେମ ଆଗରେ ଅର୍ଥ କେବେ ହେଲେ ବାଧକ ସାଜେନାହିଁ। ଇଚ୍ଛାଶକ୍ତି ଆଗରେ ବୟସ ବି ହାରମାନେ। ପତ୍ନୀଙ୍କ ପ୍ରତି ଥିବା ଅନାବିଳ ପ୍ରେମ ଜଣେ ବୃଦ୍ଧଙ୍କୁ କେମିତି ଭାଓଲିନ ବାଦକ ସଜାଇ ଦେଇଛି, ତା’ର ପୂରା କାହାଣୀ ଆମେ ଆଜି ଆପଣମାନଙ୍କୁ କହିବୁ।

ଏହି ପ୍ରେମ କାହାଣୀର ନାୟକ ହେଉଛନ୍ତି ୭୭ ବର୍ଷୀୟ ସ୍ୱପ୍ନ ସେଟ୍‌। ତାଙ୍କ ଘର କୋଲକାତାର ବଳରାମ ଦେ ଷ୍ଟ୍ରିଟ୍‌ରେ। ୨୦୦୨ ମସିହାରେ ହଠାତ୍‌ ସ୍ୱପ୍ନଙ୍କ ପତ୍ନୀ ଉଟ୍ରେସ କ୍ୟାନସରରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ପଡ଼ିବାରୁ ସେ ତୁରନ୍ତ ଅପରେସନ କରିପାରିବେ ନାହିଁ ବୋଲି କହିଥିଲେ।

ତେବେ ପତ୍ନୀଙ୍କୁ ଭଲ କରିବାର ସ୍ୱପ୍ନ ଦେଖିଥିବା ସ୍ୱପ୍ନ ସେଟ୍ ଅର୍ଥ ଯୋଗାଡ଼ କରିବାରେ ଲାଗିଥିଲେ। ଗୋଟିଏ ପଟେ ପତ୍ନୀ କ୍ୟାନସର ସହ ଲଢ଼ୁଥିବା ବେଳେ ଅନ୍ୟପଟେ ସେ ସାରା ଦେଶ ବୁଲି ଭାଓଲିନ ବଜାଇ ଅର୍ଥ ସଂଗ୍ରହ କରିବାରେ ଲାଗିଥିଲେ। ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ, ଦୀର୍ଘ ୧୭ ବର୍ଷ କାଳ ଭାରତର ବିଭିନ୍ନ ସ୍ଥାନରେ ବୁଲିବୁଲି ସେ ଭାଓଲିନ ବଜାଇଛନ୍ତି। ଭାଓଲିନ ବଜାଇ ସେ ଯେଉଁ ଅର୍ଥ ସଂଗ୍ରହ କରୁଥିଲେ, ସେହି ଅର୍ଥକୁ ଏକାଠି କରି ରଖୁଥିଲେ।

ଏହି ଅର୍ଥରେ ସେ ପତ୍ନୀଙ୍କ ଚିକିତ୍ସା ମଧ୍ୟ କରିଥିଲେ। ଶେଷରେ ୨୦୧୯ରେ ସ୍ୱପ୍ନଙ୍କ ସ୍ୱପ୍ନ ସାକାର ହୋଇଥିଲା। ତାଙ୍କ ପତ୍ନୀ ଉଟ୍ରେସ କ୍ୟାନସର୍‌ରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଥିଲେ। ସମସ୍ତେ ଭାବୁଥିଲେ ବୟସ ୭୭ ହୋଇଯାଇଥିବାରୁ ସ୍ୱପ୍ନ ଆଉ ଭାଓଲିନ ବଜାଇବେ ନାହିଁ। କିନ୍ତୁ ଯେଉଁ କାମ ପାଇଁ ତାଙ୍କ ପତ୍ନୀ ଭଲ ହୋଇଛନ୍ତି, ସେ ଆଦୌ ଏହାକୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ।

ବୟସ ମଧ୍ୟ ତାଙ୍କ ଇଚ୍ଛାଶକ୍ତି ଆଗରେ ହାର ମାନିଥିଲା। ସେ ଏବେ ବି ବିଭିନ୍ନ ମଲ ଆଗରେ ଓ ରାସ୍ତାରେ ଭାଓଲିନ ବଜାଇଉଛନ୍ତି। ବିଭିନ୍ନ ସହରକୁ ଯାଇ ନିଜର ଭାଓଲିନ କଳାକୁ ପ୍ରଦର୍ଶନ କରୁଛନ୍ତି। ସେ ଭାଓଲିନ ବଜାଇବା ବେଳେ ସର୍ବଦା ଧଳା ରଙ୍ଗର କୁର୍ତ୍ତା ଓ ଧୋତି ପିନ୍ଧି ଥାଆନ୍ତି। ନିକଟରେ ସେ କୋଲକାତାର ଗୋଟିଏ ମଲ ଆଗରେ ଭାଓଲିନ ବଜାଇଉଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅନେକ ଲୋକ ଏହାକୁ ଶେୟାର କରିବା ପରେ ତାଙ୍କ ବିଷୟରେ ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ବଢ଼ିଥିଲା। ସ୍ୱପ୍ନଙ୍କ ସଂଘର୍ଷର କାହାଣୀ ଜାଣିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।

Related story