ଏନ୍‌ଡିଏ ସ୍ୱପ୍ନ ଥିବାରୁ ଆଇଆଇଟି ସଫଳତା କଥା ଲୁଚାଇଥିଲେ ଗୌରବ

ପୁଣେ: ବିନା ସଂଘର୍ଷରେ ସଫଳତା ହାସଲ ହୁଏନି। ଏଥିପାଇଁ ଜଣକୁ  କେତେ ନିଷ୍ଠା, କେତେ ପରିଶ୍ରମ ପୁଣି କେତେ ଅଧ୍ୟବସାୟ କରିବାକୁ ପଡ଼େ। କିନ୍ତୁ ସଫଳତା ପାଇବା ପରେ ମଣିଷ ଖୁସିରେ ଆତ୍ମହରା ହୋଇ ସେ ପ୍ରକାଶ କରେ। ସାଙ୍ଗସାଥୀ, ବାପା, ମା, ବନ୍ଧୁ ବାନ୍ଧବ ସମସ୍ତଙ୍କୁ ଜଣାଏ। ଏକ ମର୍ଯ୍ୟାଦାଜନକ ସଫଳତା ହାସଲ କରିବା ପରେ ଏହାକୁ ଲୁଚାଇବା ବୋଧହୁଏ ଶୁଣି ନଥିବେ । କଥାଟି ଅତି ଅଦ୍ଭୁତ ଲାଗୁଥିଲେ ମଧ୍ୟ ସତ। ଗୋଟିଏ ସଫଳତା […]

iop

  • Published: Thursday, 01 December 2022
  • , Updated: 01 December 2022, 06:01 PM IST

ପୁଣେ: ବିନା ସଂଘର୍ଷରେ ସଫଳତା ହାସଲ ହୁଏନି। ଏଥିପାଇଁ ଜଣକୁ  କେତେ ନିଷ୍ଠା, କେତେ ପରିଶ୍ରମ ପୁଣି କେତେ ଅଧ୍ୟବସାୟ କରିବାକୁ ପଡ଼େ। କିନ୍ତୁ ସଫଳତା ପାଇବା ପରେ ମଣିଷ ଖୁସିରେ ଆତ୍ମହରା ହୋଇ ସେ ପ୍ରକାଶ କରେ। ସାଙ୍ଗସାଥୀ, ବାପା, ମା, ବନ୍ଧୁ ବାନ୍ଧବ ସମସ୍ତଙ୍କୁ ଜଣାଏ। ଏକ ମର୍ଯ୍ୟାଦାଜନକ ସଫଳତା ହାସଲ କରିବା ପରେ ଏହାକୁ ଲୁଚାଇବା ବୋଧହୁଏ ଶୁଣି ନଥିବେ । କଥାଟି ଅତି ଅଦ୍ଭୁତ ଲାଗୁଥିଲେ ମଧ୍ୟ ସତ। ଗୋଟିଏ ସଫଳତା ପାଇବା ପରେ ମଧ୍ୟ ନିଜର ଇପସିତ୍‌ ଆଶା ପୂରଣ ଦିଗରେ ଦୃଢ଼ ସଙ୍କଳ୍ପବଦ୍ଧ ଥିବା ଜଣେ ଉଦ୍ୟମୀ ଛାତ୍ର ଏହାକୁ ପରିବାରଠାରୁ ଲୁଚେଇଥିଲେ। ସେମିତି ଜଣେ ମେଧାବୀ ତଥା ଦେଶ ମାତୃକାର ସେବା ପାଇଁ ଉଚ୍ଚାକାଂକ୍ଷୀ ଥିବା ଯୁବକ ହେଉଛନ୍ତି ଗୌରବ ଯାଦବ।  ଆଇଆଇଟି ପ୍ରବେଶିକାରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ଏନଡିଏରେ ଯିବାକୁ ଇଚ୍ଛା ଥିବାରୁ ସେ ତାଙ୍କର ସଫଳତାକୁ ପରିବାରକୁ ଲୁଚାଇଥିଲେ।

