କୋଲକାତା: ସାକ୍ଷୀଙ୍କୁ ସୁରକ୍ଷା ଦିଅ। ଗାଁରେ ତୁରନ୍ତ ସିସିଟିଭି ଲଗାଅ। ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ରାମପୁରହାଟରେ ଘଟିଥିବା ଅଗ୍ନିକାଣ୍ଡ ଓ ହିଂସା ଘଟଣାକୁ ଗୁରୁତ୍ୱର ସହ ନେଇ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କଲିକତା ହାଇକୋର୍ଟ । ଏହି ଘଟଣାର ଷ୍ଟାଟସ୍ ରିପୋର୍ଟ ଆଜି ୨ଟା ସୁଦ୍ଧା ଦାଖଲ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ବି ଦେଇଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଘଟଣାସ୍ଥଳକୁ ଯିବେ ବୋଲି ଜଣାପଡ଼ିଛି । ଅନ୍ୟପଟେ ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଦର୍ଶାଇ ରାଷ୍ଟ୍ରପତି ଶାସନ ଜାରି କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ।
ଗତ ଏକ ମାସରେ ରାଜ୍ୟରେ ୨୬ଟି ରାଜନୈତିକ ହତ୍ୟା ହୋଇସାରିଲାଣି । ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ର୍ନିବାଚନୀ ଓ ର୍ନିବାଚନୀ ପର ହିଂସାରେ ଅନେକ ଲୋକ ପ୍ରାଣ ହରାଇସାରିଲେଣି । ରାଜ୍ୟରେ ଏବେ ଭୟ ଓ ଆତଙ୍କର ବାତାବରଣ ରହିଛି । ଏଣୁ ରାଜ୍ୟରେ ସମ୍ବିଧାନର ଧାରା ୩୫୫ ଲଗାଯାଉ ବୋଲି ସେ ଯୁକ୍ତି ବାଢ଼ିଛନ୍ତି ।
ବେଙ୍ଗଲର ବୀରଭୁମର ରାମପୁରହତ ଗାଁରେ ନିଆଁ ଲଗାଇ ଡଜନେରୁ ଅଧିକ ଘର ଜାଳି ଦିଆଯାଇଛି। ଏଥିରେ ୨ ଜଣ ଶିଶୁଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି। ଟିଏମସି ପଞ୍ଚାୟତ ନେତା ଭାଦୁ ପ୍ରଧାନଙ୍କ ହତ୍ୟା ପରେ ଏମିତି ଦଙ୍ଗା ପରିସ୍ଥିତି ଉପୁଜିଥିଲା। ସୋମବାର ଭାଦୁ ପ୍ରଧାନଙ୍କୁ ଅଜଣା ଲୋକମାନେ ବୋମା ମାଡ଼ କରିଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ମଙ୍ଗଳବାର ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା।