ନୂଆଦିଲ୍ଲୀ: ଲୋକଙ୍କ ସହ ଯୋଡ଼ି ହେବାରେ କଂଗ୍ରେସ ବିଫଳ ହୋଇଛି। ଦଳ ଲୋକଙ୍କଠାରୁ ଦୂରେଇ ଯାଇଛି। ଜନତାଙ୍କ ସୁଖଦୁଃଖରେ ଦଳ ସାମିଲ ହୋଇପାରି ନାହିଁ। ଏକଥାକୁ ନିଜେ କଂଗ୍ରେସ ନେତା ରାହୁଲ ଗାନ୍ଧି ସ୍ୱୀକାର କରିଛନ୍ତି। ତେବେ ଦଳୀୟ ନେତାଙ୍କୁ ଉଦ୍ବୋଧନ ଦେଇ ଦମ୍ଭ ଦେଖାଇଛନ୍ତି ରାହୁଲ ଗାନ୍ଧି। କଂଗ୍ରେସ ପୁଣି ଥରେ ଫର୍ମକୁ ଫେରିବ। ବିଜେପି ବିରୋଧରେ ଲଢ଼ିବା ପାଇଁ ଦଳକୁ ପୁଣିଥରେ ମଜଭୁତ କରାଯିବ ବୋଲି ରାହୁଲ ଗାନ୍ଧି କହିଛନ୍ତି। କେବଳ ପୁରାତନ କଂଗ୍ରେସ ଛଡ଼ା କୌଣସି ଆଞ୍ଚଳିକ ଦଳ ବିଜେପିକୁ ଟକ୍କର ଦେଇପାରିବ ନାହିଁ। ଲୋକଙ୍କ ସହ ଯୋଗାଯୋଗକୁ ଆମେ ପୁନର୍ବାର ମଜଭୁତ କରିବୁ। ଆମେ ଦଳକୁ ସଶକ୍ତ କରିବୁ। କିନ୍ତୁ କୌଣସି ସଟକଟ୍ ଉପାୟରେ ଏହା ହୋଇପାରିବ ନାହିଁ।
ଏଥିପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ରାହୁଲ ଗାନ୍ଧି କହିଛନ୍ତି । ଭାରତରେ ପସ୍ପର ମଧ୍ୟରେ ଆଲୋଚନାକୁ ଅନୁମତି ଦିଆଯାଉ ନାହିଁ। ଲୋକଙ୍କ ସ୍ୱରକୁ କେମିତି ଦବେଇ ଦିଆଯାଉଛି ତାହା ଆମେ ଦେଖୁଛୁ। ଏହାର ପରିଣାମ କଥା ମଧ୍ୟ ଆମେ ବୁଝିପାରୁ ନାହୁଁ। ମୁଁ କେବେ ଦୁର୍ନୀତିରେ ସମ୍ପୃକ୍ତ ନାହିଁ । କାହାଠାରୁ ଟଙ୍କା ଲାଞ୍ଚ ନେଇ ନାହିଁ। ସେଥିପାଇଁ ମୁଁ ଭୟଭୀତ ନୁହଁ।
ତେଣୁ ମୁଁ ଲଢ଼ିବା ପାଇଁ ପ୍ରସ୍ତୁତ। ଘୃଣା ଏବଂ ହିଂସାର ବିଚାରାଧାରା ବିରୋଧର ଆମେ ଲଢ଼ିବୁ। ଆମେ ଆରଏସଏସ ସଙ୍ଗଠନ ଭଳି ନୁହଁ। ଆମେ ଯେତେବେଳେ ତୃଣମୂଳ ସ୍ତରରରୁ କଂଗ୍ରେସକୁ ମଜବୁତ କରିପାରିବା ତେବେ ଆରଏସଏସ ବିରୋଧରେ ଲଢ଼ିପାରିବା ବୋଲି ରାହୁଲ କହିଛନ୍ତି।