ନୂଆଦିଲ୍ଲୀ: ଏକାଧିକ ସରକାରୀ ଗୃହକୁ ନିଜ ଅକ୍ତିଆରରେ ରଖିଥିବା କଂଗ୍ରେସ ଦଳ ଭଡ଼ା ପୈଠ କରୁ ନାହିଁ। ଏହି ଗୃହ ମଧ୍ୟରେ କଂଗ୍ରେସର ବିଭିନ୍ନ କାର୍ଯ୍ୟାଳୟ ରହିଛି। ଏପରିକି ମଧ୍ୟବର୍ତ୍ତୀକାଳୀନ କଂଗ୍ରେସ ଅଧ୍ୟକ୍ଷ ଥିବା ସୋନିଆ ଗାନ୍ଧୀଙ୍କ ଆବାସିକ କାର୍ଯ୍ୟାଳୟର ଭଡ଼ା ପୈଠ କରାଯାଉ ନାହିଁ। ସୁଜିତ ପଟେଲ ନାମକ ଜଣେ ବ୍ୟକ୍ତି ଆବେଦନ କରିଥିବା ସୂଚନା ଅଧିକାର ଆଇନ୍ ବଳରେ ଏହି ତଥ୍ୟ ମିଳିଛି। କେନ୍ଦ୍ର ଗୃହ ଏବଂ ସହାରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି।
ଆକବର ରୋଡ୍ରେ ଥିବା କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ପାଇଁ ଗତ ଡିସେମ୍ବର ୨୦୧୨ରେ ଶେଷଥର ପାଇଁ ଭଡ଼ା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟାଳୟ ଉପରେ ୧୨,୬୯,୯୦୨ ଟଙ୍କା ଭଡ଼ା ବାକି ରହିଥିବା କୁହାଯାଇଛି। ସେହିପରି ୧୦ ଜନପଥରେ ଥିବା ସୋନିଆଙ୍କ ଆବାସିକ କାର୍ଯ୍ୟାଳୟ ଉପରେ ୪,୬୧୦ ଟଙ୍କା ଭଡ଼ା ବାକି ରହିଛି। ଏହି କାର୍ଯ୍ୟାଳୟ ପାଇଁ ୨୦୨୦ ସେପ୍ଟେମ୍ବର ମାସରେ ଶେଷଥର ପାଇଁ ଭଡ଼ା ପୈଠ କରାଯାଇଥିଲା।
ସେହିପରି ନୂଆଦିଲ୍ଲୀର ଚାଣକ୍ୟପୁରୀରେ ବଙ୍ଗଳା ନଂ C-ll/109 ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ଭିନସେଣ୍ଟ ଜର୍ଜଙ୍କ ଅକ୍ତିଆରରେ ରହିଛି। ଏହି ଘର ଉପରେ ୫,୦୭,୯୧୧ ଟଙ୍କା ଘର ଭଡ଼ା ବକେୟା ରହିଛି। ୨୦୧୩ ଅଗଷ୍ଟରେ ଶେଷ ଥର ପାଇଁ ଏହି ଘରର ଭଡ଼ା ପ୍ରଦାନ କରାଯାଇଥିଲା।
ନିୟମ ଅନୁଯାୟୀ, ଜାତୀୟ କିମ୍ବା ରାଜ୍ୟ ରାଜନୀତିକ ଦଳ ଗୁଡ଼ିକୁ ସେମାନଙ୍କ ଅଫିସ ପାଇଁ ୩ ବର୍ଷ ଲାଗି ସରକାରୀ ଗୃହକୁ ଭଡ଼ା ଦିଆଯାଏ। ଏହା ପରେ ସେମାନେ ନିଜ ଅଫିସ ତିଆରି କରି ସରକାରୀ ବଙ୍ଗଳା ଛାଡ଼ିବା କଥା।
୨୦୧୦ରେ କଂଗ୍ରେସକୁ ପାର୍ଟି ଅଫିସ୍ ପାଇଁ ୯-ଏ ରାଉଜନ ଏଭିନ୍ୟୁ ଜମି ଆବଣ୍ଟିତ ହୋଇଛି। ସେଥିପାଇଁ କଂଗ୍ରେସ ଆକବର ରୋଡ୍ କାର୍ଯ୍ୟାଳୟ ଖାଲି କରିବା କଥା। ସେହିପରି ୨୦୧୩ରେ ମଧ୍ୟ କଂଗ୍ରେସ ଆଉ କିଛି ସରକାରୀ ଘର ନେଇଥିଲା। କିନ୍ତୁ ଧାର୍ଯ୍ୟ ଅବଧିକୁ ବଢ଼ାଇ ଚାଲିଛି କଂଗ୍ରେସ। ୨୦୨୦ରେ ଲୋଧି ରୋଡ୍ରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଅକ୍ତିଆରରେ ଥିବା ସରକାରୀ ଘରକୁ ଖାଲି କରିବାକୁ ଏକ ନୋଟିସ ପଠାଯାଇଥିଲା। ଏଥିପାଇଁ ତାଙ୍କୁ ମାସେ ସମୟ ଦିଆଯାଇଥିଲା।
ଏହି ପ୍ରସଙ୍ଗରେ ବିଜେପି ନେତା ତଜିନ୍ଦର ପାଲ ସିଂ କହିଛନ୍ତି, ଦୁର୍ନୀତି ହୋଇ ପାରୁ ନଥିବାରୁ ସୋନିଆ ଗାନ୍ଧୀ ଭଡ଼ା ଦେବାକୁ ସକ୍ଷମ ହୋଇ ପାରୁ ନାହାନ୍ତି। ନିର୍ବାଚନ ହାରିବା ପରେ ସେ ଭଡ଼ା ଦେବାକୁ ଅସମର୍ଥ ହୋଇଛନ୍ତି। କାରଣ କୌଣସି ଦୁର୍ନୀତି କରିବାକୁ ତାଙ୍କୁ ସୁଯୋଗ ମିଳୁନି। ଏଥିପାଇଁ ମୁଁ ସୋନିଆ ଗାନ୍ଧୀ ରିଲିଫ ଫଣ୍ଡ ତିଆରି କରି କ୍ୟାମ୍ପେନ ଆରମ୍ଭ କରିଛି। ସମସ୍ତଙ୍କୁ ୧୦ ଟଙ୍କା ଲେଖାଏଁ ଦାନ କରିବାକୁ ମୁଁ ଅନୁରୋଧ କରିଛି।