ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ନେଇ ମଙ୍ଗଳବାର ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଏକ ଚର୍ଚ୍ଚିତ ବୟାନ ଦେଇଛନ୍ତି। କ୍ରିକେଟରରୁ ରାଜନେତା ହୋଇଥିବା ସିଦ୍ଧୁ କହିଛନ୍ତି ଯେ, କଂଗ୍ରେସରେ ମିଶିବା ପାଇଁ ପ୍ରଶାନ୍ତ କିର ତାଙ୍କୁ ୭୦ ଥର ଭେଟିଛନ୍ତି। ୨୦୧୭ ପଞ୍ଜାବ ବିଧାନ ସଭା ନିର୍ବାଚନରେ ପ୍ରଶାନ୍ତ କିଶୋର କଂଗ୍ରେସର କ୍ୟାମ୍ପେନିଂ ରଣନୀତି ଦାୟିତ୍ୱ ସମ୍ଭାଳିଥିଲେ। ତେବେପ୍ରଶାନ୍ତଙ୍କ କଂଗ୍ରେସରେ ମିଶିବା ପାଇଁ ବହୁତ ଇଚ୍ଛା ଥିଲା।
ଏଥିପାଇଁ ସେ ମୋତେ ପାଖାପାଖି ୭୦ ଥର ଭେଟିଥିବା ସିଦ୍ଧୁ କହିଛନ୍ତି । ପୂର୍ବରୁ ସିଦ୍ଧୁଙ୍କୁ ନେଇ ପ୍ରଶାନ୍ତ କିଶୋର ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯଦି ପଞ୍ଜାବ କଂଗ୍ରେସରେ ସିଦ୍ଧୁ ମଙ୍ଗ ଧରନ୍ତି ତେବେ ଦଳ ୩୦ରୁ ୩୫ଟି ଆସନ ପାଇବ ନାହିଁ ବୋଲି ପ୍ରଶାନ୍ତ କିଶୋର କହିଥିଲେ। ସୂଚନା ଅନୁଯାୟୀ, ପ୍ରଶାନ୍ତ କଂଗ୍ରେସକୁ ଫେରିବା ନେଇ ବୁଝାମଣା ବିଫଳ ହେବା ପରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ପ୍ରଶାନ୍ତ କାହିଁକି ଦଳରେ ମିଶିଲେ ନାହିଁ ସେ ସମ୍ପର୍କରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ସ୍ପଷ୍ଟୀକରଣ ରଖିଥିବା ବେଳେ ପ୍ରଶାନ୍ତ ମଧ୍ୟ ବେଳ କାଳ ଦେଖି ଟାର୍ଗେଟ କରୁଛନ୍ତି। କିଛି ଦିନ ପୂର୍ବେ କଂଗ୍ରେସରେ ଗଣତନ୍ତ୍ର ନାହିଁ ବୋଲି ପ୍ରଶାନ୍ତ କିଶୋର କହିଥିଲେ।
ଯଦି ଦଳକୁ ବଞ୍ଚାଇବାକୁ ପଡିବ, ତେବେ ଗଣତାନ୍ତ୍ରିକ ଉପାୟରେ ଗାନ୍ଧୀ ପରିବାର ବାହାରୁ ଜଣେ ନେତାଙ୍କୁ ଅଧ୍ୟକ୍ଷ ଭାବରେ ଚୟନ କରିବାକୁ ସେ ପରାମର୍ଶ ଦେଇଥିଲେ । ସେ କହିଛନ୍ତି ଯେ ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ବିନା ମଧ୍ୟ ବିଜେପି ବିରୋଧୀ ସାମ୍ମୁଖ୍ୟ ଗଠନ ସମ୍ଭବ। ସେ କହିଥିଲେ ମୋଦୀଙ୍କ ନେତୃତ୍ୱରେ ବିଜେପି ବହୁତ ଶକ୍ତିଶାଳୀ ହୋଇସାରିଛି। ବିଜେପିକୁ ପରାସ୍ତ କରିବାକୁ ଏକ ଦୃଢ ରଣନୀତି କରିବାକୁ ପଡିବ। ସେ କହିଥିଲେ ଯେ, ୧୯୮୪ ପରେ କଂଗ୍ରେସ ଗୋଟିଏ ବି ଲୋକସଭା ନିର୍ବାଚନରେ ନିଜ ଦମରେ ଜିତିନାହିଁ। ଗତ ଦଶ ବର୍ଷ ମଧ୍ୟରେ କଂଗ୍ରେସ ୯୦ ପ୍ରତିଶତ ନିର୍ବାଚନରେ ପରାଜିତ ହୋଇଛି।