ଆଇଏଏସ୍‌ଙ୍କ ଦୁଇ ସହଯୋଗୀଙ୍କ ଠାରୁ ମିଳିଲା ନଗଦ ୧୯ କୋଟି

ରାଞ୍ଚି: ଝାରଖଣ୍ଡର ଆଇଏଏସ୍‌ ଅଫିସର ପୂଜା ସିଙ୍ଘଲଙ୍କ ଦୁଇ ସହଯୋଗୀଙ୍କ ଠାରୁ ମିଳିଛି ନଗଦ ୧୯ କୋଟି ଟଙ୍କା। ମନେରଗା ଯୋଜାନାରେ ହୋଇଥିବା ବ୍ୟାପକ ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସର୍ଚ୍ଚ ଅପରେସନ କରୁଥିବା ବେଳେ ଏତେ ପରିମାଣର ନଗଦ ଟଙ୍କା ମିଳିଛି। ଇଡି ପକ୍ଷରୁ ମୋଟ ୧୯.୩୧ କୋଟି ଟଙ୍କା ଜବତ କରାଯାଇଛି। ଏହା ମଧ୍ୟରୁ ନଗଦ ୧୭ କୋଟି ଟଙ୍କା ପୂଜାଙ୍କ ଚାର୍ଟାର୍ଡା ଆକାଉଣ୍ଟାଣ୍ଟ ସୁମନ କୁମାରଙ୍କ ଘରୁ ମିଳିଛି। ସେହିପରି ଅତିରିକ୍ତ ୧.୮ […]

cash

Hemant Lenka
  • Published: Saturday, 07 May 2022
  • , Updated: 07 May 2022, 08:42 AM IST

ରାଞ୍ଚି: ଝାରଖଣ୍ଡର ଆଇଏଏସ୍‌ ଅଫିସର ପୂଜା ସିଙ୍ଘଲଙ୍କ ଦୁଇ ସହଯୋଗୀଙ୍କ ଠାରୁ ମିଳିଛି ନଗଦ ୧୯ କୋଟି ଟଙ୍କା। ମନେରଗା ଯୋଜାନାରେ ହୋଇଥିବା ବ୍ୟାପକ ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସର୍ଚ୍ଚ ଅପରେସନ କରୁଥିବା ବେଳେ ଏତେ ପରିମାଣର ନଗଦ ଟଙ୍କା ମିଳିଛି।

ଇଡି ପକ୍ଷରୁ ମୋଟ ୧୯.୩୧ କୋଟି ଟଙ୍କା ଜବତ କରାଯାଇଛି। ଏହା ମଧ୍ୟରୁ ନଗଦ ୧୭ କୋଟି ଟଙ୍କା ପୂଜାଙ୍କ ଚାର୍ଟାର୍ଡା ଆକାଉଣ୍ଟାଣ୍ଟ ସୁମନ କୁମାରଙ୍କ ଘରୁ ମିଳିଛି। ସେହିପରି ଅତିରିକ୍ତ ୧.୮ କୋଟି ଟଙ୍କା ଆଉ ଜଣେ ସହଯୋଗୀଙ୍କ ଠିକଣାରୁ ଇଡି ଜବତ କରିଛି। ସର୍ଚ୍ଚ ଅପରେସନ ବେଳେ ଆଇଏଏସ୍‌ ପୂଜାଙ୍କ ଘରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଇଡିକୁ ମିଳିଥିବା ମଧ୍ୟ ଜଣାପଡ଼ିଛି।

ମନେରଗା ଯୋଗଜନାରେ ହୋଇଥିବା ୧୮ କୋଟି ଟଙ୍କାର ଦୁର୍ନୀତି ଘଟଣାର ଯାଞ୍ଚ କରୁଥିବା ଇଡି ଶୁକ୍ରବାର ଝାରଖଣ୍ଡ ସମେତ ଆଉ ୪ଟି ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲା। ମନେରଗା ସହ ଖଣି ଖନନରେ ମଧ୍ୟ ବ୍ୟାପକ ହେରଫେର ହୋଇଥିବା ଇଡି ଜାଣିବାକୁ ପାଇଛି। ଦୁଇଟି ଯାକ ଘଟଣାରେ ହିଁ ଇଡି ପକ୍ଷରୁ ଝାରଖଣ୍ଡ ସମେତ ଆଉ ୪ ରାଜ୍ୟରେ ରେଡ୍‌ କରାଯାଇଥିଲା।

