ଡିସେମ୍ବର ୩୧ରେ ଆତଙ୍କୀ ହମଲା ଆଶଙ୍କା, ସବୁ ପୁଲିସ୍‌ଙ୍କ ଛୁଟି ବାତିଲ

ମୁମ୍ବାଇ: ଡିସେମ୍ବର ୩୧ କିମ୍ବା ନୂଆବର୍ଷ ଦିନ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଭୟଙ୍କର ଆତଙ୍କୀ ହମଲାର ଆଶଙ୍କା ପ୍ରକାଶ ପାଇଛି। ଗୁଇନ୍ଦା ବିଭାଗ ପକ୍ଷରୁ ଏପରି ରିପୋର୍ଟ ମିଳିବା ପରେ ମୁମ୍ବାଇରେ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ସବୁ ପୁଲିସ୍‌ କର୍ମଚାରୀ ଓ ଅଧିକାରୀଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି। ଆଜିଠାରୁ ହିଁ ବିଭିନ୍ନ ସ୍ଥାନରେ ଚେକିଂକୁ କଡ଼ାକଡ଼ି କରାଯାଉଛି। ମୁମ୍ବାଇ ପୁଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ଓ ୧ ତାରିଖ ଦିନ […]

police

Hemant Lenka
  • Published: Thursday, 30 December 2021
  • , Updated: 30 December 2021, 08:33 PM IST

ମୁମ୍ବାଇ: ଡିସେମ୍ବର ୩୧ କିମ୍ବା ନୂଆବର୍ଷ ଦିନ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଭୟଙ୍କର ଆତଙ୍କୀ ହମଲାର ଆଶଙ୍କା ପ୍ରକାଶ ପାଇଛି। ଗୁଇନ୍ଦା ବିଭାଗ ପକ୍ଷରୁ ଏପରି ରିପୋର୍ଟ ମିଳିବା ପରେ ମୁମ୍ବାଇରେ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ସବୁ ପୁଲିସ୍‌ କର୍ମଚାରୀ ଓ ଅଧିକାରୀଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି। ଆଜିଠାରୁ ହିଁ ବିଭିନ୍ନ ସ୍ଥାନରେ ଚେକିଂକୁ କଡ଼ାକଡ଼ି କରାଯାଉଛି।

ମୁମ୍ବାଇ ପୁଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ଓ ୧ ତାରିଖ ଦିନ ଖଲିସ୍ତାନୀ ଗୋଷ୍ଠୀ ମୁମ୍ବାଇରେ ଆକ୍ରମଣ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ପୂରା ମୁମ୍ବାଇରେ ହାଇଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ସବୁ ପୁଲିସ୍‌ କର୍ମଚାରୀ ଓ ଅଧିକାକାରୀଙ୍କ ଛୁଟି ଏବଂ ଅଫକୁ ବାତିଲ କରାଯାଇଛି। ତେଣୁ ସମସ୍ତେ ବିଭିନ୍ନ ସ୍ଥାନରେ ଡ୍ୟୁଟି କରିବେ।

ସମ୍ଭାବ୍ୟ ହମଲାକୁ ଦୃଷ୍ଟିରେ ରଖି ଆଜିଠାରୁ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷ କରି ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ବ୍ୟାରିକେଡ୍‌ କରାଯାଇ ଯାଞ୍ଚ କରାଯାଉଛି। ମୁମ୍ବାଇରେ ଥିବା ରେଳ ଷ୍ଟେସନ ଓ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

ଦାଦର, ବାନ୍ଦ୍ରା, ଚର୍ଚ୍ଚଗେଟ, ଛତ୍ରପତି ଶିବାଜୀ ମହାରାଜ ଟମ୍ରିନସ, କୁର୍ଲା ଓ ଅନ୍ୟ ଷ୍ଟେସନରେ ଅତିରିକ୍ତ ସୁରକ୍ଷାବଳଙ୍କୁ ମୁତୟନ କରାଯାଇଛି। ମୁମ୍ବାଇ ରେଳବାଇର ପୁଲିସ କମିଶନର ଖାଲିଦ କହିଛନ୍ତି, “ରେଳ ଷ୍ଟେସନରେ ଆସନ୍ତାକାଲି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବାକୁ ୩ ହଜାର ଅଧିକାରୀ ମୁତୟନ ହେବେ। ସବୁ ପ୍ରକାରର ପରିସ୍ଥିତିର ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ରହିଛୁ।”

ନିକଟରେ ପଞ୍ଜାବର ଲୁଧିଆନା କୋର୍ଟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହା ପଛରେ ଶିଖ ଫର ଜଷ୍ଟିସ(ଏସଏଫଜେ) ଗୋଷ୍ଠୀର ହାତ ଥିବା ଜଣାପଡ଼ିଛି। ଏହି ଖଲିସ୍ତାନୀ ଆତଙ୍କୀମାନେ ଏବେ ମୁମ୍ବାଇରେ ମଧ୍ୟ ବଡ଼ଧରଣର ହମଲା କରିବା ପାଇଁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ଆଶଙ୍କା କରିଛି।


ସୂଚନାଯୋଗ୍ୟ, ମୁମ୍ବାଇରେ ଏବେ ଓମିକ୍ରନ ଜନିତ ସଂକ୍ରମଣ ଯୋଗୁ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ ନୂଆବର୍ଷ ଉପଲକ୍ଷେ ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଛି।

Related story