ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସିକନ୍ଦରାବାଦ ଓ ବିଶାଖାପାଟନାମ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରନସିଂ ଜରିଆରେ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ମୋଦି କହିଛନ୍ତି ଏହି ବନ୍ଦେ ଭାରତ ଏକ୍ସପ୍ରେସ ସେହି ଭାରତର ପ୍ରତିକ ଯାହା ତା’ର ନାଗରିକଙ୍କୁ ଭଲ ସୁବିଧା ଦେବାକୁ ଚାହୁଁଛି । ଏହା ସେହି ଭାରତର ପ୍ରତୀକ ଯାହା ଗୋଲାମି ମାନସିକତାରୁ ବାହାରି ଆତ୍ମନିର୍ଭରତା ଆଡକୁ ପାଦ ବଢାଉଛି । ମୋଦି ଆହୁରି କହିଛନ୍ତି ଆଜି ବନ୍ଦେ ଭାରତକୁ ନେଇ ଯେଉଁଭଳି ଭାବେ ଶୀଘ୍ର କାମ ହେଉଛି ତାହା ବାସ୍ତବରେ ପ୍ରଶଂସନୀୟ ।
୨୦୨୩ ବା ନୂଆ ବର୍ଷରେ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଥମ ଥର ପାଇଁ ଗଡ଼ିଛି । କିନ୍ତୁ ୧୫ ଦିନ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଏହା ଦ୍ୱିତୀୟ ଉଦଘାଟନ । ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ ଆହୁରି କହିଛନ୍ତି, ଯେତେବେଳେ ସଂଯୋଗ ଓ ଭିତ୍ତିଭୂମି ଏକାଠି ହୁଏ ତାହା ସ୍ୱପ୍ନ ଓ ବାସ୍ତବତାକୁ ଏକାଠି ଯୋଡ଼ିଥାଏ । ଆଜିଠୁ ସିକନ୍ଦରାବାଦ ଓ ବିଶାଖାପାଟଣାକୁ ଗଡ଼ିଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ରେଳବାଇ ମଧ୍ୟ ତାର ସୂଚନା ରଖିଛି । ଟ୍ରେନର ସକ୍ଷମତାକୁ ନେଇ ବିବରଣୀ ଦେଇଛି ରେଳ ବିଭାଗ । ତାହା ସହ ଏହି ଟ୍ରେନ୍ ସିକନ୍ଦରାବାଦ ଓ ବିଶାଖାପାଟଣାକୁ ଯାତାୟାତ କରିବାକୁ ୮ ଘଣ୍ଟା ସମୟ ଲାଗିବ ବୋଲି କୁହାଯାଇଛି । ଏହା ଭାରତର ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ ବୋଲି କହିଛି ରେଳବାଇ ।