ସର୍ଚ୍ଚ ଅପରେସନ ବେଳେ ମିଳିଥିବା ନଗଦ ଟଙ୍କା ଦେଖି ଇଡିର ଅଧିକାରୀମାନେ ଜଳକା ହୋଇଯାଇଥିଲେ। ୨୦୦୦, ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍‌ ବିଡ଼ା ଆକାରରେ ରହିଥିଲା। ଏହି ବିଡ଼ା ବିଡ଼ା ଟଙ୍କାକୁ ଗଣତି ପାଇଁ ସ୍ୱତନ୍ତ୍ର ମେସିନ ଅଣା ଯାଇଥିଲା। ଏହାପରେ ଦୀର୍ଘ ଘଣ୍ଟା ଧରି ଟଙ୍କା ଗୁଡ଼ିକୁ ଗଣତି କରାଯାଇଥିଲା।

ଏହାପୂର୍ବରୁ ଇଡି ତତ୍କାଳୀନ ସେକସନ ଅଫିସର ଓ କୁନ୍ତିର ଜୁନିୟର ଇଞ୍ଜିନିୟର ରାମ ବିନୋଦ ପ୍ରସାଦ ସିହ୍ନାଙ୍କୁ ଗିରଫ କରିଥିଲା। ଝାରଖଣ୍ଡ ଭିଜିଲାନ୍ସ ବ୍ୟୁରୋ ତାଙ୍କ ନାଁରେ ୧୬ଟି ଏଫଆଇଆର ରୁଜୁ କରିବା ପରେ ଏପରି ଗିରଫଦାରୀ ହୋଇଥିଲା। ୨୦୦୭-୨୦୦୮ରେ ରାମ ବିନୋଦ ମନେରଗା ପାଣ୍ଠିରୁ ୧୮ କୋଟି ଟଙ୍କା ଚଳୁ କରି ଦେଇଥିବା ଅଭିଯୋଗ ହୋଇଥିଲା। ଇଡି ତାଙ୍କୁ ଜେରା ବେଳେ ମନେରଗା ଦୁର୍ନୀତିରେ ସାମିଲ ଥିବା କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନାଁ ସାମ୍ନାକୁ ଆସିଥିଲା। ଏମାନଙ୍କ ମଧ୍ୟରେ ଆଇଏଏସ୍ ପୂଜାଙ୍କ ନାଁ ମଧ୍ୟ ରହିଥିଲା।

ଏହାକୁ ଆଧାର କରି ଶୁକ୍ରବାର ଇଡିର ଅଧିକାରୀମାନେ ପୂଜା ସିଙ୍ଘଲଙ୍କ ଅଫିସ ଓ ଘରେ ଚଢ଼ଉ କରିଥିଲେ। ଏଥିସହ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ଘରେ ମଧ୍ୟ ରେଡ୍ ହୋଇଥିଲା। ଝାରଖଣ୍ଡ ବ୍ୟତୀତ ବିହାର, ରାଜସ୍ଥାନ, ବେଙ୍ଗଲ ଓ ମହାରାଷ୍ଟ୍ରରେ ଏକକାଳୀନ ଚଢ଼ଉ କରାଯାଇଥିଲା।

ସୂଚନାଯୋଗ୍ୟ, ଆଇଏଏସ୍ ପୂଜା ବର୍ତ୍ତମାନ ଝାରଖଣ୍ଡର ମାଇନିଂ ଓ ଜିଓଲୋଜି ସଚିବ ଭାବେ କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ମାଇନିଂ ଲାଇସେନ୍ସ ନିଜ ନାଁରେ ନେଇ ନିର୍ବାଚନ କମିଶନଙ୍କ ସ୍କାନରରେ ରହିଛନ୍ତି। ଏବେ ମାଇନିଂ ସଚିବ ଇଡି ଜାଲରେ ଫସିଛନ୍ତି। ତେଣୁ ଇଡିର ଅଧିକାରୀମାନେ ଖଣି ଲାଇସେନ୍ସର କାଗଜପତ୍ର ମଧ୍ୟ ଯାଞ୍ଚ କରିବେ।

Related story