ତେବେ ଦୁଇ ଦୁଇଥର ଉଦ୍ୟମ କରି ବିଫଳ ହେବା ପରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି ଗୌରବ। ବୁଧବାର ସେ ଏନଡିଏର ୧୪୩ତମ କୋର୍ସରେ ସଫଳତା ହାସଲ କରି ରାଷ୍ଟ୍ରପତିଙ୍କ ଦ୍ୱାରା ଗୋଲଡ୍‌ ମେଡାଲ ପୁରସ୍କାର ପାଇଛନ୍ତି। ଗୌରବଙ୍କ ଘର ହେଉଛନ୍ତି ରାଜସ୍ଥାନର ଅଲୱାରର। ପିଲାଟି ବେଳୁ ଏନ୍‌ଡିଏରେ ଯୋଗ ଦେବାକୁ ତାଙ୍କର ଇଚ୍ଛା ଥିଲା। କିନ୍ତୁ ଏହାରି ଭିତରେ ସେ ଆଇଆଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ତାହା ନିଜ ପରିବାରକୁ ଜଣେଇ ନଥିଲେ। ବରଂ ସେ ସାଧାରଣ ପାଠ୍ୟକ୍ରମରେ ଦିଲ୍ଲୀର ଏକ କଲେଜରେ ଆଡମିଶନ ନେଇଥିଲେ। ସେ ଭାରତୀୟ ସେନାରେ ଯୋଗ ଦେବାକୁ ଚାହୁଁଥିଲେ। ତେଣୁ ସେହି ଦିଗରେ ସେ ଉଦ୍ୟମ ଅବ୍ୟାହତ ରଖିଥିଲେ। ସେ ଦୁଇ ଦୁଇଥର ଏନଡିଏ ଲିଖିତ ପରୀକ୍ଷାରେ ପାସ୍‌ କରିଥିଲେ। କିନ୍ତୁ ସର୍ଭିସ ସିଲେକ୍ସନ ବୋର୍ଡ଼(ଏସଏସବି) ଇଣ୍ଟର୍ଭ୍ୟୁରେ ବିଫଳ ହେବାରୁ ସେ ଏନଡିଏ ଆଡମିଶନରୁ ବଞ୍ଚିତ ହୋଇଥିଲେ। କିନ୍ତୁ ତୃତୀୟଥର ବାଜି ମାରିନେଇଥିଲେ ଯାଦବ। ଇଣ୍ଟରଭ୍ୟୁରେ ସଫଳ ହେବା ପାଇଁ ସେ ଅନେକ ଥର ଦର୍ପଣ ସାମ୍ନାରେ ବସି ସାକ୍ଷାତକାର ଅଭ୍ୟାସ କରିଥିଲେ ବୋଲି ଏବେ ପ୍ରକାଶ କରିଛନ୍ତି ଗୌରବ।

ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ପଦବୀ କାର୍ଯ୍ୟକ୍ରମରେ ପରେଡ ଆୟୋଜନ ହୋଇଥିଲା। ଏହି ପରେଡରେ କମାଣ୍ଡିଂ କରିଥିଲେ ଯାଦବ। ଏହା ତାଙ୍କ ପାଇଁ ଏକ ବିରଳ ସମ୍ମାନ। ଯାହା ସେ ପାଇବେ ବୋଲି ଭାବି ନଥିବା କହିଛନ୍ତି। ଏହି ସ୍ୱପ୍ନକୁ ସାକାର ପାଇଁ ତାଙ୍କୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେ ଦୁଇଥର ଏନଡିଏ ପରୀକ୍ଷା କ୍ଲିଅର କରିଥିଲେ। କିନ୍ତୁ ସାକ୍ଷାତକାର ରାଉଣ୍ଡରେ ସଫଳ ହୋଇନଥିଲେ। ସେନାରେ ଥିବା ତାଙ୍କ ଭାଇ କହିଛନ୍ତି ଯେ, ସେ ଗୌରବଙ୍କ ମାନସିକ ସ୍ଥିତି ପାଇଁ ଚିନ୍ତିତ ଥିଲେ। କିନ୍ତୁ ଏବେ ସେ ହାସଲ କରିଥିବା ସଫଳତା ତାଙ୍କୁ ଗର୍ବିତ କରିଛି। ତାଙ୍କ କ୍ୟାରିୟରର ଏହା ଏକ ଗୌରବମୟ ଅଭିଯାନ ବୋଲି ତାଙ୍କ ଭାଇ ବିନୀତ କହିଛନ୍ତି। ସେହିପରି ଏନଡିଏ ପରେଡରେ ଗୌରବ ନେତୃତ୍ୱ ନେବା ତାଙ୍କ ପିତାମାତାଙ୍କ ପାଇଁ ବେଶ ଖୁସିର ମୂହୁର୍ତ୍ତ ଥିବା କହିଛନ୍ତି।

Related story