ନୂଆଦିଲ୍ଲୀ: ଯୋଶୀମଠ ଭୂସ୍ଖଳନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହିତ ଫୋନରେ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ତଥା ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ପିଏମ୍ଓ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ସଚିବ ଡକ୍ଟର ପି.କେ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ କ୍ୟାବିନେଟ ସଚିବ, କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟମାନେ ଯୋଗଦେଇଥିଲେ।
ଏମାନଙ୍କ ବ୍ୟତୀତ ଯୋଶୀ ମଠ ଜିଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏଥିରେ ସାମିଲ ହୋଇଥିଲେ। ଉତ୍ତରାଖଣ୍ଡର ଧାର୍ମିକ ପର୍ଯ୍ୟଟନ ପଗର ଯୋଶୀମଠ ଧସିବାରେ ଲାଗିଛି। ଏହାଦ୍ୱାରା ସେଠାରେ ଥିବା ଘର ଓ ବିଲ୍ଡିଂରେ ଭୟଙ୍କର ଫାଟ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ ଅନେକ ଘର ଭୁଶୁଡି ମଧ୍ୟ ପଡିଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଲୋକେ ଶୀତ କାକରରେ ବାହାରେ ଦିନ କାଟୁଛନ୍ତି।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଶନିବାର ଯୋଶୀମଠ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ପ୍ରଭାବିତ ପରିବାର ସହ ସାକ୍ଷାତ କରିଥିଲେ। ସମସ୍ତ ବିସ୍ଥାପିତଙ୍କ ପୁର୍ନବସତି ପାଇଁ ଜମି ଚିହ୍ନଟ ହେବ ବୋଲି କହିବା ସହ ୬ ମାସ ଯାଏଁ ଏମାନଙ୍କୁ ମାସିକ ୪୦୦୦ ଟଙ୍କା ଦେବାକୁ ଘୋଷଣା କରିଥିଲେ। ଏଥିସହ ପ୍ରଭାବିତଙ୍କୁ ଆବଶ୍ୟକୀୟ ସାମଗ୍ରୀ ଓ ସୁରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।