କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ? ଆଜି ଆସିପାରେ ନିଷ୍ପତ୍ତି

ଜୟପୁର: ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହାର ନିଷ୍ପତ୍ତି ନେବାକୁ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ବସିବ। ଶନିବାର ବିଳମ୍ବିତ ରାତିରେ ଦଳୀୟ ନେତୃବୃନ୍ଦ ବିଧାୟକ ଦଳ ବୈଠକ ରବିବାର ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ଅଶୋକ ଗେହଲଟ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବେ। ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ। ତେବେ ସେ ନିର୍ବାଚନରେ ଜିତିବା ପରେ ପଦ ଛାଡ଼ିବେ ନା ନାମାଙ୍କନ […]

sachin

  • Published: Sunday, 25 September 2022
  • , Updated: 25 September 2022, 08:04 AM IST

ଜୟପୁର: ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହାର ନିଷ୍ପତ୍ତି ନେବାକୁ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ବସିବ। ଶନିବାର ବିଳମ୍ବିତ ରାତିରେ ଦଳୀୟ ନେତୃବୃନ୍ଦ ବିଧାୟକ ଦଳ ବୈଠକ ରବିବାର ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ଅଶୋକ ଗେହଲଟ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବେ। ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ।

ତେବେ ସେ ନିର୍ବାଚନରେ ଜିତିବା ପରେ ପଦ ଛାଡ଼ିବେ ନା ନାମାଙ୍କନ ଦାଖଲ କରିବା ମାତ୍ରେ ଇସ୍ତଫା ଦେବେ,ସେକଥା ସ୍ପଷ୍ଟ ହୋଇନି। ଏହାର ନିଷ୍ପତ୍ତି ନେବାକୁ ଆଜି ବିଧାୟକ ଦଳ ବୈଠକ ବସୁଛି। ଏହି ବୈଠକରେ ସର୍ବସମ୍ମତିକ୍ରମେ ଗେହଲଟଙ୍କ ଉତ୍ତରାଧିକାରୀ କିଏ ହେବେ, ତା’ର ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗେହଲଟଙ୍କ ଉତ୍ତରାଧିକାରୀ ଭାବେ ସଚିନ ପାଇଲଟଙ୍କ ନାଁ ସବୁଠାରୁ ଆଗରେ ରହିଛି। କିନ୍ତୁ ଗେହଲଟ ଏହାକୁ ବିରୋଧ କରି ଆସୁଛନ୍ତି। ତଥାପି ଗାନ୍ଧି ପରିବାରର ସମର୍ଥନ ସଚିନଙ୍କ ସପକ୍ଷରେ ଥିବାରୁ ସେ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।

ଅନ୍ୟପକ୍ଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ ନିଜର ଜଣେ ବିଶ୍ୱସ୍ତ ନେତାଙ୍କୁ ଉତ୍ତରାଧିକାରୀ ଭାବେ ବାଛିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଦଳୀୟ ବିଧାୟକ ଓ ଗାନ୍ଧି ପରିବାର ସହ ମଧ୍ୟ ଯୋଗାଯୋଗ କରୁଛନ୍ତି। ନିକଟରେ ସେ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଗାନ୍ଧି ପରିବାର ନିକଟକୁ ଚିଠି ଲେଖିଥିଲେ। ଏହାକୁ ନେଇ ସଚିନ ପାଇଲଟ ଓ ତାଙ୍କ ସମର୍ଥନରେ ଥିବା ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଗେହଲଟଙ୍କ ସପକ୍ଷବାଦୀମାନେ ଶନିବାର ସେ କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରେ କାମ କରିବା ଦରକାର ବୋଲି ଦାବି କରିଛନ୍ତି। ହେଲେ ରାହୁଲ ଗାନ୍ଧି ୱାନ ମ୍ୟାନ, ୱାନ ପୋଷ୍ଟ କଥା କହିଥିବାରୁ ଗେହଲଟ ସପକ୍ଷବାଦୀଙ୍କୁ ନିରାଶ ହେବାକୁ ପଡ଼ିପାରେ। ପାଇଲଟଙ୍କ କ୍ୟାମ୍ପ କହିଛି ଯେ ସଚିନ ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି। ବିଧାୟକ ଦଳ ବୈଠକ ପରେ ଏକଥା ସ୍ପଷ୍ଟ ହୋଇଯିବ।

ଦଳୀୟ ସୂତ୍ର ଅନୁସାରେ, ଆଜି ବସିଥିବାକୁ ଥିବା ବିଧାୟକ ଦଳ ବୈଠକରେ ଗୋଟିଏ ସଂକଳ୍ପ ପାରିତ ହେବ। ଏଥିରେ କଂଗ୍ରେସ ସଭାପତି ହିଁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ମନୋନୀତ କରିପାରିବେ ବୋଲି ବ୍ୟବସ୍ଥା ରହିଛି। ତେଣୁ ଆଜି ଦଳର ସବୁ ବିଧାୟକଙ୍କୁ ବୈଠକରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ଦଳର ରାଜସ୍ଥାନ ପର୍ଯ୍ୟବେକ୍ଷକ ଅଜୟ ମାକେନ ଓ ମଲ୍ଲିକାର୍ଜୁନ ଖାଡଗେ ଉପସ୍ଥିତ ରହିବେ। ସେମାନେ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିବା ପରେ ହାଇକମାଣ୍ଡଙ୍କୁ ସବୁ ତଥ୍ୟ ଦେବେ। ଏହାପରେ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ।

Related story